ଅନୁଗୋଳ: ଧର୍ମେନ୍ଦ୍ର ପ୍ରଧାନ ଓ ରୁଦ୍ର ନାରାୟଣ ପାଣିଙ୍କ ପାଇଁ ଭୋଟ ମାଗିଲେ ପ୍ରଧାନମନ୍ତ୍ରୀ । ଅନୁଗୋଳରେ ନିର୍ବାଚନୀ ସଭାରେ ଉଭୟ ଢେଙ୍କାନାଳ ଓ ସମ୍ବଲପୁର ଲୋକସଭା ବିଜେପି ପ୍ରାର୍ଥୀଙ୍କ ସମେତ ବିଧାନସଭାରେ ମଧ୍ୟ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ମୋଦି । ନବୀନ ସରକାରକୁ ଭ୍ରଷ୍ଟାଚାର ବୋଲି କହିବା ସହ ଏହାର ପରିଣାମ ଏଥର ଲୋକେ ଦେବେ ବୋଲି ମୋଦି କହିଛନ୍ତି ।
ଅନୁଗୋଳ ନାଲ୍କୋ ଷ୍ଟାଡିୟମରେ ବିଜେପିର ଏହି ବିଜୟ ସଂକଳ୍ପ ସମାବେଶର ଆୟୋଜନ ହୋଇଥିଲା । ଏଠାରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ସମସ୍ତ ସମ୍ପଦ ଓ ସମ୍ଭାବନା ଥିବା ସତ୍ତ୍ବେ ଓଡିଶା ଏତେ ପଛୁଆ କାହିଁକି ? ଓଡିଶାରେ ଯେଉଁ ଗରିବୀ ଦେଖୁଛି, ମତେ ଦୁଃଖ ଲାଗୁଛି । ଏହାର କାରଣ କେବଳ ବିଜେଡି ସରକାର । ପୁରା ଭ୍ରଷ୍ଟାଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଓ କାର୍ଯ୍ୟାଳୟକୁ କବଜାରେ ରଖିଛନ୍ତି । ବିଜେଡିର ଛୋଟମୋଟ ନେତା ବି ଏବେ କୋଟିପତି ହୋଇସାରିଲାଣି । ବିଜେଡି ସରକାରରେ ଜଗନ୍ନାଥ ମନ୍ଦିର ମଧ୍ୟ ସୁରକ୍ଷିତ ନୁହେଁ । ୬ ବର୍ଷ ହେଇଗଲା, ଏପର୍ଯ୍ୟନ୍ତ ରତ୍ନଭଣ୍ଡାରର ଚାବି ମିଳୁନି । ଆପଣଙ୍କୁ ମୋଦି ଗ୍ୟାରେଣ୍ଟି ଦେଇ ଯାଉଛି, ଆପଣ ଏଠାରେ ବିଜେପି ସରକାରକୁ କ୍ଷମତାକୁ ଆଣନ୍ତୁ । ଓଡିଶାର ପୁଅ କିମ୍ବା ଝିଅ ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ତାରିଖ କହି ସାରିଛି, ୧୦ ଜୁନରେ ଓଡିଶାରେ 'ଡବଲ ଇଞ୍ଜିନ' ସରକାରର ଶପଥ ଗ୍ରହଣ ସମାରୋହ ହେବ । ଏକବିଂଶ ଶତାବ୍ଦୀରେ ଓଡିଶାକୁ ଦ୍ରୁତ ବିକାଶମୁଖୀ ସରକାର ଦରକାର । ବିଜେଡି ଏହାକୁ ସଫଳ କରିପାରିବ ନାହିଁ । ମୋଦି ଆହୁରି କହିଛନ୍ତି, "ଚାଷୀ, ଯୁବକଙ୍କ ପାଇଁ ବିଜେପି ସରକାର କାମ କରିବ । ରାଜ୍ୟରେ ପ୍ରଧାନମନ୍ତ୍ରୀ ସେଚନ ଯୋଜନା କାର୍ଯ୍ୟକାରୀ ହେବ । ରାଜ୍ୟର କୃଷକଙ୍କୁ ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ ।"
ଏହା ମଧ୍ୟ ପଢ଼ନ୍ତୁ...ଆଟାକିଂ ମୁଡ୍ରେ ବିଜେପି, କେତେ ପ୍ରଭାବ ପକାଇବ ମୋଦିଙ୍କ ଗସ୍ତ ? - PM Modi visit impacts
ଏହା ବ୍ୟତୀତ ମୋଦି ସରକାର ସମୟରେ DMF ଫଣ୍ଡ ମଧ୍ୟରେ ୨୬ ହଜାର କୋଟି ଟଙ୍କା ଓଡ଼ିଶକୁ ଦିଆ ଯାଇଥିବାବେଳେ ତାକୁ ବାଟମାରଣା କରାଯାଇଥିବା ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି । ମୋଦିଙ୍କ ଗସ୍ତ ପରେ ଜିଲ୍ଲାର ବିଜେପି ନେତା ଓ କର୍ମୀ ବେଶ ଉତ୍ସାହିତ ହୋଇଛନ୍ତି । ଏହି ସଭାରେ ଅନୁଗୋଳ ଜିଲ୍ଲାର ସମସ୍ତ ୫ ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥୀଙ୍କ ସମେତ ଢେଙ୍କାନାଳ ଜିଲ୍ଲାର ୪ ବିଜେପି ବିଧାୟକ ପ୍ରାର୍ଥୀ, ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି, କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ । ସବୁଠାରୁ ବଡ଼ କଥା ହେଉଛି ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ଓଡ଼ିଶା ଆସନ୍ତି, ତାଙ୍କର ପ୍ରମୁଖ ଟାର୍ଗେଟ କଂଗ୍ରେସ ଥାଏ, ହେଲେ ଏଥର ଟାର୍ଗେଟରେ ଥିଲା ବିଜେଡି । କାରଣ ଏତେବଡ଼ ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ କେବଳ ବିଜେଡି ବିରୋଧରେ ଗର୍ଜିଥିବାବେଳେ କଂଗ୍ରେସ ବିପକ୍ଷରେ ପଦୁଟିଏ ବି କହିନଥିଲେ । ତେଣୁ ଓଡ଼ିଶା ଦଖଲ ପାଇଁ ବିଜେପି ଆଟାକିଂ ମୁଡ୍ରେ ଥିବା କୁହାଯାଉଛି ।
ଇଟିଭି ଭାରତ, ଅନୁଗୋଳ