ହାଇଦ୍ରାବାଦ: ଆଜି ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ମୋଟ 21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 102 ଲୋକସଭା ଆସନରେ ମତଦାନ ଜାରି ରହିଛି । ଏହି ପର୍ଯ୍ୟାୟରେ ତାମିଲନାଡୁର ସମସ୍ତ 39 ଆସନରେ ଏକକାଳୀନ ଭୋଟ ଗ୍ରହଣ କରାଯାଉଛି । ବୁଧବାର ସଂଧ୍ୟାରେଠାରୁ ଏହି ସବୁ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଶେଷ ହେବା ସହ 48 ଘଣ୍ଟିଆ ସାଇଲେନ୍ସ ପରିୟଡ ଘୋଷଣା କରାଯାଇଥିଲା । ବଭିନ୍ନ ଦଳର ଷ୍ଟାର ପ୍ରଚାରକ ଓ ପର୍ଯ୍ୟବେକ୍ଷକମାନେ ନିର୍ବାଚନ ମଣ୍ଡଳୀ ଛାଡିଥିଲେ । ଆଜି ସକାଳୁ ପ୍ରଥମେ ମକଭୋଟିଂ ପ୍ରକ୍ରିୟା ଶେଷ ହେବା ପରେ ସାଧାରଣ ମତଦାନ ପ୍ରକ୍ରିୟା ଜାରି ରହିଛି । ସଂଧ୍ୟାରେ ଭୋଟ ଗ୍ରହଣ ଶେଷ ହେବା ପରେ କଡା ସୁରକ୍ଷା ମଧ୍ୟରେ ଇଭିଏମ ଓ ଭିଭିପାଟକୁ ନିର୍ଦ୍ଧାରିତ ଷ୍ଟ୍ରଙ୍ଗରୁମରେ ରଖାଯିବ ।
ମୈଦାନରେ 8 କେନ୍ଦ୍ରମନ୍ତ୍ରୀ, ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳ:-
ମୋଟ 7ପର୍ଯ୍ୟାୟ ମଧ୍ୟରୁ ଏହି ପ୍ରଥମ ପର୍ଯ୍ୟାୟରେ ସର୍ବାଧିକ 102 ଆସନରେ ଭୋଟିଂ ହେବାକୁ ଯାଉଛି । ଏଥିରେ 8 କେନ୍ଦ୍ରମନ୍ତ୍ରୀ, ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ନାଗପୁରରୁ ଶକ୍ତି ପରୀକ୍ଷା ଦେଉଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ତଥା ଉତ୍ତର-ପୂର୍ବର ଜଣାଶୁଣା ବିଜେପି ଚେହେରା କିରଣ ରିଜଜୁ ଅରୁଣାଚଳ ପ୍ରଦେଶ-ପଶ୍ଚିମ ଆସନରେ ଲଢୁଛନ୍ତି । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅରୁଣାଚଳ ପ୍ରଦେଶ କଂଗ୍ରେସ ସଭାପତି ନବାମ ଟୁକିଙ୍କୁ ମୁକାବିଲା କରୁଛନ୍ତି । ଆସାମ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ମଧ୍ୟ ମୈଦାନରେ ରହିଛନ୍ତି । କେନ୍ଦ୍ର ତୈଳ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲିଙ୍କୁ ଟିକେଟ ନମିଳିବା ପରେ ଦିବ୍ରୁଗଡ ଆସନରୁ ସର୍ବାନନ୍ଦ ସୋନଓ୍ବାଲ ଲୋକସଭା ନିର୍ବାଚନ ଲଢୁଛନ୍ତି ।
![ପ୍ରଥମ ପର୍ଯ୍ୟାୟ ଲଢେଇ](https://etvbharatimages.akamaized.net/etvbharat/prod-images/19-04-2024/21251387_2.png)
ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ, କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ ପ୍ରମୁଖ ମଧ୍ୟ ମୈଦାନରେ ରହିଛନ୍ତି । ସେହିପରି ଦକ୍ଷିଣ ରାଜ୍ୟ ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ 39 ସଂସଦୀୟ ଆସନରେ ନିର୍ବାଚନ ହେଉଥିବା ବେଳେ ପୂର୍ବତନ ରାଜ୍ୟପାଳ ତାମିଲସାହି ସୁନ୍ଦରରାଜନ ମୈଦାନରେ ରହିଛନ୍ତି । ଟିକେଟ ଘୋଷଣା ହେବାର ଦୁଇଦିନ ପୂର୍ବରୁ ସେ ତେଲେଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ତେବେ ତାମିଲନାଡୁରେ ବିଜେପିର ଜଣେ ମାତ୍ର ସାଂସଦ ନାହାନ୍ତି । ମୋଟ 39 ଆସନରୁ ରାଜ୍ୟରେ ଶାସନରେ ଥିବା ଷ୍ଟାଲିନଙ୍କ ‘ଡିଏମକେ’ ନିକଟରେ 24 ଆସନ ଥିବା ବେଳେ ଅବଶିଷ୍ଟ 9 ଆସନ କଂଗ୍ରେସ ଖାତାରେ ରହିଛି । ଚଳିତଥର ବିଜେପି ଦକ୍ଷିଣରେ ମଧ୍ୟ ନିଜର ପ୍ରତିନିଧିତ୍ବର ଛାପ ଛାଡିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି ।
![ପ୍ରଥମ ପର୍ଯ୍ୟାୟ ଲଢେଇ](https://etvbharatimages.akamaized.net/etvbharat/prod-images/19-04-2024/21251387_4.png)
ରାଜ୍ୟର ମୋଟ ଆସନ/ ଚଳିତ ପର୍ଯ୍ୟାୟ ଭୋଟିଂ
1) ଅରୁଣାଚଳ ପ୍ରଦେଶ: 2/2
2) ଆସାମ: 14/ 5
3) ବିହାର: 40/4
4) ଛତିଶଗଡ: 11/ 1
5) ମଧ୍ୟପ୍ରଦେଶ: 29/6
6) ମହାରାଷ୍ଟ୍ର: 48/5
7) ମଣିପୁର: 2/2
8) ମେଘାଳୟ: 2/2
9) ମିଜୋରାମ: 1/1
10) ନାଗାଲାଣ୍ଡ: 1/1
11) ରାଜସ୍ଥାନ: 25/12
12) ସିକ୍କିମ୍: 1/1
13) ତାମିଲନାଡୁ: 39/39
14) ତ୍ରିପୁରା: 2/1
5) ଉତ୍ତର ପ୍ରଦେଶ: 80/8
16) ଉତ୍ତରାଖଣ୍ଡ: 5/5
17) ପଶ୍ଚିମବଙ୍ଗ: 42/3
18) ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ: 1/1
19) ଜାମ୍ମୁ କାଶ୍ମୀର: 5/1
20) ଲକ୍ଷ୍ମୀଦୀପ: 1/1
21) ପୁଡୁଚେରୀ: 1/1
ଆସନ ସଂରକ୍ଷଣ ଅନୁପାତ:-
ମୋଟ 102 ଆସନ ମଧ୍ୟରେ 73 ଅଣସଂରକ୍ଷିତ ଆସନ ରହିଛି । ଏଥିରେ ସାଧାରଣ ବର୍ଗର ପ୍ରାର୍ଥୀମାନେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । 18ଟିରେ ଅନୁସୂଚିତ ଜାତି ଓ ଅବଶିଷ୍ଟ 11 ଆସନରେ ସଂରକ୍ଷଣ ବ୍ୟବସ୍ଥା ଅନୁସାରେ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ସେହିପରି ବିଭିନ୍ନ ଦଳ ଓ ସ୍ବାଧୀନ ଭାବେ ମୋଟ 3,107 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ବିଭିନ୍ନ କାରଣରୁ 863 ପ୍ରାର୍ଥୀଙ୍କ ନାମଙ୍କନ ଖାରଜ କରି ଦିଆଯାଇଥିଲା । ଅବଶିଷ୍ଟ 2,117 ପ୍ରାର୍ଥୀଙ୍କୁ ବୈଧ ଭାବେ ଗ୍ରହଣ କରାଯାଇଥିଲା । 130 ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଥିଲେ । ଏବେ ମୈଦାନରେ ମୋଟ 1625 ପ୍ରାର୍ଥୀ ରହିଛନ୍ତି । ସେମାନଙ୍କ ମଧ୍ୟରେ 1490 ପୁରୁଷ ଓ 135 ଆସନରେ ମହିଳା ପ୍ରାର୍ଥୀ ରହିଛନ୍ତି ।
![ପ୍ରଥମ ପର୍ଯ୍ୟାୟ ଲଢେଇ](https://etvbharatimages.akamaized.net/etvbharat/prod-images/19-04-2024/21251387_3.png)
ମୈଦାନରେ 890 ସ୍ବାଧୀନ ପ୍ରାର୍ଥୀ:-
ବିଭିନ୍ନ ଜାତୀୟ ଦଳ ଓ ଆଞ୍ଚଳିକ ଦଳକୁ ମିଶାଇ ମୋଟ 194 ରାଜନୈତିକ ଦଳ ବିଭିନ୍ନ ରାଜ୍ୟର ଆସନରେ ପ୍ରାର୍ଥୀ ଦେଇଛନ୍ତି । ସେହିପରି ନିର୍ଦ୍ଦଳୀୟ ଭାବେ ମଧ୍ୟ 890 ନିର୍ବାଚନ ଲଢୁଛନ୍ତି । ଆସନ ଓ୍ବାରୀ ଦେଖିବାକୁ ଗଲେ ତାମିଲନାଡୁର କରୁରୁ ଆସନରେ ସର୍ବାଧିକ 54 ପ୍ରାର୍ଥୀ ଥିବା ବେଳେ ଉତ୍ତର-ପୂର୍ବ ଆସନ ଦିବୃଗଡ ଓ ନାଗାଲାଣ୍ଡରେ ସର୍ବନିମ୍ନ 3 ଲେଖାଏଁ ପ୍ରାର୍ଥୀ ରହିଛନ୍ତି ।
![ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ ଲଢେଇ](https://etvbharatimages.akamaized.net/etvbharat/prod-images/19-04-2024/21251387_1.png)
ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଦଳର ପ୍ରମୁଖ ଚେହେରା: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଜିତେନ୍ଦ୍ର ସିଂ, ଚିରାଗ ପାସୱାନ, ମଧ୍ୟ ପ୍ରଦେଶର ଏକମାତ୍ର କଂଗ୍ରେସ ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ନକୁଳନାଥ, ବିଜେପି ତମିଲନାଡୁ ସଭାପତି କେ.ଅନ୍ନାମଲାଇ, ଏଲ.ମୁରୁଗନ, ପୂର୍ବତନ ରାଜ୍ୟପାଳ ଡା. ତାମିଲସାଇ ସୁନ୍ଦରାରାଜନ, ରାଧାକ୍ରିଷ୍ଣନ୍, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଭଉଣୀ କାନିମୋଝି କରୁଣାନିଧି, ଯିତେନ ପ୍ରସାଦ ପ୍ରମୁଖ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ