ସୁବର୍ଣ୍ଣପୁର: ଆଗକୁ ଆସୁଛି ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ । ସଦର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି । ନିର୍ବାଚନ ମଣ୍ଡଳୀ ପୁର୍ନଗଠନ ହେବା ପରେ ଜିଲ୍ଲାର ବିନିକା ନିର୍ବାଚନ ମଣ୍ଡଳୀ ଉଠିଯିବା ପରେ ଗତ 15 ବର୍ଷ ଧରି ବିନିକାର ପୂର୍ବତନ ବିଧାୟକ ନିରଂଜନ ପୂଜାରୀ ସଦର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଆସୁଛନ୍ତି । ସଦର ବିଧାୟକ ପୂଜାରୀ ରାଜ୍ୟ ସରକାରଙ୍କ କ୍ୟାବିନେଟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଥିବା ବେଳେ ଏବେ ସ୍ବାସ୍ଥ୍ୟମନ୍ତ୍ରୀ ଅଛନ୍ତି ।
ନିରଂଜନ ପୂଜାରୀ ପୂର୍ବରୁ ଦୁଇ ଦୁଇ ଥର ରାଜ୍ୟ ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ କରିଛନ୍ତି । ତେବେ ବିଜେଡିର ପତିଆରା ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରି ରହିଛି । 2019 ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶୋକ ପୂଜାରୀଙ୍କୁ 26 ହଜାର ଭୋଟ ବ୍ୟବଧାନରେ ହରାଇ ବିଜୟୀ ହୋଇଥିଲେ । ସେହିପରି 2014 ନିର୍ବାଚନରେ ଏବେକାର ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କୁ ପ୍ରାୟ 50 ହଜାର ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । 2009 ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଜିତେନ୍ଦ୍ର ପଟ୍ଟନାୟକଙ୍କୁ ପରାଜିତ କରି ବିଜୟୀ ହୋଇଥିଲେ । ତେବେ ଗତ 2019 ନିର୍ବାଚନରେ ବିଜେଡି ପ୍ରାର୍ଥୀ ନିରଂଜନ ପୂଜାରୀ 49 ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ବିଜେପି ପ୍ରତିଦ୍ବନ୍ଦୀ ଅଶୋକ ପୂଜାରୀ 36 ପ୍ରତିଶତ ଭୋଟ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ଚିତ୍ତରଂଜନ ମିଶ୍ର 11 ପ୍ରତିଶତ ଭୋଟ ପାଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ... ନିର୍ବାଚନ ଠାରୁ ମଧ୍ୟ ବଳିଗଲା ମେଣ୍ଟ ଚର୍ଚ୍ଚା: ଛିଡି ସାରିଛି ଆସନ ବୁଝାମଣା !
ବିଜେଡି ପ୍ରାର୍ଥୀ 99 ହଜାର 73 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସମୁଦାୟ 73 ହଜାର 347 ଓ କଂଗ୍ରେସ ପ୍ରାର୍ଥୀ 23 ହଜାର 326 ଭୋଟ ପାଇଥିଲେ । ମୋଟ ଦୁଇ ଜଣ ସ୍ବାଧୀନଙ୍କ ସମେତ ମୋଟ 7 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ଏଥର ନିର୍ବାଚନରେ ବିଭିନ୍ନ ଅଞ୍ଚଳରେ ଅଯୋଧ୍ୟାର ରାମ ମନ୍ଦିର ପ୍ରତିଷ୍ଠା ପାଇଁ ରାମ ଲହରରେ ବିଜେପି ଆଗୁଆ ରହିଥିବା ଜଣାପଡୁଥିବା ବେଳେ ସଦର ସୋନପୁର ନିର୍ବାଚନ ମଣ୍ଡଳୀରେ ରାମ ଲହର ସେପରି ନଥିବା ନିର୍ବାଚନ ସମୀକ୍ଷକ ମତ ରଖିଛନ୍ତି । ସେହିପରି ଶ୍ରମିକ ନେତା ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ବିଫଳ ହୋଇଥିବା ବେଳେ ଭୋଟରଙ୍କୁ ରାଜନୈତିକ ଦଳଗୁଡିକ ଟଙ୍କା ବାଣ୍ଟି ଆକୃଷ୍ଟ କରିବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଥିବା ମତ ଦେଇଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର