ଭୁବନେଶ୍ବର: ଆଜି ରାଜ୍ୟରେ ଚାଲିଥିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ । ତେବେ ମତଦାନ ପରେ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡଃ ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଯେଉଁଥିରେ ତୃତୀୟ ପର୍ଯ୍ୟାୟ ମତଦାନ ପରେ ରାଜ୍ୟରେ ବିଜେଡି ସରକାର ହେଉଛି ବୋଲି ସେ କହିଛନ୍ତି । ଏହାଛଡା ଓଡିଶା ବିଜେପି ବଡ଼ ଧରଣର ପରାଜୟ ଆଡ଼କୁ ଗତି କରୁଛି ବୋଲି ସେ ମତ ପ୍ରକାଶ କରିଛନ୍ତି ।
ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ଯେ, ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ତୃତୀୟ ପର୍ଯ୍ୟାୟ ଶେଷରେ ବିନମ୍ରତାର ସହ କହିବାକୁ ଚାହୁଁଛୁ ଯେ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ଓଡ଼ିଶାରେ ସରକାର ଗଠନ କରୁଛି । ଗ୍ରାଉଣ୍ଡରୁ ଆସୁଥିବା ସୂଚନା ଅନୁସାରେ ବିଜେଡି ଓଡ଼ିଶାରେ ସରକାର ଗଢୁଛି । ଭୋଟର ମାନେ ଆମକୁ ବହୁଳ ମାତ୍ରାରେ ସମର୍ଥନ କରିଛନ୍ତି । ସମ୍ୱଲପୁର, ପୁରୀ, ଭୁବନେଶ୍ୱର, କଟକ, କେନ୍ଦୁଝର ଓ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀର ଭୋଟର ଭାଇ ଭଉଣୀମାନେ ଆଶୀର୍ବାଦ କରିଛନ୍ତି । ବିଜେଡିକୁ ନିରନ୍ତର ସମର୍ଥନ ପାଇଁ ସେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ପ୍ରଥମ ଦୁଇ ପର୍ଯ୍ୟାୟର ସମସ୍ତ ଭୋଟର ଭାଇ ଭଉଣୀଙ୍କୁ ସେମାନଙ୍କ ସମର୍ଥନ ଓ ଆଶୀର୍ବାଦ ପାଇଁ ମଧ୍ୟ ଧନ୍ୟବାଦ ଜଣାଉଛନ୍ତି । ତୃତୀୟ ପର୍ଯ୍ୟାୟ ପରେ ବିଜେଡି ସରକାର ଗଢ଼ିବା ନିଶ୍ଚିତ ହୋଇଥିବା ବେଳେ ଓଡ଼ିଶା ବିଜେପି ବଡ଼ ଧରଣର ପରାଜୟ ଆଡ଼କୁ ଗତି କରୁଛି ବୋଲି ସେ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.. ତୃତୀୟ ପର୍ଯ୍ୟାୟ ଭୋଟ, ନିଜ ଅଞ୍ଚଳରେ ଭୋଟ ଦେଲେ ପ୍ରାର୍ଥୀ - Voting In Angul
ଆଗକୁ ଚତୁର୍ଥ ପର୍ଯ୍ୟାୟର ନିର୍ବାଚନ ଅଛି । ପ୍ରଥମ ତିନି ପର୍ଯ୍ୟାୟ ପରି ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ଆମକୁ ସମର୍ଥନ ମିଳିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥର ସରକାର ଗଠନ କରିବେ ବୋଲି ତାଙ୍କର ବିଶ୍ଵାସଥିବା ବେଳେ ଓଡିଶାବାସୀଙ୍କ ସେବାରେ ବିଜୁ ଜନତା ଦଳ ନିୟୋଜିତ ଥିବା ସସ୍ମିତ କହିଛନ୍ତି । ତେବେ ଆଜି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଇଭିଏମ୍ ଭାଙ୍ଗିବା ଭଳି ଘଟଣାରେ ବିଜେପି ନେତା ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅଟକ ରଖିଛି ପୋଲିସ । ସେହି ଘଟଣାକୁ ନେଇ ସସ୍ମିତ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ଗୁଣ୍ଡାରାଜର ଚେହେରା ଆଜି ବୋଲଗଡ଼ରେ ଦେଖାଦେଇଛି । ଅନ୍ୟପଟେ ଭୁବନେଶ୍ବରର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ବୋଲଗଡ଼ରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଫେରାର କରିନେଉଥିବା ବେଳେ ପୋଲିସ ତାଙ୍କୁ ଧରିଥିବା ସସ୍ମିତ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର