ଭୁବନେଶ୍ବର: ଓଡ଼ିଶାରେ ୨୪ ବର୍ଷର ବିଜେଡି ସରକାରର ପତନ ହୋଇଛି । ବିଜେଡି ପରାଜୟର ଆରମ୍ଭ ହୋଇଛି ପୋଷ୍ଟମର୍ଟମ । ନବୀନଙ୍କ ନେତୃତ୍ବରେ ୫ ଥର ବିଜେଡି ଜିତିଥିବାବେଳେ ଷଷ୍ଠ ପାଳିରେ ଏହି ବଡ଼ ବିପର୍ଯ୍ୟୟକୁ ଅନେକ ଗ୍ରହଣ କରିପାରୁନାହାନ୍ତି । ନିର୍ଦ୍ଦିଷ୍ଟ କିଛି କାରଣ ଓଡ଼ିଆଙ୍କ ମରମରେ ଲାଗିଲା, ସେଥିପାଇଁ ନବୀନ ସରକାରର ପତନ ହେଲା ବୋଲି ଆକଳନ କରିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ ।
'ଲୋକଙ୍କଠୁ ନବୀନ ଓ ନବୀନଙ୍କଠୁ ଲୋକେ ଦୂରେଇଲେ': ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲାଗି ବୟସ ଏକ ବଡ଼ ସମସ୍ୟା ଥିଲା । ବଢୁଥିବା ବୟସ ଦଳ ଲାଗି ସମସ୍ୟା ହୋଇଛି । ନବୀନ ପଟ୍ଟନାୟକ କିଛି ବର୍ଷ ହେବ ସର୍ବସାଧାରଣଙ୍କ ଠାରୁ ଟିକେ ଦୂରେଇ ଯାଇଥିଲେ । ଲୋକେ ତାଙ୍କୁ ସେତିକି ଦେଖିବାକୁ ପାଇନଥିଲେ । ଧୀରେ ଧୀରେ ଏହା ବଢିବାକୁ ଲାଗିଲା । ଲୋକେ ଅନୁଭବ କଲେ ସେ କାର୍ଯ୍ୟକ୍ଷମ ନାହାନ୍ତି । ନବୀନଙ୍କ ଲୋକପ୍ରିୟତା ଥିଲେ ମଧ୍ୟ ସେ ଦକ୍ଷତା ଅଛି ନା ନାହିଁ ବୋଲି ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଲା ।"
'ନିଜକୁ ଚାଣକ୍ୟ ଭାବିଲେ ପାଣ୍ଡିଆନ': ଅନ୍ୟ ଏକ କାରଣ ସେ କହିଛନ୍ତି, "ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେଡିରେ ଭିକେ ପାଣ୍ଡିଆନଙ୍କ ଆବିର୍ଭାବ ହେଲା । ଏହାପରେ ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ନିୟନ୍ତ୍ରଣ ଓ ଶାସନ ବ୍ୟବସ୍ଥାକୁ କରାୟତ କରିନେଲେ ବୋଲି ଲୋକଙ୍କ ମନରେ ଦୃଢ଼ ବିଶ୍ବାସ ହେଲା । ଗତ କିଛିବର୍ଷ ହେବ ବିଶେଷ କରି କୋଭିଡ ପରେ ଓଡିଶାର ଶାସନ ବ୍ୟବସ୍ଥା ପ୍ରଶାସକଙ୍କ ହାତକୁ ଚାଲି ଯାଇଥିଲା । ଯାହାର ନେତୃତ୍ବ ନେଉଥିଲେ ଭିକେ ପାଣ୍ଡିଆନ । ସେଥିରେ ରାଜନୈତିକ ଦଳ ଓ ନେତାଙ୍କର କିଛି ଭୂମିକା ନଥିଲା । ଗତ ପଞ୍ଚାୟତ ଓ ପୌର ନିର୍ବାଚନ ପରେ ସେ ଭାବିନେଲେ ଯେ ତାଙ୍କୁ ରାଜନୈତିକ ପରିଚାଳନା ଆସିଗଲା ।"
'ବିଜେପିକୁ ଆଖିବୁଜା ସମର୍ଥନ ହେଲା କାଳ': ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ରବି ଦାସ କହିଛନ୍ତି, "ଦିଲ୍ଲୀରେ ଗତ ୫ ବର୍ଷ ଧରି ବିଜେପି ସରକାରକୁ ବିଜେଡି ସମର୍ଥନ କରିଆସିଛି । ମଣିପୁରର ମହିଳା ବିରୋଧୀ କାର୍ଯ୍ୟକୁ ମଧ୍ୟ ବିଜେଡି ସମର୍ଥନ କରିଥିଲା । କୃଷକଙ୍କ ପ୍ରସଙ୍ଗରେ କୃଷି ଆଇନରେ ମଧ୍ୟ ସମର୍ଥନ ଦେଲେ । ଦିଲ୍ଲୀ ବିଲ୍ ଯାହା ସଂଘୀୟ ବ୍ୟବସ୍ଥା ବିରୋଧୀ ତାହାକୁ ମଧ୍ୟ ବିଜେଡି ସମର୍ଥନ କରିଥିଲା । ବିଜେପି ସହ କୌଣସି ଭାବେ ନୀତିଗତ ଭାବେ ବିଜେଡି ଆଲଗା ନୁହେଁ ବୋଲି ବାର୍ତ୍ତା ଗଲା । ନିର୍ବାଚନ ଠିକ ପୂର୍ବରୁ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇ ରାଜ୍ୟସଭା ପଠାଇଲା । ଏହା ମଧ୍ୟ ବିଜେଡିକୁ ମହାଙ୍ଗା ପଡିଲା ।"
'ବିଜେପିର ଓଡ଼ିଆ ଅସ୍ମିତାର ଜବାବ ଦେଇପାରିଲାନି ବିଜେଡି': ରବି ଦାସ କହିଛନ୍ତି, "ବିଜେପି ସ୍ପଷ୍ଟ କଲା ତାଙ୍କ ଟାର୍ଗେଟରେ ରହିବେ ଭିକେ ପାଣ୍ଡିଆନ । ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରି ବିଜେପି ଓଡ଼ିଆ ଅସ୍ମିତାର କଥା ଉଠାଇଥିଲା । ବିଜୁ ବାବୁଙ୍କ ନାଁ'ରେ ଗଠିତ ଦଳ ତାହାର ଜବାବ ଦେଇପାରିଲାନାହିଁ । ବିଭିନ୍ନ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦିଙ୍କୁ ଭିକେ ପାଣ୍ଡିଆନ ପ୍ରଶଂସା କଲେ । ଲୋକେ ଗ୍ରହଣ କଲେ ନାହିଁ ।"
ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ - CM NAVEEN RESIGNATION
'ଠିକ ସମୟରେ ସ୍ପଷ୍ଟ ହେଲାନି ରତ୍ନଭଣ୍ଡାର ସ୍ଥିତି': ଚଳିତ ନିର୍ବାଚନରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଥିଲା ରତ୍ନଭଣ୍ଡାର ପ୍ରସଙ୍ଗ । ରବି ଦାସ କହିଛନ୍ତି, "ଓଡିଶାର ଅର୍ଥନୀତି ନେଇ କୌଣସି ଆଲୋଚନା ହୋଇନାହିଁ । କିନ୍ତୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ନେଇ ଅନେକ ଆଲୋଚନା ହେଲା । ଲୋକଙ୍କ ପାଖକୁ ନକରାତ୍ମକ ବାର୍ତ୍ତା ଗଲା । ଶେଷରେ ଶାସକ ଦଳ ପକ୍ଷରୁ ଗୋଟେ ବିଜ୍ଞାପନ ଦିଆଗଲା । କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା । ରତ୍ନଭଣ୍ଡାର ନେଇ ଥିବା ସନ୍ଦେହ ପ୍ରଥମ ଦିନରୁ ଦୂର କରାଗଲା ନାହିଁ । ରତ୍ନଭଣ୍ଡାର ଚାବି ସଚିବାଳୟରେ ରୁହେନାହିଁ । ଏହାର ସ୍ଥିତି କଣ ଜଣେଇବାକୁ କାହିଁକି ଏତେ ସମୟ ଲାଗିଲା ? ଶାସକ ଦଳ ଭାବିଥିଲେ ଓଡିଶା ଲୋକ ବୋକା । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଳରେ ଆମେ ସବୁ କିଛି ସମ୍ଭାଳି ନେବୁ । କିଭଳି ଶାସନ ବ୍ୟବସ୍ଥା ପରିଚାଳିତ ହେଉଛି ଲୋକେ ଦେଖିପାରିଲେ । ଦଳର ନେତାଙ୍କର ସମ୍ମାନ ନଥିଲା । ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିଲେ ନାହିଁ । ସାମ୍ବାଦିକଙ୍କୁ କୋଣଠେସା କରି ରଖିଦିଆଗଲା । ତାହା ଭୋଟରେ ପ୍ରମାଣିତ ହେଲା ।"
ଇଟିଭି ଭାରତ, ଭୁବନେଶ୍ବର