ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବାଚସ୍ପତିଙ୍କ ନିର୍ଦ୍ଦେଶରେ ନୋଟିସ କରିଛନ୍ତି ବିଧାନସଭା ସଚିବ । ନିମାପଡ଼ା ବିଧାୟକ ସମୀର ଦାଶ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଜବାବ ତଲବ କରାଯାଇଛି । ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନୋଟିସରେ କୁହାଯାଇଛି । କାହିଁକି ବିଧାୟକ ପଦ ରଦ୍ଦ ନହେବ, ପକ୍ଷ ରଖିବାକୁ ନୋଟିସରେ ଉଲ୍ଲେଖ ରହିଛି । ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଆବେଦନ ଆଧାରରେ ଏହି ନୋଟିସ ହୋଇଛି ।
ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି ଏହି ୪ ବିଧାୟକ । ସମସ୍ତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଓଡିଶା ବିଧାନସଭା । ବାଚସ୍ପତିଙ୍କ ନିର୍ଦ୍ଦେଶରେ ନୋଟିସ କରିଛନ୍ତି ବିଧାନସଭାର ସଚିବ । ଦଳବଦଳ ନିୟମ ଅନୁସାରେ ବିଧାୟକ ପଦ ରଦ୍ଦ କାହିଁକି ନହେବ, ଏହାର ଜବାବ ରଖିବା ପାଇଁ ନୋଟିସ ଜାରି କରାଯାଇଛି । ନୋଟିସ ହୋଇଥିବା ବିଧାୟକ ହେଉଛନ୍ତି ନିମପଡା ବିଧାୟକ ସମୀର ଦାଶ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ସୋର ବିଧାୟକ ପର୍ଶୁରାମ ଧଡ଼ା । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ନିକଟରେ ପିଟିସନ ଦାଖଲ କରିଛନ୍ତି । ଏହି ପିଟିସନକୁ ଗ୍ରହଣ କରି ବାଚସ୍ପତିଙ୍କ ନିର୍ଦ୍ଦେଶରେ ବିଧାନସଭା ସଚିବ ୪ ବିଧାୟକଙ୍କୁ ନୋଟିସ କରିଛନ୍ତି । ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନୋଟିସରେ କୁହାଯାଇଛି । ଯଦି ସନ୍ତୋଷଜନକ ଉତ୍ତର ନମିଳେ, ତେବେ ସଭ୍ୟ ପଦ ରଦ୍ଦ ହୋଇଯିବ ।
ନୋଟିସ ଯାଇଥିବା ୪ ବିଧାୟକ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଧାନସଭା ଆସିଥିଲେ । ସେହିପରି ଗତ ଏପ୍ରିଲ ୧୧ ତାରିଖରେ ବିଜେଡି ଛାଡି ବିଜେପିରେ ମିଶିଥିବା ଅରବିନ୍ଦ ଢାଲୀ ଓ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ କରିଥିଲେ ବାଚସ୍ପତି । ଦଳବଦଳ ନିୟମ ଆଧାରରେ ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଥିଲେ ବାଚସ୍ପତି । ଅରବିନ୍ଦ ଢାଲି ଜୟଦେବର ବିଧାୟକ ଓ ପ୍ରେମାନନ୍ଦ ତେଲକୋଇର ବିଧାୟକ ଭାବେ ବିଜେଡିରୁ ନିର୍ବାଚିତ ହୋଇଥିଲେ । କିନ୍ତୁ ବିଜେପି ଛାଡି ବିଜେଡିରେ ମିଶିଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ, କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ଅଧିରାଜ ମୋହନ ପାଣିଗ୍ରାହୀଙ୍କୁ ନୋଟିସ ହୋଇନାହିଁ । କଂଗ୍ରେସ ଓ ବିଜେପି ଦଳ ପକ୍ଷରୁ ଏନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ ହୋଇନଥିବା ଜଣାପଡିଛି ।
ଇଟିଭି ଭାରତ, ଭୁବନେଶ୍ବର