କେନ୍ଦ୍ରାପଡା: ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ମିଶନଶକ୍ତି’କୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି । ମିଶନର ମହିଳା କାର୍ଯ୍ୟକର୍ତ୍ତାମାନେ ଅନ୍ୟ ସଦସ୍ୟାମାନଙ୍କୁ ଶାସକ ଦଳ ବିଜେଡିକୁ ଯୋଡିଶଙ୍ଖରେ ଭୋଟ ଦେବା ପାଇଁ ଶପଥ କରାଯାଉଥିବା ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି । ଏହା ସହ ଦଳ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆଣିଛି । ଆଜି କେନ୍ଦ୍ରାପଡରେ ପ୍ରେସମିଟ କରି ଦଳର ମହିଳା ମୋର୍ଚ୍ଚା ସଦସ୍ୟାମାନେ ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି । ରାଜ୍ୟରେ ‘ମିଶନଶକ୍ତି’ ମାଧ୍ୟମରେ ମହିଳାଙ୍କୁ ନେଇ ରାଜନୀତି ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଆଜି (ମଙ୍ଗଳବାର) କେନ୍ଦ୍ରାପଡ଼ା ଜିଲ୍ଲାର ଗରାପୁର ସ୍ଥିତ ସ୍ଵୟଂସିଦ୍ଧା ହୋଟେଲରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା ମୋର୍ଚ୍ଚାର ଉପ ସଭାନେତ୍ରୀ ପ୍ରୀତି ପ୍ରତିଭା ଭୋଳ ଜିଲ୍ଲା ମହିଳା ମୋର୍ଚ୍ଚାର ସଭାପତି ପ୍ରିୟଦର୍ଶିନୀ ନନ୍ଦ ଓ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଲୋକସଭା ମହିଳା ମୋର୍ଚ୍ଚା ପ୍ରଭାରୀ ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ଉପସ୍ଥିତିରେ ଆୟୋଜନ କରାଯାଇଥିଲା ।
ଏହି ସମ୍ମିଳନୀରେ ପ୍ରୀତି ପ୍ରତିଭା ଭୋଳ କହିଥିଲେ,‘‘ ଓଡ଼ିଶାର ମୁଖ୍ୟ ପରିଚୟ ଏହାର ଐତିହ୍ୟ ଓ ସଂସ୍କୃତି । ଯାହାକୁ ଆଧାର କରି ଆମ ରାଜ୍ୟର ବିକାଶ ଦିଗରେ ଲକ୍ଷ୍ୟ ରଖିଛନ୍ତି ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର ଅସ୍ମିତାକୁ ଆଖି ଆଗରେ ରଖି G20 ସମ୍ମିଳନୀରେ କୋଣାର୍କ ଚକ୍ରର ଚିହ୍ନ ଓ ପାଇକ ବିଦ୍ରୋହର ଘଟଣାକୁ ରୂପାୟନ କରିବା ପ୍ରଧାନମନ୍ତ୍ରୀଙ୍କର ଓଡିଶାକୁ ପ୍ରାଧାନ୍ୟ ଦେବାର ଉଦ୍ଦେଶ୍ୟ ସ୍ପଷ୍ଟ ପରିଲକ୍ଷିତ ହୁଏ । ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ବିକଶିତ ଭାରତର ସୂର୍ଯ୍ୟଦୋୟ ହେଉ ଓ କେନ୍ଦ୍ରାପଡା ଏହାର ମଙ୍ଗୁଆଳ ସାଜୁ ବୋଲି କହିଥିଲେ । ସେହିପରି ସେ ମହିଳା ଗୋଷ୍ଠୀ ଦ୍ବାରା ଶାସକ ବିଜେଡି ଭୋଟ ହାତେଇବା ପାଇଁ ପ୍ରୟାସ କରିବା ଅତି ନିନ୍ଦନୀୟ ବୋଲି କହିଥିଲେ ।
ଇଟିଭି ଭାରତ,କେନ୍ଦ୍ରାପଡା