ପୁରୀ: କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହା ପୂର୍ବରୁ ପ୍ରଥମେ ମନ୍ତ୍ରୀ ତୁଷାରକାନ୍ତି ନିଜ ଗ୍ରାମ ବାଲିଡିହର ଗ୍ରାମ୍ୟ ଦେବତୀଙ୍କ ଆଶିଷ ନେଇ କାକଟପୁର ମା' ମଙ୍ଗଳାଙ୍କ ପୀଠକୁ ଯାଇ ମା' ମଙ୍ଗଳାଙ୍କ ଦର୍ଶନ କରି ଆଶିଷ ନେଇଥିଲେ । ପରେ ନିଜ ସମର୍ଥକଙ୍କ ସହ ଏକ ବଡ ଶୋଭାଯାତ୍ରାରେ ପୁରୀରେ ପହଞ୍ଚି କାକଟପୁରର ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତୁଷାରକାନ୍ତି ବେହେରା କହିଛନ୍ତି, " ମୁଖ୍ୟମନ୍ତ୍ରୀ ମୋତେ ଦ୍ୱିତୀୟ ଥର ପାଇଁ କାକଟପୁରବାସୀଙ୍କ ସେବା ପାଇଁ ପ୍ରାର୍ଥୀ କରିିବାରୁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟାପକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସାରା ଓଡ଼ିଶ ରେ ଚାଲିଥିବା ବେଳେ 5ଟି ମାଧ୍ୟମରେ କାକଟପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ବ୍ୟାପକ ବିକାଶମୂଳକ କାର୍ଯ୍ୟ ହୋଇଛି । ତେଣୁ ଆଗାମୀ ନିର୍ବାଚନରେ ନିଶ୍ଚିତ କାକଟପୁର ନିର୍ବାଚନ ମଣ୍ଡଳୀ ଭୋଟର ଆଶୀର୍ବାଦ ଦେଇ ମୋତେ ବିପୁଳ ଭୋଟରେ ବିଜୟୀ କରାଇବେ ।"
ତୁଷାରକାନ୍ତି ଆହୁରି କହିଛନ୍ତି, "2019ରେ କାକଟପୁର ନିର୍ବାଚନ ମଣ୍ଡଳୀରେ ଧାନ, ପାନ, ମିନ ପ୍ରମୁଖ ସମସ୍ୟା ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମସ୍ୟା ଅନେକ ସମାଧାନ କରିଛନ୍ତି । ଧାନ ଚାଷୀଙ୍କ ସୁବିଧା ପାଇଁ ଜଳସେଚନ ବ୍ୟବସ୍ଥା, ଲୁଣା ବନ୍ଧ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟକାରୀ ହୋଇଛି । ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଦେଇଛନ୍ତି । ପାନ ଚାଷୀଙ୍କ ଉନ୍ନତି ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଦେଇଛନ୍ତି । ପାନୀୟ ଜଳ ଯୋଗାଣ ପାଇଁ 240 କୋଟି ଟଙ୍କାର ସ୍ଵତନ୍ତ୍ର ଅନୁଦାନ ଦେଇଛନ୍ତି । ଲୋକଙ୍କ ଗମନାଗମନ ସୁବିଧା ପାଇଁ ଲକ୍ଷ୍ମୀ ବସ ବ୍ୟବସ୍ଥା ହୋଇଛି । ଏହି ଭଳି ଅନେକ ଯୋଜନା ଲୋକଙ୍କ ଉନ୍ନତି ପାଇଁ ହୋଇଛି । ଆଗାମୀ ଦିନରେ ବିଜେଡିର ଥିବା ଇସ୍ତାହାର କିଭଳି ଲୋକଙ୍କ ନିକଟରେ ପହଞ୍ଚିବ ତାହା ମୋର ମୁଖ୍ୟ ଲକ୍ଷ୍ୟ । ତେଣୁ କାକଟପୁରବାସୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆଶୀର୍ବାଦ ଦେଇ ବିଜେଡିକୁ ଜିତାଇବେ ।"
ସେପଟେ ଆସନ୍ତା 20 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରେ ରୋଡ଼ ସୋ କରିବେ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ ଏହାର ପ୍ରଭାବ କେତେ ପଡ଼ିବ ବୋଲି ପ୍ରଶ୍ନର ଉତ୍ତର ରଖି ତୁଷାରକାନ୍ତି ବେହେରା କହିଛନ୍ତି, "ଏହାର କୌଣସି ପ୍ରଭାବ ବିଜୁ ଜନତା ଦଳ ଉପରେ ପଡ଼ିବ ନାହିଁ । ଗତ 2014 ଓ 2019 ମୋଦି ଓଡ଼ିଶାରେ ଆସି ପ୍ରଚାର କରିଥିଲେ ମଧ୍ୟ ଏହାର କୌଣସୀ ପ୍ରଭାବ ପଡ଼ିନଥିଲା । ତେଣୁ ଆଗାମୀ ନିର୍ବାଚନରେ ବିଜେଡି ଓଡ଼ିଶାରେ ବିପୁଳ ବିଜୟ ହାସଲ କରି ଦଳ ସରକାର ଗଠନ କରିବ ।"
ଇଟିଭି ଭାରତ, ପୁରୀ