ବାଲେଶ୍ବର: ବାଲେଶ୍ବର ଲୋକସେବା କ୍ଷେତ୍ରରୁ ପ୍ରତାପ ଷଡଙ୍ଗୀଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ପ୍ରଦାନ କରିଛି ବିଜେପି । ତେବେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଆଶାୟୀ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । ସେ ବାଲେଶ୍ବରରୁ ସ୍ବାଧୀନ ଭାବେ ଲଢିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଏହାସହ ସେ ନିଜକୁ ଅସଲି ବିଜେପି ବୋଲି କହି ପ୍ରତାପ ନନାଙ୍କୁ ତେରଚ୍ଛା ବାଣ ମାରିଛନ୍ତି ।
ସ୍ବାଧୀନ ଭାବେ ଲଢିବି: ଆଜି ସେ ଏକ ସାମ୍ବାଦିକ ସମ୍ମିଳୀନ କରି କହିଛନ୍ତି, "ମୁଁ ସ୍ବାଧୀନ ଭାବେ ଲଢିବି । ଏମିତି କି ଲୋକମାନେ ଚଳିତ ନିର୍ବାଚନରେ ପ୍ରତାପ ଷଡଙ୍ଗୀକୁ ଗ୍ରହଣ ନକରି କେବଳ ଖାରବେଳକୁ ଗ୍ରହଣ କରିବେ । ଏହା ମୋର ଦୃଢୋକ୍ତି । ମୁଁ କୌଣସି ବେଆଇନ କାର୍ଯ୍ୟ କିମ୍ବା କୌଣସି ପ୍ରକାର ଦୁର୍ନୀତିରେ ସମ୍ପୃକ୍ତ ନାହିଁ । 5 ଥର ବିଜେପି ଟିକେଟ ନେଇ ନିର୍ବାଚନ ଲଢି ଆସିଛି । ଏଥର ନିର୍ବାଚନରେ ଦଳ ଆସ୍ଥା ପ୍ରକଟ ନ କରିବା ପଛରେ କିଛି କୁଚକ୍ରୀ ରହିଛନ୍ତି । ଦଳ ଚଳିତ ଥର ମୋତେ ଟିକେଟ ଦେଇ ନାହିଁ ତେଣୁ ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବା ସହ ବହୁଳ ସଂଖ୍ୟାରେ ଜିତିବି । "
ଏହା ମଧ୍ୟ ପଢନ୍ତୁ: ଏକାକି ଲଢିବୁ,ପୂର୍ଣ୍ଣ ବହୁମତ ହାସଲ କରିବୁ: ପ୍ରତାପ ନନା
ବିଜେପି ପାଇଁ ହିଁ ପ୍ରଚାର କରିବି: ସ୍ବାଧୀନ ଭାବେ ଲଢିଲେ ହେଁ ବିଜେପି ପାଇଁ ହିଁ ପ୍ରଚାର କରିବି ବୋଲି ସେ କହିଛନ୍ତି । ସେ କହିଛନ୍ତି, "ମୁଁ ବିଜେପି ପାଇଁ ପ୍ରଚାର କରିବି । ମୁଁ ବିଜେପିର ପ୍ରକୃତ ନେତା ହୋଇଥିବାରୁ ବିଜେପିକୁ ବିରୋଧ କରିବି ନାହିଁ । ବରଂ ସାଂସଦ ଭାବେ ଜିତିବା ପରେ ସେ ପୁଣି ବିଜେପିରେ ମିଶିଯିବି ।"
ପ୍ରତାପ-ଖାଳବେଳଙ୍କ ମଧ୍ୟରେ ବିଗ୍ ଫାଇଟ: ଅସଲ ବିଜେପି ଓ ନକଲି ବିଜେପି କହିବା ଛଳରେ ସେ ପ୍ରତାପ ଷଡ଼ଙ୍ଗୀଙ୍କ ଆଡକୁ ପରୋକ୍ଷରେ ଆଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ସିଧାସଳଖ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ଆଗାମୀ ନିର୍ବାଚନ ପ୍ରଚାରରେ ସେ ଆଡ଼ଭାନୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ରଖି ପ୍ରକୃତ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ଅପିଲ କରିବେ ବୋଲି କହିଛନ୍ତି । ତେବେ ଆଗାମୀ ନିର୍ବାଚନରେ ପ୍ରତାପ ଷଡଙ୍ଗୀ ଏବଂ ଖାରବେଳ ସ୍ବାଇଁଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଥିବା ବେଳେ କିଏ ବାଜି ମାରିବ ତାହା ସମୟ କହିବ ।
ଇଟିଭି ଭାରତ, ବାଲେଶ୍ବର