ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଗତକାଲି (ବୁଧବାର) ବିଜେଡ଼ି ଦୁଇ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ସହ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ । ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ୬ ସଂସଦୀୟ କ୍ଷେତ୍ର ପାଇଁ ଯୋଦ୍ଧାଙ୍କୁ ରଣାଙ୍ଗନକୁ ଛାଡିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଉଭୟ ପର୍ଯ୍ୟାୟକୁ ମିଶାଇ 17 ନୂଆ ମୁହଁ(ଲୋକସଭା ଓ ବିଧାନସଭା)କୁ ନେଇ ଦଳ ମଇଦାନକୁ ଓହ୍ଲାଇଛି ।
ଲୋକସଭା ପାଇଁ ବିଜେପି ପରେ ଦ୍ଵିତୀୟ ଓ ବିଧାନସଭା ଆସନ ପାଇଁ ପ୍ରଥମ ଦଳ ଭାବେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ଦୁଇ ପର୍ଯ୍ୟାୟ ତାଲିକାରେ ମୋଟ ୧୫ ଲୋକସଭା ଓ ୭୨ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ଦଳ । ମୋଟ 87 ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । ଏହି ତାଲିକାରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ 16 ଜଣ ମହିଳା ଥିବା ବେଳେ 17 ନୂଆ ମୁହଁ ରହିଛନ୍ତି । ସେହିଭଳି ଗତଥର ଲୋକସଭା ନିର୍ବାଚନ ଲଢିଥିବା ୩ ଜଣ ପ୍ରାର୍ଥୀଙ୍କୁ ଦଳ ଏଥରକ ବିଧାନସଭା ଟିକେଟ ଦେଇଛି । ୭୫ ବିଧାନସଭା ଓ ୬ ଲୋକସଭା ଘୋଷଣା ହେବାକୁ ବାକିଥିବାବେଳେ ଏହି ସଂଖ୍ୟା ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି ।
ଦୁଇ ପର୍ଯ୍ୟାୟ ଲୋକସଭାରେ ୪ ମହିଳା ଓ ନୂଆମୁହଁ:-
ବିଜେଡି ସଭାପତି ଗତକାଲି ଦୁଇଟି ପର୍ଯ୍ୟାୟରେ ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଦଳ ପକ୍ଷରୁ ୧୫ ପ୍ରାର୍ଥୀ ଘୋଷଣା ହୋଇଛନ୍ତି । ଦୁଇ ପର୍ଯ୍ୟାୟ ଲୋକସଭାରେ ୪ ମହିଳା ଓ ନୂଆ ମୁହଁଙ୍କୁ ଦଳ ସାମ୍ନାକୁ ଆଣିଛି । ୪ ଜଣ ମହିଳା ପ୍ରାର୍ଥୀ ହେଲେ କୋରାପୁଟରୁ କୌଶଲ୍ୟା ହିକ୍କା, ଆସ୍କାରୁ ରଞ୍ଜିତା ସାହୁ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, ଯାଜପୁରରୁ ଶର୍ମିଷ୍ଠା ସେଠୀ । ମହିଳାଙ୍କ ମଧ୍ୟରେ ନୂଆ ଚେହେରା ଭାବେ ଆସ୍କାରୁ ରଞ୍ଜିତା ସାହୁଙ୍କୁ ଦଳ ଟିକେଟ ଦେଇଛି । ୨୦୧୯ରେ କୋରାପୁଟରୁ କୌଶଲ୍ୟା ହିକ୍କା ନିର୍ବାଚନ ଲଢ଼ି ହାରିଥିଲେ । ଅନ୍ୟପକ୍ଷରେ ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, ଯାଜପୁରରୁ ଶର୍ମିଷ୍ଠା ସେଠୀ ବିଜୟୀ ହୋଇ ସଂସଦ ଯାଇଥିଲେ । ପୁନର୍ବାର ଦଳ ଏମାନଙ୍କୁ ଭରସା କରିଛି । ସେହିପରି ଭାବେ ନୂଆ ଚେହେରା ଭାବେ ଦଳ ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, ଢେଙ୍କାନାଳରୁ ଡାକ୍ତର ଅବିନାଶ ସାମଲ, କଟକରୁ ସଂତୃପ୍ତ ମିଶ୍ର ଟିକେଟ ଦେଇଛି ।
ପ୍ରଥମ ପର୍ଯ୍ୟାୟ ବିଧାନସଭା ତାଲିକାରେ ୧୩ ନୂଆ ମୁହଁ:-
ପ୍ରଥମ ପର୍ଯ୍ୟାୟ ବିଧାନସଭା ତାଲିକାରେ ୭୨ ଜଣଙ୍କୁ ବିଜେଡି ଟିକେଟ ଦେଇଛି । ଏଥିରେ ୧୩ ଜଣ ନୂଆ ମୁହଁଙ୍କୁ ଦଳ ଟିକେଟ ଦେଇଛି । ୧୩ ଜଣ ହେଲେ ରାୟଗଡାରୁ ଅନସୂୟା ମାଝୀ, ବସ୍ତାରୁ ସୁଭାସିନୀ ଜେନା । ସେହିଭଳି ଧାମନଗରରୁ ଡ.ସଂଜୟ ଦାସ, ଯାଜପୁରରୁ ସୁଜାତା ସାହୁ, ଲୋଇସିଙ୍ଗାରୁ ନିହାର ବେହେରା, ଉମରକୋଟରୁ ନବୀନ ନାୟକ, ଦିଗପହଣ୍ଡିରୁ ବିପ୍ଲବ ପାତ୍ର, ନବରଙ୍ଗପୁରରୁ କୌଶଲ୍ୟା ପ୍ରଧାନୀ, ଭବାନୀପାଟଣାରୁ ଲତିକା ନାଏକ, ପାଟକୁରାରୁ ଅରବିନ୍ଦ ମହାପାତ୍ରଙ୍କୁ ଦଳ ଭରସା କରିଛି । ପୁରୀରୁ ସୁନିଲ ମହାନ୍ତି, ସୋରୋଡା଼ରୁ ସଂଘମିତ୍ରା ସ୍ୱାଇଁ ଓ ଚିକିଟିରୁ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ନୂଆ ମୁହଁ ଭାବେ ଦଳ ଟିକେଟ ଦେଇଛି ।
ନେତାଙ୍କ ପୁଅଙ୍କୁ ଟିକେଟ: କେନ୍ଦ୍ରାପଡ଼ାର ପାଟକୁରା ଓ ବାଲେଶ୍ବର ଜିଲ୍ଲା ବସ୍ତାରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଛି । ଦଳ ଏଠାରେ ଗତ ବିଧାୟକଙ୍କ ପରିବାରକୁ ଭରସା କରି ଟିକେଟ ପ୍ରଦାନ କରିନାହିଁ । ପାଟକୁରାରେ ସାବିତ୍ରୀ ଅଗ୍ରୱାଲଙ୍କ ସ୍ଥାନରେ ଅରବିନ୍ଦ ମହାପାତ୍ର ଓ ବସ୍ତାରେ ନିତ୍ୟାନନ୍ଦ ସାହୁଙ୍କ ସ୍ଥାନରେ ସୁଭାଶିନୀ ଜେନାଙ୍କୁ ଟିକଟ ମିଳିଛି । ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଓ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ପରେ ଦଳ ଉଭୟଙ୍କ ପୁଅକୁ ଟିକେଟ ଦେଇଛି । ମହେଶ୍ବରଙ୍କ ପୁଅ ସୁନୀଲ ମହାନ୍ତିଙ୍କୁ ପୁରୀ ଓ ସୂର୍ଯ୍ୟଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ଦିଗପହଣ୍ଡିରୁ ପ୍ରାର୍ଥୀ କରିଛି ଦଳ । ବୟସାଧିକ କାରଣ ପାଇଁ ପୂର୍ବତନ ମନ୍ତ୍ରୀ ତଥା ଚିକିଟି ବିଧାୟିକା ଉଷା ଦେବୀଙ୍କ ଟିକେଟ କାଟିଛି ଦଳ । ଉଷାଙ୍କ ବଦଳରେ ତାଙ୍କ ପୁଅ ଚିନ୍ମୟନନ୍ଦ ସ୍ବରୂପ ଦେବଙ୍କୁ ଟିକେଟ ଦେଇଛି ବିଜେଡି । ନୂଆ ମୁହଁ ଭାବେ ଧାମନଗରରୁ ସଂଜୟ ଦାସ ଓ ଯାଜପୁରରୁ ସୁଜାତା ସାହୁ ମଇଦାନକୁ ଓହ୍ଲାଇବେ ।
ଇଟିଭି ଭାରତ, ଭୁବନେଶ୍ବର