ପୁରୀ: ପୁରୀ ଲୋକସଭା ଆସନ ଏଥର ବିଜେଡ଼ି ହାତକୁ ଯାଉଛି ନା ବିଜେପି ବାଜିମାତ କରୁଛି ଏହି କଳ୍ପନାଜଳ୍ପନାର ଅନ୍ତ ଘଟିବାକୁ ଯାଉଛି । ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅରୁପ ପଟ୍ଟନାୟକ, ବିଜେପିର ସମ୍ବିତ ପାତ୍ର ଓ କଂଗ୍ରେସର ଜୟ ନାରାୟଣ ପଟ୍ଟନାୟକଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର । ଏଥର ପୁରୀ ଲୋକସଭା ଆସନରେ ମୁଖ୍ୟତଃ ବିଜେଡି, ବିଜେପି ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା ।
ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପୁଣି ଚଳିତ ନିର୍ବାଚନରେ ବିଜେପି ପକ୍ଷରୁ ପୁରୀ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିପକ୍ଷରେ ଲଢିଛନ୍ତି ବିଜେଡ଼ି ନେତା ଅରୂପ ପଟ୍ଟନାୟକ । ଯିଏକି ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଥିଲେ । ପୁରୀ ଜିଲ୍ଲାର ପୁରୀ ସଦର, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଖୋର୍ଦ୍ଧାର ଚିଲିକା, ନୟାଗଡ଼ର ନୟାଗଡ଼, ରଣପୁର ତଥା ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଗଠିତ । ପୁରୀ ଲୋକସଭା ଆସନରେ ମୋଟ ଭୋଟର ସଂଖ୍ୟା ୧୫ ଲକ୍ଷ ୮୪ ହଜାର ୬୯୦ ଥିବାବେଳେ ପୁରୁଷ ଭୋଟର ୮ଲକ୍ଷ ୧୯ ହଜାର ୬୪୫ ଓ ମହିଳା ଭୋଟର ୭ ଲକ୍ଷ ୬୪ ହଜାର ୯୩୬ । ସେହିପରି ତୃତୀୟ ଲିଙ୍ଗୀ ଭୋଟର ୧୦୯ ଜଣ ରହିଥିଲେ ।
![Puri Lok Sabha Results](https://etvbharatimages.akamaized.net/etvbharat/prod-images/10-05-2024/21368775_5.jpg)
୨୦୧୯ ନିର୍ବାଚନ ଫଳାଫଳ:
![Puri Lok Sabha Results](https://etvbharatimages.akamaized.net/etvbharat/prod-images/10-05-2024/21368775_1new1-percentage-1.jpg)
୨୦୧୯ ନିର୍ବାଚନରେ ବିଜେପିର ସମ୍ବିତ ପାତ୍ର ଏବଂ ବିଜେଡିର ପିନାକୀ ମିଶ୍ରଙ୍କ ମଧ୍ୟରେ ବେଶ ସଂଘର୍ଷପୂର୍ଣ୍ଣ ଲଢ଼େଇ ହୋଇଥିଲା । ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ତାଙ୍କ ପ୍ରତିପକ୍ଷ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ୧୧ ହଜାର ୭୧୪ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ହୋଇଥିଲେ। ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ୫ ଲକ୍ଷ ୩୮ ହଜାର ୩୨୧ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ୫ ଲକ୍ଷ ୨୬ ହଜାର ୬୦୭ ଖଣ୍ଡ ଭୋଟ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ସତ୍ୟପ୍ରକାଶ ନାୟକ ମାତ୍ର ୪୪ ହଜାର ୭୩୪ ଖଣ୍ଡ ଭୋଟ ପାଇଥିଲେ।
୨୦୧୪ ନିର୍ବାଚନ ଫଳାଫଳ:
![Puri Lok Sabha Results](https://etvbharatimages.akamaized.net/etvbharat/prod-images/10-05-2024/21368775_new2_percentage.jpg)
୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ବିଜୟ ଲାଭ କରିଥିଲେ । ୨୦୧୪ରେ ପିନାକୀ ୫ ଲକ୍ଷ ୨୩ ହଜାର ୧୬୧ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କର ପ୍ରତିପକ୍ଷ କଂଗ୍ରେସ ପ୍ରାର୍ଥିନୀ ସୁଚରିତା ମହାନ୍ତି ୨ ଲକ୍ଷ ୫୯ ହଜାର ୮୦୦ ଖଣ୍ଡ ଭୋଟ ଏବଂ ବିଜେପିର ଅଶୋକ ସାହୁ ୨ ଲକ୍ଷ ୧୫ ହଜାର ୭୬୩ ଖଣ୍ଡ ଭୋଟ ପାଇଥିଲେ।
୨୦୦୯ ନିର୍ବାଚନ ଫଳାଫଳ:
୨୦୦୯ରେ ପିନାକୀ ମିଶ୍ର ୪ ଲକ୍ଷ ୩୬ ହଜାର ୯୬୧ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିଲେ । କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ନାଥ ମାନସିଂହ ୨ ଲକ୍ଷ ୨୫ ହଜାର ୬୫୬ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପିର ବ୍ରଜକିଶୋର ତ୍ରିପାଠୀ ୨ ଲକ୍ଷ ୯ ହଜାର ୨୮୭ ଖଣ୍ଡ ଭୋଟ ପାଇଥିଲେ।
୨୦୨୪ ନିର୍ବାଚନରେ ବିଜେଡ଼ି ତା'ର ପ୍ରାର୍ଥୀ ବଦଳାଇ ପିନାକୀ ମିଶ୍ରଙ୍କ ବଦଳରେ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିବା ଦେଖିବାକୁ ମିଳିଥିଲା । ଅରୂପ ପଟ୍ଟନାୟକ ୨୦୧୯ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଭାବେ ବିଜେଡି ପକ୍ଷରୁ ଲଢି ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଠାରୁ ପରାସ୍ତ ହୋଇଥିଲେ । ସମ୍ବିତ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ଠାରୁ ମାତ୍ର ୧୧ ହଜାର ୭୧୪ ଖଣ୍ଡ ଭୋଟରେ ହାରିଥିବାରୁ ବିଜେପି ପୁଣି ସମ୍ବିତଙ୍କୁ ଲୋକସଭା ପ୍ରାର୍ଥୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାଓ୍ବାରେ ପୁରୀ ଲୋକସଭା ସିଟ୍ ହାତେଇବାକୁ ସ୍ବପ୍ନ ଦେଖୁଛି । ହେଲେ ଏହି ସ୍ବପ୍ନ ସାକାର ହେଉଛି କି ନାହିଁ ତାହା ଏହି ଜନମତ ସ୍ପଷ୍ଟ କରିବ ।
![Puri Lok Sabha Results](https://etvbharatimages.akamaized.net/etvbharat/prod-images/10-05-2024/21368775_6.jpg)
ଗତ ୨୦୧୯ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ପିନାକୀ ମିଶ୍ର ଏବଂ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ମଧ୍ୟରେ ବେଶ୍ ରୋଚକ ଲଢେଇ ହୋଇଥିଲା । ତେବେ ପୁରୀର ସତ୍ୟବାଦୀ, ପିପିଲି, ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ସମ୍ବିତଙ୍କ ଅପେକ୍ଷା ପିନାକୀ ଅଧିକ ଭୋଟ ହାତେଇ ନିର୍ବାଚନରେ ବାଜିମାତ କରିଥିଲେ । ଏନେଇ ଭିନ୍ନ ମତ ରଖିଥିଲେ ରାଜନୀତି ସମୀକ୍ଷକ ରମେଶ ପ୍ରସାଦ ସିହ୍ନା । ସେ କହିଥିଲେ, "ଏଥର ପୁରୀର ଗଳିକନ୍ଦିରେ ସମସ୍ତେ ସମ୍ବିତଙ୍କ ପ୍ରଶଂସା କରୁଛନ୍ତି । ଗତ ନିର୍ବାଚନରେ ବିଜେପିକୁ ଜିତାଇନଥିବାରୁ ଏଥର ତ୍ରୁଟିକୁ ସୁଧାରିପାରନ୍ତି । ବିଜେପି ଚଳିତ ନିର୍ବାଚନରେ ଏହି ଆସନରେ ବାଜିମାତ କରିପାରେ ।" ସେପଟେ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତିନ କରିଥିଲା । ପୂର୍ବରୁ ପ୍ରାର୍ଥୀ ହୋଇଥିବା ସୁଚରିତା ମହାନ୍ତି ଦଳୀୟ ଫଣ୍ଡିଂ ମିଳୁନଥିବା ଅଭିଯୋଗ କରି ଟିକଟ ଫେରାଇ ଦେଇଥିଲେ । ପରେ ଜୟନରାୟଣ ପଟ୍ଟନାୟକ ଏଠାରୁ ପ୍ରାର୍ଥୀ ହୋଇଥିଲେ । ସେହି ଦୃଷ୍ଟିରୁ ସୁଚରିତାଙ୍କ ସମର୍ଥକ ଜୟନାରାୟଣଙ୍କ ପାଇଁ ଅଡୁଆ ହୋଇପାରନ୍ତି । ହେଲେ ଚଳିତ ଥର ଯେଉଁ ରୋଚକ ଲଢେଇ ହୋଇଛି , ସେଥିରେ କେଉଁ ଦଳର ପଲ୍ଲା ଭାରି ରହିଛି? ପୁରୀବାସୀ କାହା ମୁଣ୍ଡରେ ସୁନାକଳସ ଢାଳିଛନ୍ତି ତାହା ସ୍ପଷ୍ଟ ହେବାକୁ ଯାଉଛି ।
ଇଟିଭି ଭାରତ, ପୁରୀ