କଟକ: ଆସନ୍ତାକାଲି(ବୁଧବାର) ପୁଣିଥରେ ଓଡ଼ିଶା ଆସିବେ ଅମିତ ଶାହ । ନିର୍ବାଚନୀ ପ୍ରଚାର ଅଭିଯାନ ପରିପ୍ରେକ୍ଷୀରେ କାଲି କଟକଠାରେ ଗୃହମନ୍ତ୍ରୀ ଶାହା ମେଗା ରୋଡ ସୋ' କରିବେ । ଅପରାହ୍ନ ୪ଟାରୁ ସହରର ଗୋପବନ୍ଧୁ ପାର୍କଠାରୁ ରୋଡ ସୋ' ଆରମ୍ଭ କରି ପ୍ରତ୍ୟେକ ବଡ ବଡ ଛକ ଯେପରିକି- ବକ୍ସି ବଜାର, ଦରଘା ବଜାର, ତିନି କୋଣିଆ ବଗିଚା ଚୌଧୁରୀ ବଜାର, ଶେଖ୍ ବଜାର ଦେଇ ଚଣ୍ଡୀ ମନ୍ଦିର ପାଖରେ ପହଞ୍ଚିବେ । ଏନେଇ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ସୂଚନା ଦେଇଛନ୍ତି ।
ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାରେ କଟକରେ ଲୋକସଭା ଓ ବିଧାନସଭା ଆସନରେ ମତଦାନ ହେବ । ଏହାପୂର୍ବରୁ ଗୃହମନ୍ତ୍ରୀ ଶାହଙ୍କ ବିଶାଳ ରୋଡ ସୋ' ଦଳୀୟ ପ୍ରାର୍ଥୀଙ୍କ ପାଇଁ ବେଶ୍ ଲାଭଦାୟକ ହେବ ବୋଲି କହିଛନ୍ତି ନଗର ସଭାପତି । ଆସନ୍ତାକାଲି ଅପରାହ୍ନରେ ଶାହ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ବାଲିଯାତ୍ରା ଉପର ପଡିଆରେ ଓହ୍ଲାଇବେ । ଏହାପରେ ବକ୍ସି ବଜାରର ଗୋପବନ୍ଧୁ ପାର୍କ ରୋଡ ସୋ ଆରମ୍ଭ କରିବେ । ଏଥିପାଇଁ ବିଜେପି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେପଟେ ଆସନ୍ତାକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଓଡ଼ିଶା ଆସି ବଲାଙ୍ଗୀରରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।
ନିର୍ବାଚନକୁ ଆଉ ହାତ ଗଣତି ଦିନ ରହିଛି । ତେଣୁ ବିଜେପି କଟକରେ ଉଭୟ ଆସନରେ ବାଜି ମାତ କରିବା ନେଇ ବଡ ରଣନୀତି ସହ ମଇଦାନକୁ ଓହ୍ଲାଇଛି । ଏହି ପରିପ୍ରେକ୍ଷୀରେ ଅମିତ ଶାହଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦି କଟକ ଆସି ଧୂଆଁଧାର ପ୍ରଚାର କରିବେ ।
ଚଳିତ ନିର୍ବାଚନରେ ଓଡ଼ିଶାକୁ ଘନ ଘନ ଗସ୍ତ କରୁଛନ୍ତି ବିଜେପିର କେନ୍ଦ୍ରୀୟ ନେତା । ଗତ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ମେଗା ରୋଡ ସୋ କରିଥିବା ବେଳେ ଆସନ୍ତା ୨୦ ତାରିଖରେ ପୁଣିଥରେ ପୁରୀରେ ରୋଡ ସୋ ଏବଂ କଟକରେ ଏକ ବିଶାଳ ସମାବେଶ କରିବା କରିବାର ସୂଚନା ରହିଛି । ସେହିପରି ଶାହାଙ୍କ ପରେ ୧୭ ତାରିଖରେ ପ୍ରଚାର ପାଇଁ ଜେପି ନଡ୍ଡା ପୁଣିଥରେ ଓଡ଼ିଶା ଗସ୍ତ କରିବେ ।
ଇଟିଭି ଭାରତ, କଟକ