ବରଗଡ଼: ଆସନ୍ତା ମେ 20 ତାରିଖରେ ବରଗଡ଼ ଜିଲ୍ଲାରେ ହେବାକୁ ଯାଉଛି ମତଦାନ । ୨୬ ଏପ୍ରିଲ ୨୦୨୪ ରୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ ଓ ଏହାର ଶେଷ ତାରିଖ ମେ ୩ ତାରିଖ ରହିଛି । ଜିଲ୍ଲାର ସମସ୍ତ ବିଧାନସଭା ଆସନରେ ସମସ୍ତ ଦଳ ନିଜ ନିଜର ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛନ୍ତି । ଏହାରି ଭିତରେ ପ୍ରାର୍ଥୀତ୍ବକୁ ନେଇ ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ । ଯାହାକି ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗୀନି ଛୁରିଆଙ୍କ ପାଇଁ ଅନୁକୂଳ ହେବ ବୋଲି କୁହାଯାଉଛି । ବର୍ତ୍ତମାନ ସମସ୍ତ ନେତା ଓ କର୍ମୀ ନିର୍ବାଚନୀ ମଇଦାନକୁ ଓହ୍ଲାଇ ପ୍ରଚାରରେ ବ୍ୟସ୍ତ ହୋଇପଡିଛନ୍ତି । ଓଡି଼ଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାର ଅତାବିରା ନିର୍ବାଚନ ମଣ୍ଡଳୀ କୃଷିକୁ ନେଇ ସବୁବେଳେ ଫୋକସରେ ରହିଆସିଛି । ୨୦୦୯ ମସିହାରେ ଏହି ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିବାବେଳେ ପ୍ରଥମ ଥର କଂଗ୍ରେସ ଖାତାକୁ ଯାଇଥିଲା ଏହି ଆସନ । କିନ୍ତୁ ୨୦୧୪ ମସିହା ସାଧାରଣ ନିର୍ବାଚନରେ କଂଗ୍ରେସ ହାତରୁ ଛଡାଇ ଆଣିଥିଲା ବିଜେଡି ।
ଲଗାତାର ଭାବେ ସ୍ନେହାଙ୍ଗିନୀ ଛୁରିଆ ଦୁଇ ଥର ନିର୍ବାଚିତ ହୋଇ ଅପ୍ରତିଦ୍ଵନ୍ଦୀ ନେତ୍ରୀ ଭାବେ ଉଭା ହୋଇଛନ୍ତି । ଏବେ ସେ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ହେବା ସହ ବିଜେଡିର ରାଜ୍ୟ ମହିଳା ସଭାନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । 2024 ସାଧାରଣ ନିର୍ବାଚନ ପାଇଁ ଅତାବିରା ଆସନରେ ବିଜେଡି ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ସେହିପରି କଂଗ୍ରେସ ବରପାଲିର ପୂର୍ବତନ ବିଧାୟକ ସ୍ଵର୍ଗତ ରିପୁନାଥ ଶେଠଙ୍କ ପୁଅ ଅଭିଶେଖ ଶେଠଙ୍କୁ ଟିକେଟ ଦେଇଛି । ଅପରପକ୍ଷେ, କଂଗ୍ରେସ ଛାଡି ବିଜେପିରେ ନୂତନ ଭାବେ ମିଶିଥିବା ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି।
ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିବା କଂଗ୍ରେସର ନିହାର ମହାନନ୍ଦଙ୍କୁ ଦଳରେ ସାମିଲ କରି ଟିକେଟ ଦେଇଛି ବିଜେପି । ଯାହାକୁ ନେଇ ଅତାବିରା ଆସନରେ ବିଜେପିର ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି । ଦିନକୁ ଦିନ ଏହି ଅସନ୍ତୋଷ ଦଳ ଭିତରେ ବିଦ୍ରୋହର ରୂପ ନେଉଛି । ବର୍ତ୍ତମାନ ଅତାବିରାରେ ବିଜେପି ଦଳ ଦୁଇ ଫାଳ ହୋଇ ଗୋଷ୍ଠୀ କନ୍ଦଳ ଦେଖାଦେଇଛି । ବିଜେପି ପ୍ରାର୍ଥୀଙ୍କ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାମୁହିଁ ମଧ୍ୟ ହୋଇଛନ୍ତି ଓ ପୋଲିସର ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି । ସୂଚନା ଅନୁସାରେ, ରେଙ୍ଗାଲି କ୍ୟାମ୍ପଠାରେ ବିଜେପିର ଏକ ଗୋଷ୍ଠୀ ବିଜେପି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କ ପ୍ରାର୍ଥୀତ୍ଵ ପ୍ରତ୍ୟାହାର ଦାବି ନେଇ ଆନ୍ଦୋଳନ କରୁଥିଲେ । ସେହି ସମୟରେ ନିହାରଙ୍କ ସପକ୍ଷବାଦୀ ଓ ବିପକ୍ଷବାଦୀ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ। ଅତାବିରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ଶାନ୍ତ କରିଥିଲା ।
ବିଜେଡି ବିଧାୟିକା ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, "ଅତାବିରାରେ ବିଜେପି ଦୁଇ ଚାରି ଭାଗରେ ବିଭକ୍ତ ହେଲାଣି ଏବଂ ବିଜେପିର ଅନ୍ତଃକନ୍ଦଳ ଗାଁ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଠିକ୍ ସମୟରେ ଠିକ ନିଷ୍ପତ୍ତି ନେବେ ଅତାବିରା ନିର୍ବାଚନ ମଣ୍ଡଳୀର ଭୋଟର ।" ଅନ୍ୟପଟେ କଂଗ୍ରେସର ମଧ୍ୟ ଆଶାୟୀ ପ୍ରାର୍ଥୀମାନେ ଆମଦାନୀ ନେତାଙ୍କୁ ପ୍ରାର୍ଥୀତ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଅସନ୍ତୋଷ କାରଣରୁ କଂଗ୍ରେସ ଦଳର ନେତା ଓ କର୍ମୀଙ୍କ ଅତାବିରାରେ ଦେଖା ମିଳୁନଥିବାବେଳେ ବିଜେପିରେ ମଧ୍ୟ ଫାଟ ନେଇ ଚର୍ଚ୍ଚା ବଢିଛି । ଅପରପକ୍ଷେ ବିଜେଡିର ମିଶ୍ରଣ ପର୍ବରେ ଉଭୟ କଂଗ୍ରେସ ଓ ବିଜେପି ଦଳର ଅସନ୍ତୋଷ ନେତା ଓ କର୍ମୀମାନେ ଯୋଗଦେଇ ଚାଲିଛନ୍ତି । ଯାହାକି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ବୋଲି ମତ ପ୍ରକାଶ କରିଛନ୍ତି ରାଜନୈତିକ ବିଶେଷଜ୍ଞ ।
ଇଟିଭି ଭାରତ, ବରଗଡ଼