ନିଆଳି: ଆସନ୍ତା ଜୁନ ୧ରେ ପଡିବ ଅନ୍ତିମ ପର୍ଯ୍ୟାୟ ଭୋଟ । ରାଜ୍ୟରେ ବଳକା ଥିବା ୪୨ଟି ବିଧାନସଭା ଆସନ ପାଇଁ ନିଜର ଜନପ୍ରତିନିଧି ବାଛିବେ ଜନତା । ଏହି କ୍ରମରେ କଟକ ଜିଲ୍ଲା ଅନ୍ତର୍ଗତ ତଥା ଜଗତସିଂହପୁର ଲୋକସଭା ଆସନ ଅଧୀନସ୍ଥ ନିଆଳି ବିଧାନସଭା ଆସନ ପାଇଁ ମତଦାନ ହେବ । ରାଜ୍ୟର ଯେଉଁ କେତୋଟି ବିଜେଡିର ଅଭେଦ୍ୟ ଦୁର୍ଗ ରହିଛି ସେଥି ମଧ୍ୟରୁ ନିଆଳି ଅନ୍ୟତମ । ଏଥର ବିଜେଡି ଡ. ପ୍ରମୋଦ କୁମାର ମଲ୍ଲିକଙ୍କୁ ଭରସା କରି ଚତୁର୍ଥ ଥର ପାଇଁ ଟିକଟ ଦେଇଛି । ସେହିଭଳି କଂଗ୍ରେସ ମହିଳା କାର୍ଡ ଖେଳି ଗୀତାଞ୍ଜଳି ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଟାଣୁଆ ନେତା ଛବି ମଲ୍ଲିକଙ୍କୁ ମୈଦାନକୁ ଓହ୍ଲାଇଛି । ଆସନ୍ତୁ ନଜର ପକାଇବା କଣ ରହିଛି ନିଆଳିରେ ରାଜନୈତିକ ସମୀକରଣ ।
ନିଆଳି ନିର୍ବାଚନ ମଣ୍ଡଳୀ: ୨୦୦୯ରେ ଗଠିତ ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିଆଳି ବ୍ଲକର ୨୩ଟି ପଞ୍ଚାୟତ, କଣ୍ଟାପଡା ବ୍ଲକର ୧୪ଟି ପଞ୍ଚାୟତ ଓ ବାରଙ୍ଗ ବ୍ଲକର ୮ ଟି ପଞ୍ଚାୟତ ଅନ୍ତର୍ଭୁକ୍ତ । ଏଠାରେ ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୪୮ ହଜାର ୩୭୭ ଅଟେ । ଏଥି ମଧ୍ୟରୁ ୧ ଲକ୍ଷ ୨୬ ହଜାର ୯୭୬ ଜଣ ପୁରୁଷ ଭୋଟର ଏବଂ ୧ ଲକ୍ଷ ୨୧ ହଜାର ୩୭୪ ଜଣ ମହିଳା ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ସେହିଭଳି ୩ ଜଣ ତୃତୀୟ ଲିଙ୍ଗୀ ଭୋଟର ଭୋଟଦାନ କରିବେ । ଏଠାରେ ମୋଟ ୨୭୪ଟି ବୁଥରେ ମତଦାନ ଅନୁଷ୍ଠିତ ହେବ, ଯେଉଁଥିରେ ୧୧୯ଟି ବୁଥକୁ ଉତ୍ତେଜନା ପ୍ରବଣ ବୁଥ ଭାବରେ ଚିହ୍ନଟ କରାଯାଇଥିବା ନେଇ ସୂଚନା ରହିଛି । ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡିରୁ ପ୍ରମୋଦ କୁମାର ମଲ୍ଲିକ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।
![Niali Assembly Constituency](https://etvbharatimages.akamaized.net/etvbharat/prod-images/30-05-2024/21585985_gh.jpg)
୨୦୨୪ ନିର୍ବାଚନର ପ୍ରାର୍ଥୀଙ୍କ ପ୍ରୋଫାଇଲ: ନିଆଳିରେ ତ୍ରିମୁଖୀ ଟକ୍କର ହେବାକୁ ଥିବା ବେଳେ ଦୁଇ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଭୋଟ ବିଭାଜନ କରିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ବିଜେପିରୁ ବିଧାୟକ ପ୍ରାର୍ଥୀ ଛବି ମଲ୍ଲିକ, କଂଗ୍ରେସରୁ ଗୀତାଞ୍ଜଳି ମଲ୍ଲିକ, ବିଜେଡିରୁ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ସ୍ବାଧୀନ ପ୍ରାର୍ଥୀ ଭାବରେ ଅଭିମନ୍ୟୁ ମଲ୍ଲିକ, ତୃପ୍ତି ରଞ୍ଜନ ବେହେରା, କୃଷ୍ଣ ଚନ୍ଦ୍ର ବେହେରା,ବହୁଜନ ସମାଜ ପାର୍ଟିରୁ ବେଦ ପ୍ରକାଶ ଦାସ, ସମୃଦ୍ଧ ଓଡିଶାରୁ ଅରୂପ କୁମାର ମଲ୍ଲିକ, ଜୟ ମହାଭାରତ ପାର୍ଟୀରୁ ଦିଲ୍ଲିପ ଦାସ ନିଆଳିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ନେଇ ସୂଚନା ମିଳିଛି ।
ବିଜେଡି: ନିଆଳିରେ ବିଜେଡି ହାଟ୍ରିକ ବିଜୟ ହାସଲ କରିସାରିଥିବା ବେଳେ ପୁଣି ଥରେ ବିଜୟର ଚୌକା ମାରିବା ଲକ୍ଷ୍ୟରେ ଅଛି ବିଜେଡି । ବିଜେଡି ନେତା ପ୍ରମୋଦ ମଲ୍ଲିକଙ୍କ କହିବା ଅନୁସାରେ ବିଜେଡିର ଏକ ମାତ୍ର ମୁଦ୍ଦା ହେଉଛି ବିକାଶ । ଲୋକଙ୍କ ବିକାଶ ଓ ଅଞ୍ଚଳର ବିକାଶ ପ୍ରମୁଖ ଏଜେଣ୍ଡା ରହିଛି । ମୁଖ୍ୟମନ୍ତ୍ରୀଙ୍କର ବିକାଶମୂଳକ କାମକୁ ପାଥେୟ କରି ବିଜେଡି ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିଛି । ବିଜେଡି ପୁଣିଥରେ ବିଜୟୀ ହେଲେ ବିକାଶକୁ ଆହୁରି ତ୍ବରାନ୍ବିତ କରାଯିବ ବୋଲି କହିଛନ୍ତି ପ୍ରମୋଦ ।
ବିଜେପି: ଅଞ୍ଚଳର ଜଣେ ଟାଣୁଆ ନେତା ଭାବେ ପରିଚିତ ଛବି ମଲ୍ଲିକଙ୍କୁ ଏଥର ବିଜେପି ଟିକଟ ଦେଇଛି । ବିଜେପି ପ୍ରାର୍ଥୀ ଛବି କହିଛନ୍ତି ଯେ, ନିଆଳିର ଜନସାଧାରଣ ଅଞ୍ଚଳରେ ହେଉଥିବା ଦୁର୍ନୀତି ସମ୍ପର୍କରେ ଜାଣିଛନ୍ତି । ଏଥି ପାଇଁ ଆମେ ଘର ଘର ବୁଲି ନିର୍ବାଚନ ପ୍ରଚାର କରୁଛୁ । ଅଞ୍ଚଳର ୪୫ଟି ପଞ୍ଚାୟତରେ ବୁଲି ଲୋକଙ୍କୁ ସଚେତନ କରାଉଛୁ । ମୋଦିଆଙ୍କ ଆଦର୍ଶ ଓ ନୀତି ପ୍ରତି ଲୋକଙ୍କ ସମର୍ଥନ ବଢିଛି ଓ ଲୋକ ପରିବର୍ତ୍ତନ କରିବାକୁ ମନ ବଳାଇଛନ୍ତି । ଏଥର ନିଆଳିରେ ନିଶ୍ଚୟ ପଦ୍ମ ଫୁଟିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଛବି ।
କଂଗ୍ରେସ: ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଥିବା ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ନାମାଙ୍କ ଖାରଜ ହେବା ପରେ ତାଙ୍କ ମାଆ ଗୀତାଞ୍ଜଳି ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ଦଳ । ଗୀତାଞ୍ଜଳିଙ୍କ ସ୍ବାମୀ ଆର୍ତ୍ତତ୍ରାଣ ମଲ୍ଲିକ ୨୦୦୯ ରେ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ । ଗୀତାଞ୍ଜଳି କହିଛନ୍ତି ଯେ, ଗାଁ ଗଣ୍ଡା ସବୁଠି ତାଙ୍କ ପ୍ରତି ଲୋକଙ୍କ ସମର୍ଥନ ବଢୁଛି । ଲୋକ ପରିବର୍ତ୍ତନ ଚାହୁଁଛନ୍ତି । ନିଆଳିରେ ଗତ ୧୫ ବର୍ଷ ଧରି ବିଜେଡି ଶାସନ କାଳରେ ଦୁର୍ନୀତି ଚରମସୀମାରେ ପହଞ୍ଚିଛି । ତେଣୁ ପିସି କାରବାର ମୁକ୍ତ ନିଆଳି ଗଠନ କରିବାକୁ ପ୍ରତିଶୃତି ଦେଇଛନ୍ତି ଗୀତାଞ୍ଜଳି ।
ସ୍ବାଧୀନ ପ୍ରାର୍ଥୀ ଅଭିମନ୍ୟୁ ମଲ୍ଲିକ କହିଛନ୍ତି, ‘ମୁଁ ଜନମତ ଲୋଡୁଛି ଆଉ ଜନମତରୁ ଭୋଟକୁ ରୂପାନ୍ତରିତ କରିବା ପାଇଁ ଯେଉଁ ପଦକ୍ଷେପ ନେବା କଥା ଜନ ସାଧାରଣ ସମ୍ମୁଖରେ ବିଧାୟକଙ୍କ କର୍ତ୍ତବ୍ୟ ଏବଂ ଭୂମିକା ଓ ବ୍ୟବସ୍ଥା ପାଇଁ ବିଭିନ୍ନ କ୍ଷେତ୍ରରେ ଲୋକଙ୍କ ପାଖରେ ପହଁଚିଛି । ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜଡ଼ିତ ଥିଲି ଏବେ ରହିଛି ଆନ୍ଦୋଳନ କରିଛି ।’
ସ୍ବାଧୀନ ପ୍ରାର୍ଥୀ ତୃପ୍ତି ରଞ୍ଜନ ବେହେରା କହିଛନ୍ତି, ‘ବିଜେଡି ୨୦୧୯ରେ ପ୍ରତିଶ୍ରୁତି ଦେଇ ୨୦୨୪ ପ୍ରତାରଣା କଲେ । ନିଆଳିରେ ୧୫ ବର୍ଷର ବିଧାୟକ ଦୁର୍ନୀତିରେ ନିଆଳିକୁ ବୁଡେଇକି ରଖିଛନ୍ତି । ଦୁର୍ନୀତି,ଅନୀତି ବିରୁଦ୍ଧରେ ଲଢିବା ପାଇଁ ଚଷା ପୁଅ ସ୍ବାଧୀନ ପ୍ରାର୍ଥୀ ଭାବରେ ମଇଦାନକୁ ଓହ୍ଲାଇଛି । ନିଆଳିରେ ପରିବର୍ତ୍ତନ ପାଇଁ ଲୋକଙ୍କୁ ବୁଝାଉଛି । ଲୋକଙ୍କ ଆଶୀର୍ବାଦରୁ ନିର୍ବାଚନ ଜିତିବି ବିଧାନସଭା ଯିବି ଲୋକଙ୍କ କଥା ଉଠାଇବି ।
ପୂର୍ବ ନିର୍ବାଚନ ଫଳାଫଳ:
![Niali Assembly Constituency](https://etvbharatimages.akamaized.net/etvbharat/prod-images/30-05-2024/21585985_rt.jpg)
୨୦୧୯ ବିଧାନସଭା ନିର୍ବାଚନ: ୨୦୧୯ରେ ବିଜେଡି ପ୍ରାର୍ଥୀ ପ୍ରମୋଦ କୁମାର ମଲ୍ଲିକ ନିଜର ନିକଟତମ ପ୍ରାର୍ଥୀ ବିଜେପିର ଛବି ମଲ୍ଲିକଙ୍କୁ ୨୭,୭୦୩ ଖଣ୍ଡ ଭୋଟରେ ହରାଇଥିଲେ । ପ୍ରମୋଦ ୯୪,୦୧୩ ଖଣ୍ଡ ଭୋଟ ଓ ଛବି ୬୬,୩୧୦ ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ମମତା ଭୋଇ ୧୨,୬୫୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।
![Niali Assembly Constituency](https://etvbharatimages.akamaized.net/etvbharat/prod-images/30-05-2024/21585985_esd.jpg)
୨୦୧୪ ବିଧାନସଭା ନିର୍ବାଚନ: ୨୦୧୪ରେ ବିଜେଡି ପ୍ରାର୍ଥୀ ପ୍ରମୋଦ କୁମାର ମଲ୍ଲିକ ନିଜର ନିକଟତମ ପ୍ରାର୍ଥୀ କଂଗ୍ରେସର ଛବି ମଲ୍ଲିକଙ୍କୁ ୨୫,୮୦୯ ଖଣ୍ଡ ଭୋଟରେ ହରାଇଥିଲେ । ପ୍ରମୋଦ ୮୮,୧୧୯ ଖଣ୍ଡ ଭୋଟ ଓ ଛବି ୬୨,୩୧୦ ଖଣ୍ଡ ଭୋଟ ପାଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ସୁଶାନ୍ତ କୁମାର ମଲ୍ଲିକ ୧୧,୮୩୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।
![Niali Assembly Constituency](https://etvbharatimages.akamaized.net/etvbharat/prod-images/30-05-2024/21585985_hjh.jpg)
୨୦୦୯ ବିଧାନସଭା ନିର୍ବାଚନ: ୨୦୦୯ରେ ବିଜେଡି ପ୍ରାର୍ଥୀ ପ୍ରମୋଦ କୁମାର ମଲ୍ଲିକ ନିଜର ନିକଟତମ ପ୍ରାର୍ଥୀ କଂଗ୍ରେସର ଆର୍ତ୍ତତ୍ରାଣ ମଲ୍ଲିକଙ୍କୁ ୫୦,୬୫୩ ଖଣ୍ଡ ଭୋଟରେ ହରାଇଥିଲେ । ପ୍ରମୋଦ ୯୦,୬୫୮ ଖଣ୍ଡ ଭୋଟ ଓ ଆର୍ତ୍ତତ୍ରାଣ ୪୦,୦୦୫ ଖଣ୍ଡ ଭୋଟ ପାଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ସୁଶାନ୍ତ କୁମାର ମଲ୍ଲିକ ୪,୯୨୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।
![Niali Assembly Constituency](https://etvbharatimages.akamaized.net/etvbharat/prod-images/30-05-2024/21585985_ghj.jpg)
ନିଆଳିରେ ରାଜନୈତିକ ହାଲଚାଲ:
କିଏ ହାତେଇବ ନିଆଳି ତାହା କଳନା କରିବା ମୁସ୍କିଲ । ତିନି ତିନି ଥରର ବିଜେଡି ବିଧାୟକ ପ୍ରମୋଦ କୁମାର ମଲ୍ଲିକ ଚୌକା ମାରିବେ ନା ବିଜେପି କିମ୍ବା କଂଗ୍ରେସ ହାତରେ କ୍ୟାଚ ହେବେ ସେଥି ପାଇଁ ଆରମ୍ଭ ହୋଇଛି ବିଭିନ୍ନ କଳ୍ପନା ଜଳ୍ପନା । ଗତ ସାଧାରଣ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଥିବା ବିଜେପି ନିଆଳି ଦଖଲ ପାଇଁ ସଂକଳ୍ପ ନେଇଥିବା ବେଳେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ମହିଳା ପ୍ରାର୍ଥୀ କରି ନିଆଳି ଗଡ ବିଜୟୀ ହେବା ପାଇଁ ରଖିଛି ଲକ୍ଷ୍ୟ । ସେପଟେ ତିନି ଥର ନିଆଳି ଦଖଲରେ ରଖିଥିବା ବିଜେଡି ପୁଣି ନିଆଳି ଦଖଲ ପାଇଁ ଦମ୍ଭୋକ୍ତି ଦେଖାଇଛନ୍ତି । ସେପଟେ କିନ୍ତୁ ଦୁଇ ସ୍ବାଧୀନ ପ୍ରାର୍ଥୀ ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଜୁନ ୪ରେ ନିଆଳିର ନେତା କିଏ ହେବ ତାହା ସ୍ପଷ୍ଟ ହୋଇଯିବ ।
ଇଟିଭି ଭାରତ, ନିଆଳି