ଭୁବନେଶ୍ବର: ରାଜ୍ୟରେ ସରିଲା ଚତୁର୍ଥ ପର୍ଯ୍ୟାୟ ଶେଷ ପର୍ଯ୍ୟାୟ ନିର୍ବାଚନ । ସଂଧ୍ୟା 5ଟା ସୁଦ୍ଧା ରାଜ୍ୟରେ 62.46% ମତଦାନ । ଆଜି ପ୍ରାୟ ସବୁ ସ୍ଥାନରେ ଉତ୍ସାହ ଜନକ ମତଦାନ ରେକର୍ଡ ହୋଇଛି । ୬ଟି ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ୬ଟି ଲୋକସଭା କ୍ଷେତ୍ର ଭଦ୍ରକ, ବାଲେଶ୍ଵର, ଜଗତସିଂପୁର, ଯାଜପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରେ ମତାଧିକାର ସାବ୍ୟସ୍ତ କରିଛନ୍ତି ମତଦାତା । ତେବେ କିଛି କିଛି ସ୍ଥାନରେ ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିଥିଲା । ଯେଉଁଠି ଇଭିଏମ ତ୍ରୁଟି ଥିଲା, ତାହା ଠିକ୍ କରାଯାଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ନିର୍ବାଚନ ଘୋଷଣା ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ 285 ଅସ୍ତ୍ରଶସ୍ତ୍ର ଜବତ ହୋଇଛି । 14 ହଜାର 762ଟି ବନ୍ଧୁକ ଡିପୋଜିଟ ହୋଇଛି । ବିଭିନ୍ନ ରାଜନୈତିକ ଦଳ ଠାରୁ 1755 ଟି ଅଭିଯୋଗ ଆସିଥିଲା । 2019ରେ 327 ଏବଂ 2024ରେ 124ଟି ହିଂସା ହୋଇଛି । ମୋଟ 37 ହଜାର 898ରୁ ଅଧିକ ବୁଥ । 4687 ସଖୀ ବୁଥର ବ୍ୟବସ୍ଥା କରାଯାଇଛି । ସେହିପରି 19ଟି ବୁଥରେ ମତଦାନ ବର୍ଜନ ହୋଇଛି । 2 ଲକ୍ଷ 50 ହଜାରରୁ ଅଧିକ ପୋଲିଂ ଅଫିସର ନିଯୁକ୍ତି ହୋଇଛନ୍ତି । ମୋଟ 1063ଟି ଅଭିଯୋଗ ଆସିଛି ।
ସେହିପରି 1 ଲକ୍ଷ 47 ହଜାର ପୋଷ୍ଟାଲ ବ୍ୟାଲେଟ ଭୋଟ ମିଳିଛି । 75 % ମତଦାନ ପାଇଁ ଲକ୍ଷ୍ୟ ରଖାଯାଇଥିଲା । 280 କୋଟି ଟଙ୍କାର ସିଜର ଜବତ ହୋଇଛି । 15 ହଜାର 60 ଅଭିଯୋଗ ସିଭିଜିଲ ମାଧ୍ୟମରେ ଆସିଥିଲା । ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମତଦାନ ହାର ଅଧିକ ହୋଇଛି । ସେପଟେ ଶାନ୍ତିପୂର୍ଣ୍ଣ ନିର୍ବାଚନରେ ପରିଚାଳନାରେ ସାଧାରଣ ଜନତାଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ନିର୍ବାଚନକୁ ନିରପେକ୍ଷ ସହିତ CEOଙ୍କ ଅଫିସ ନିର୍ବାହ କରିଛି । CRPF ଠାରୁ ଆରମ୍ଭ କରି ଗ୍ରାମରକ୍ଷୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।ଏହାସହ ଗଣମାଧ୍ୟମର ଭୂମିକା ବହୁତ ଗୁରୁତ୍ୱ ପୂର୍ଣ୍ଣ କହି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯେଉଁମାନେ 6ଟା ପୂର୍ବରୁ ମତଦାନ କେନ୍ଦ୍ରରେ ଲାଇନରେ ଥିଲେ ସେମାନେ ବିଳମ୍ବ ହେଲେ ମଧ୍ୟ ଭୋଟ ଦେଇଥିଲେ ।
କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ସାଲେପୁର ବିଧାନସଭା ମଣ୍ଡଳୀରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିବାର ଅଭିଯୋଗ ଆସିଥିଲା । ହେଲେ ନିର୍ବାଚନ ଅଧିକାରୀ ଏହାକୁ ଏଡାଇ ଯାଇଥିଲେ । ଚଳିତ ନିର୍ବାଚନରେ 21ଟି ସଂସଦୀୟ କ୍ଷେତ୍ରରେ 147ଟି ନିର୍ବାଚନ ମଣ୍ଡଳୀରେ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁ ଏବଂ କଣ୍ଟାବାଞ୍ଜିରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ୁଥିଲେ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡିର ପ୍ରଣବ ପ୍ରକାଶ ଦାଶ ବିଜେପିର ଅପରାଜିତା ଷଡଙ୍ଗୀ, ବିଜେଡ଼ିର ସଂତୃପ୍ତ ମିଶ୍ର, ଭର୍ତ୍ତୃହରି ମହତାବ, କଂଗ୍ରେସର ଶ୍ରୀକାନ୍ତ ଜେନା, ସପ୍ତଗିରି ଉଲାକା ପ୍ରାର୍ଥୀ ହୋଇଥିଲେ । ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ବାଚନ ଲଢୁଥିଲେ । ଜୁନ 4 ତାରିଖରେ ଫଳାଫଳ ଘୋଷଣା ହେବ ।
ଇଟିଭି ଭାରତ, ଭୁବନେଶ୍ବର