ରାଞ୍ଚି: ଶପଥ ଗ୍ରହଣର 3ଦିନ ପରେ ଆସନ୍ତାକାଲି ଗୃହରେ ସଂଖ୍ୟା ବହୁମତର ପ୍ରମାଣ ଦେବାକୁ ଯାଉଛନ୍ତି ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ଆସନ୍ତାକାଲି ହେବାକୁ ଥିବା ଆସ୍ଥା ଭୋଟରେ ଅଂଶଗ୍ରହଣ କରିବା ପାଇଁ ଗତ 3 ଦିନ ହେବ ହାଇଦ୍ରାବାଦରେ ଥିବା ଜେଏମଏମ ସମର୍ଥିତ ବିଧାୟକମାନେ ରାଞ୍ଚି ଅଭିମୁଖେ ବାହାରିଛନ୍ତି । ଆଜି (ରବିବାର) ରାତିରେ ସେମାନେ ରାଞ୍ଚିରେ ପହଞ୍ଚିବେ ।
ଶପଥ ଗ୍ରହଣରେ ବିଳମ୍ବ ହେବା କାରଣରୁ (ଶୁକ୍ରବାର) ସମସ୍ତ ବିଧାୟକଙ୍କୁ କଂଗ୍ରେସଶାସିତ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦକୁ ପଠାଯାଇଥିଲା । ଆଜି ସଂଧ୍ୟାରେ କଡା ସୁରକ୍ଷା ମଧ୍ୟରେ ଏହି ବିଧାୟକମାନେ ରହୁଥିବା ରିସୋର୍ଟରୁ ବାହାରି ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ରାତି ସୁଦ୍ଧା ସେମାନେ ରାଞ୍ଚିରେ ଅବତରଣ କରିବେ । ଏହାପରେ ତାଙ୍କୁ ସେମାନଙ୍କ ବାସଭବନକୁ ଯିବାକୁ ଦିଆଯାଇ ନପାରେ । ସେମାନେ ରାଞ୍ଚି ସର୍କିଟ ହାଉସରରେ ରାତ୍ରିଯାପନ କରିବା ସହ ଆସନ୍ତାକାଲି ପୂର୍ବାହ୍ନରେ ବିଧାନସଭାରେ ପହଞ୍ଚିବା ନେଇ ସୂଚନା ରହିଛି ।
ବୁଧବାର ସଂଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହେବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇଥିବା ଇଡି ସ୍ପଷ୍ଟ କରିଥିଲା । ସେହିଦିନ ଦଳର ଅନ୍ୟତମ ବରିଷ୍ଠ ନେତା ଚମ୍ପାଇ ସୋରେନ ମଧ୍ୟ ବିଧାୟକଙ୍କ ସମର୍ଥନ ପତ୍ର ସହ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଦାବି କରିଥିଲେ । ହେଲେ ରାଜ୍ୟପାଳ ସିପି ରାଧାକୃଷ୍ଣ ଶପଥ ସମାରୋହ ନେଇ କୌଣସି ନିର୍ଦ୍ଦିଷ୍ଟ ସମୟ ନଦେବା ସହ ବିଳମ୍ବ କରିଥିଲେ ।
ଜେଏମଏମ ଓ ଏହାର ସହଯୋଗୀ ଦଳର ବିଧାୟକଙ୍କୁ ତଥାକଥିତ ବିଜେପି ପ୍ରଭାବରୁ ମୁକ୍ତ ରଖିବା ପାଇଁ ଶୁକ୍ରବାର ରାତିରେ ହାଇଦ୍ରାବାଦ ପଠାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ହେଲେ ଘନ କୁହୁଡି କାରଣରୁ ଚାର୍ଟାର୍ଡ ବିମାନ ଉଡାଣ ସମ୍ଭବ ନହେବାରୁ ବିଧାୟକମାନେ ପରଦିନ ହାଇଦ୍ରାବାଦରେ ପହଞ୍ଚିଥିଲେ । ସେମାନେ ସେଠାରେ ତିନିଦିନ ରହିବା ପରେ ଆସନ୍ତାକାଲି ବିଧାନସଭା ଗୃହରେ ସଂଖ୍ୟା ବହୁମତ ପ୍ରମାଣ ଦେବା ପାଇଁ ରାଞ୍ଚି ଫେରୁଛନ୍ତି ।
ଏହା ମଧ୍ୟ ପଢନ୍ତୁ :- ‘ଯଦି ହେମନ୍ତ ମୋ କଥା ମାନିଥାନ୍ତେ...’ ଗୃହରେ ବହୁମତ ପ୍ରମାଣ ପୂର୍ବରୁ ଜେଏମଏମରେ ବିରୋଧାଭାସ
81 ଆସନ ବିଶିଷ୍ଟ ଝାଡଖଣ୍ଡରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର 41 ରହିଛି । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନିକଟରେ ସର୍ବାଧିକ 29 ଆସନ ଓ ଏହାର ସହଯୋଗୀ କଂଗ୍ରେସ ନିକଟରେ 17 ଆସନ ରହିଛି । ସେହିପରି ରାଷ୍ଟ୍ରୀୟ ଜନତା ଦଳ ଓ ସିପିଆଇ (ଏମ)ର ଜଣେ ଲେଖାଏଁ ବିଧାୟକ ମଧ୍ୟ ଜେଏମଏମ ସମର୍ଥିତ ମେଣ୍ଟରେ ରହିଛନ୍ତି । ଅନ୍ୟପଟେ ବିରୋଧୀ ବିଜେପି ନିକଟରେ 25 ବିଧାୟକ ରହିଛନ୍ତି । ତେଣୁ ଚମ୍ପାଇଙ୍କ ନିକଟରେ ଏବେ ପ୍ରାୟ 43 ବିଧାୟକ ସମର୍ଥନ ଥିବା ଜେଏମଏମ ଦାବି କରିଛି । ସେହିପରି ଭୋଟିଂ ସମୟରେ ଏହି ସଂଖ୍ୟାରେ ବୃଦ୍ଧି ପାଇ 46-47ରେ ପହଞ୍ଚିପାରେ ବୋଲି ଚମ୍ପାଇଙ୍କ କ୍ୟାମ୍ପ ଦାବି କରୁଛି । ଆସନ୍ତାକାଲି ଆସ୍ଥା ଭୋଟରେ ଅଂଶଗ୍ରହଣ କରିବା ପାଇଁ ହେମନ୍ତ ସୋରେନ ମଧ୍ୟ ଜେଲରୁ ଆସି ସଦନରେ ଉପସ୍ଥିତ ହୋଇପାରନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ