ନିମାପଡ଼ା: ରାଜ୍ୟର 4ର୍ଥ ପର୍ଯ୍ୟାୟ ଅର୍ଥାତ ଜୁନ 1 ତାରିଖରେ ହେବ ନିମାପଡାରେ ମତଦାନ । ଆଉ ଭୋଟ ଗ୍ରହଣ ପୂର୍ବରୁ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବଳ ଗୋଟାଉଛି ବିଜେପି । ଗତକାଲି (ରବିବାର) ନିର୍ବାଚନ ମଣ୍ଡଳୀ ଗୋପ ଠାରେ ବିଜେପି ପକ୍ଷରୁ ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ କଂଗ୍ରେସ ଓ ବିଜେଡିର ବହୁ ନେତା ପଦ୍ମ ଧରିଛନ୍ତି ।
ତେବେ ଗତକାଲି ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ନିମାପଡା ବିଜେପି ବିଧାୟିକା ପ୍ରାର୍ଥିନୀ ପ୍ରଭାତୀ ପରିଡା, ଜଗତସିଂହପୁର ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇଙ୍କ ଉପସ୍ଥିତିରେ କଂଗ୍ରେସ ଦଳ ଛାଡି ଗୋପ ବ୍ଲଜ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ଓ ବିଜେଡି ସମର୍ଥିତ ଚାରିଜଣ ସରପଞ୍ଚ ଓ ଚାରିଜଣ ସମିତି ସଭ୍ୟ, 14 ପଞ୍ଚାୟତର 1 ହଜାରରୁ ଊର୍ଦ୍ଧ୍ୱ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ବିଜେପିର ଏହି ମହାମିଶ୍ରଣ ପର୍ବରେ ବିଭିନ୍ନ ଦଳର କର୍ମୀ କର୍ମକର୍ତ୍ତାଙ୍କୁ ବିଜେପି ଉତ୍ତରୀୟ ପିନ୍ଧାଇ ଦଳରେ ସାମିଲ କରାଇଥିଲା ।
ଏହି ଅବସରରେ ସମୀର ଦାସ କହିଛନ୍ତି, "ନିମାପଡ଼ା ନିର୍ବାଚନ ମଣ୍ଡଳୀର ଗୋପ ବ୍ଲକର ପ୍ରାୟ 14ଟି ପଞ୍ଚାୟତର ତୃଣମୂଳ ସ୍ତରର କଂଗ୍ରେସ ଓ ବିଜେଡି ଦଳର କର୍ମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆସ୍ଥା ସ୍ଥାପନ କରିଛନ୍ତି । ଏହାସହ ବିଜେପି ବିଧାୟିକା ପ୍ରାର୍ଥିନୀ ପ୍ରଭାତୀ ପରିଡା ଓ ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇଙ୍କ ଉପରେ ଆସ୍ଥା ପ୍ରକଟ କରି ବିଶ୍ବର ବୃହତ୍ତମ ପାର୍ଟିରେ ଯୋଗଦାନ କରିଛନ୍ତି । ମୁଁ ଓଡ଼ିଶା ପ୍ରଦେଶ ତରଫରୁ ସମସ୍ତଙ୍କୁ ସ୍ବାଗତ କରୁଛି । ଏହି ମିଶ୍ରଣ ନିମାପଡାର ବିକାଶକୁ ଶୀର୍ଷରେ ପହଞ୍ଚାଇବ । ଭିଡିଓ ମୁଖ୍ୟମନ୍ତ୍ରୀ, ଗୁମାସ୍ତା ଆମଦାନୀ ନେତା ଓ କ୍ରୀତଦାସମାନଙ୍କୁ ଲୋକ ପ୍ରତ୍ୟାଖାନ କରିବେ । ଓଡ଼ିଶା ଲୋକଙ୍କୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ କରିବେ ।"
ସେପଟେ ନିମାପଡା ବିଜେପି ବିଧାୟିକା ପ୍ରାର୍ଥିନୀ ପ୍ରଭାତୀ ପରିଡା କହିଛନ୍ତି, "ବିଜେପିର ମିଶ୍ରଣ ପର୍ବରେ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଆମେ ସମସ୍ତଙ୍କୁ ସ୍ବାଗତ କରୁଛି । ଆଜି ମହାମିଶ୍ରଣ ପର୍ବ ଏହା ହିଁ ଦର୍ଶାଉଛି ଏଥର ଭାରତୀୟ ଜନତା ପାର୍ଟି ଏଠାରେ 1 ଲକ୍ଷ ଭୋଟ ପାର କରିବ ।"
ଇଟିଭି ଭାରତ, ନିମାପଡ଼ା