ବାଲେଶ୍ବର: ରାଜ୍ୟରେ ଥମୁନି ନୂତନ ଏନଏସି ବିବାଦ । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୫ଟି ନୂଆ ଏନଏସି ଘୋଷଣା କରିଥିଲେ । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଏହି କ୍ରମରେ ବାଲେଶ୍ବର ଜିଲ୍ଲାର ଖଇରା ଠାରେ ବନ୍ଦ ଡାକରା ଦିଆଯାଇଛି । ପୂର୍ବରୁ ଜିଲ୍ଲାର ସିମୁଳିଆକୁ ଏନଏସି ଘୋଷଣା ପରେ ଖଇରାକୁ ମଧ୍ୟ ଏନଏସି ଘୋଷଣା କରିବା ଦାବି କରାଯାଇ ଆଜି ଖଇରା ବନ୍ଦ କରାଯାଇଥିଲା। ଏହି ଦାବିକୁ ନେଇ 10 ଘଣ୍ଟିଆ ଖଇରା ବନ୍ଦ କରାଯାଇଛି ।
ଆଜି ବୁଧବାର ସକାଳ 6 ଘଟିକା ଠାରୁ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ନେତୃତ୍ୱରେ ଖଇରା ବଜାର ବନ୍ଦ ହୋଇଥିଲା। ଏହା ସହିତ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ରାଜ୍ୟ ସରକାରଙ୍କ ଉପରେ ନେତାମାନେ ଏଭଳି ପାତର ଅନ୍ତର କରାଯାଇଥିବା ଅଭିଯୋଗରେ ବର୍ଷିଥିଲେ । ଏଥିରେ ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁଙ୍କ ସମେତ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ। ଏହା ଅପରାହ୍ନ 3ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା । ଏହି ବନ୍ଦରେ ଖଇରା ସ୍ୱାଭିମାନ ମଞ୍ଚ ସାମିଲ ହୋଇଥିଲା। ଏହି ବନ୍ଦ ର ପ୍ରଭାବ ଖଇରା ବଜାର ଦେଖିବାକୁ ମିଳିଥିଲା। ଅତ୍ୟାବଶ୍ୟକ କାର୍ଯ୍ୟ ବ୍ୟତୀତ, ବିଦ୍ୟାଳୟ, ମେଡିକାଲ କାର୍ଯ୍ୟ କୁ ଛାଡି ଦେଲେ ସମସ୍ତ ଦୋକାନ ଯାନବାହାନ ବନ୍ଦ ରହିଥିଲା ।
ଏହା ମଧ୍ୟ ପଢନ୍ତୁ ... ଜୋର ଧରିଲା ଏନଏସି ମାନ୍ୟତା ଦାବି, ୨୮ରେ ବୋଲଗଡ଼ ବନ୍ଦ
ଆଗାମୀ ଦିନ ରେ ରାଜ୍ୟ ସରକାର ଖଇରା କୁ ଏନଏସି ଘୋଷଣା ନକରନ୍ତି ତେବେ ଏହି ଆନ୍ଦୋଳନ କୁ ଆହୁରି ତୀବ୍ରତର କରାଯିବ ବୋଲି ସୂଚନା ଦିଆଯାଇଛି। ପ୍ରକାଶ ଥାଉକି, ନିୟମ ଆଧାର କୁ ଦେଖାଯାଏ ଖଇରା ମଧ୍ୟ NAC ହେବାରେ କୌଣସି ଅସୁବିଧା ନାହିଁ କାରଣ ସର୍ବାଧିକ ଜନସଂଖ୍ୟା , ଭୋଟର , ଗ୍ରାମ , ପଞ୍ଚାୟତ, ବଜାର, ଡାକ୍ତର ଖାନା ଓ ବ୍ୟବସାୟିକ ପ୍ରତିଷ୍ଠାନ ଯାହାକି ଏକ ତୃତୀୟାଂଶ ହେବ। ସିମୁଳିଆ ବ୍ଲକ ରେ 22 ଟି ପଞ୍ଚାୟତ ଥିବା ବେଳେ ଖଇରାରେ ସମୁଦାୟ 37 ଟି ପଞ୍ଚାୟତ ରହିଛି। ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ଓ ସିମୁଳିଆକୁ ନେଇ ଗଠିତ। ବିଧାୟକ ପ୍ରାର୍ଥୀ ଜିତିବା ପାଇଁ ଖଇରା ଭୋଟରଙ୍କ ଅବଦାନ ରହିଛି। ପୂର୍ବରୁ ଜିଲ୍ଲା ବିଜେପି ଅଭିଯୋଗ କରିଥିଲା ଯେ ଖଇରା NAC ମାନ୍ୟତା ନ ପାଇବା ପଛରେ ଷଡ଼ଯନ୍ତ୍ର ରହିଛି । ଏହାସହ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ପ୍ରଚେଷ୍ଟାରେ ସିମୁଳିଆ NAC ମାନ୍ୟତା ପାଉଥିବା ବେଳେ ଖଇରା ଏଥିରୁ ବାଦ ପଡ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ଇଟିଭି ଭାରତ, ବାଲେଶ୍ବର