ଭୁବନେଶ୍ବର: ସାଧାରଣ ନିର୍ବାଚନ 2024 ପାଇଁ ବିଗୁଲ ବାଜି ସାରିଛି । ମେ 13, 20, 25 ଓ ଜୁନ 1ରେ ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବା ନେଇ ଭାରତୀୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ନିର୍ବାଚନର ଯଥେଷ୍ଟ ପୂର୍ବରୁ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଏନେଇ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଯଥା ସମ୍ଭବ ବିଭିନ୍ନ ବର୍ଗଙ୍କୁ ଖୁସି କରିବାକୁ ଚେଷ୍ଟା କରିଛି ବିଜେଡି ସରକାର । ନିର୍ବାଚନ ପାଇଁ 9ଟି ଗ୍ୟାରେଣ୍ଟି ମଧ୍ୟ ଘୋଷଣା କରିଛି କଂଗ୍ରେସ । ସରକାରକୁ ଆସିଲେ ଦଳ ଓଡ଼ିଶାବାସୀଙ୍କ ପାଇଁ କଣ ସବୁ ଯୋଜନା କରିବ, ସେନେଇ 9ଟି ଗ୍ୟାରେଣ୍ଟି ଓ 90 ସଂକଳ୍ପ ଘୋଷଣା କରିଛି । ଏନେଇ ଲକ୍ଷାଧିକ ଓଡ଼ିଶାବାସୀଙ୍କ ସମର୍ଥନ ଦଳକୁ ମିଳିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଓଡ଼ିଶା କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ।
ଅମୀୟ ପଟ୍ଟନାୟକ କହିଛନ୍ତି, "କଂଗ୍ରେସ ନିର୍ବାଚନୀ ଇସ୍ତାହାର ଆସିବା ପରେ ଲକ୍ଷାଧିକ ଲୋକଙ୍କ ସମର୍ଥନ ଦଳକୁ ମିଳିଛି । 25 ବର୍ଷ ତଳେ ବିଜେଡି ସରକାର ଚାଷୀଙ୍କୁ ଯାହା ପ୍ରତିଶୃତି ଦେଇଥିଲା, ତାହା ପୂରଣ କରିନାହିଁ । ଧାନ ବୋନସ୍, ଶୀତଳ ଭଣ୍ଡାର, ମାଗଣା ବିଜୁଳି, ଚାଷୀ ଆୟ ଦୁଇଗୁଣା କରିବା, ଚାଷୀଙ୍କ ପ୍ରଗତି ଭଳି ପ୍ରତିଶୃତି ଦେଇଥିଲା ବିଜେଡି । ଏହା ପ୍ରତାରଣାରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଚାଷୀଙ୍କ ପାଇଁ କୃଷି ବୀମା, କୃଷି ସିଞ୍ଚାଇ ଯୋଜନା, ମୃତ୍ତିକା ସୁରକ୍ଷା, ଏମ୍ଏସ୍ପି ବୃଦ୍ଧି କରିବାକୁ କହିଥିଲେ । ହେଲେ କେନ୍ଦ୍ର ସରକାର ମଧ୍ୟ ଆଖିଦୃଶିଆ ପଦକ୍ଷପ ନେଇନାହାନ୍ତି । ତେଣୁ ଉଭୟ ସରକାରଙ୍କ ବିରୋଧରେ ପରିବର୍ତ୍ତନ ସ୍ବର ଉଠିଲାଣି । କଂଗ୍ରେସ ଶାସନକୁ ଆସିବା ପରେ କୃଷି ଋଣ ଛାଡ ହେବ, ଚାଷୀଙ୍କୁ 2000 ଟଙ୍କା ପେନସନ୍ ଦେବ, ଖରିଫରେ 75 ଭାଗ ଓ ରବିରେ 25 ପ୍ରତିଶତ ଜଳସେଚନ କରାଯିବ, ନୂତନ ଶୀତଳ ଭଣ୍ଡାର କରାଯିବ, କୃଷି ବିଶ୍ଵବିଦ୍ୟାଳୟ କରାଯିବ, ସୋଲାର ପମ୍ପରେ 90 ପ୍ରତିଶତ ରିହାତି ବ୍ୟବସ୍ଥା କରାଯିବ, ପ୍ରତି ଗାଁରେ ବଡ଼ ପୋଖରୀ କରାଯିବ, ଗୋଶାଳା ନିର୍ମାଣ କରାଯିବ, ଦୁଗ୍ଧ ଉତ୍ପାଦନକାରୀମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ।" କଂଗ୍ରେସ ଗ୍ୟାରେଣ୍ଟି ମୋଦି ଗ୍ୟାରେଣ୍ଟି ଭଳି ନୁହେଁ । ମୋଦିଙ୍କ ଗ୍ୟାରେଣ୍ଟି ମିଛ ଗ୍ୟାରେଣ୍ଟି ବୋଲି ଅଭିଯୋଗ କରିଛନ୍ତି କିଷାନ କଂଗ୍ରେସ ଅଧ୍ୟକ୍ଷ ।
ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନୀ ଇସ୍ତାହାର; ୯ ଗ୍ୟାରେଣ୍ଟି ଦେଲା କଂଗ୍ରେସ
ପ୍ରକାଶ ଥାଉ, ଆଜି ଦେଶରେ ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷମା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ଏହା ସହିତ ଆଜିଠାରୁ ଦେଶରେ ଲାଗିଛି ଆଦର୍ଶ ଆଚରଣ ବିଧି । ଦେଶରେ 7ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାରେ 4ଟି ପର୍ଯ୍ୟାୟରେ ବିଧାନସଭା ସମେତ ଲୋକସଭା ନିର୍ବାଚନ ହେବ । ମେ 13, 20, 25 ଓ ଜୁନ 1ରେ ଏହି ନିର୍ବାଚନ ହେବାନେଇ ଆୟୋଗ ଘୋଷଣା କରିଛନ୍ତି । ଏହାପରେ ନିଜ ନିଜ ସରକାରର ଜନକଲ୍ୟାଣକାରୀ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବାକୁ ବିଜେଡି ଓ ବିଜେପି ପ୍ରସ୍ତୁତ ହେଉଥିବାବେଳେ 9 ଗ୍ୟାରେଣ୍ଟି ଓ 90 ସଂକଳ୍ପ ଧରି ମୈଦାନକୁ ଓହ୍ଲାଇଛି କଂଗ୍ରେସ ।
ଇଟିଭି ଭାରତ, ଭୁବନେଶ୍ବର