ବ୍ରହ୍ମପୁର: ଆସନ୍ତାକାଲି ବ୍ରହ୍ମପର ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବ୍ରହ୍ମପୁର ସହରର ଆମ୍ବପୁଆ ବିବେକ ବିହାର ଠାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଜନାଥ । ଏହାକୁ ନେଇ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସେପଟେ ରାଜନାଥଙ୍କ ଗସ୍ତର ଗୋଟିଏ ଦିନ ପୂର୍ବରୁ ସମସ୍ତ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ବିଜେପିରେ ସାମିଲ ହୋଇଛନ୍ତି । ଏହାପରେ ରାଜନାଥଙ୍କ କାର୍ଯ୍ୟକ୍ରମରେ ପ୍ରଦୀପ ବିଜେପିରେ ନିଜର ଶକ୍ତି ପ୍ରଦର୍ଶନ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି ।
ଆସନ୍ତାକାଲି ହେଲିକ୍ୟାପ୍ଟର ଯୋଗେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ରୁ ଓହ୍ଲାଇବା ପରେ ଦିନ ୧.୩୦ରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ । ସେଠାରେ ଦଳର ବୁଥସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ମୋଦିଙ୍କ ବିକାଶ ଏବଂ ନିର୍ବାଚନରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଭୂମିକା ନେଇ ଗୁରୁମନ୍ତ୍ର ଦେବେ ରାଜନାଥ । ଏଥିରେ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତୃବୃନ୍ଦ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଏହାକୁ ନେଇ ଗଞ୍ଜାମ ଜିଲ୍ଲା ବିଜେପିର କାର୍ଯ୍ୟକର୍ତ୍ତା ମାନେ ବେଶ ଉତ୍ସାହିତ ହୋଇଛନ୍ତି । ଏଭଳି ସମୟରେ ବିଜେପିରେ ବିଜେଡିର ଜଣେ ଟାଣୁଆ ନେତା ତଥା ତିନି ଥର ବିଜୟୀ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ସାମିଲ ହୋଇଥିବାରୁ ଦଳର ଶକ୍ତି ବୃଦ୍ଧି ପାଇଁ ଏହା ଅନେକ ମାତ୍ରାରେ ସହାୟକ ହେବ ବୋଲି ଦଳର କାର୍ଯ୍ୟକର୍ତ୍ତାମାନେ କହିଛନ୍ତି ।
ପ୍ରକାଶ ଥାଉ, ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏହି ଅବସରରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ ଆସନ୍ତାକାଲି ରାଜନାଥ ସିଂହଙ୍କ କାର୍ଯ୍ୟକ୍ରମରେ ଶକ୍ତି ପ୍ରଦର୍ଶନ ନେଇ ସମ୍ୟକ ସୂଚନା ମଧ୍ୟ ଦେଇଛନ୍ତି । ସେପଟେ ରାଜନାଥ ସିଂ ଆସନ୍ତାକାଲି ଆମ୍ବପୁଆ ବିବେକ ବିହାର ଠାରେ ରହିଥିବା ପଡିଆରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାକୁ ନେଇ ପ୍ରସ୍ତୁତି ମଧ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଅବସରରେ ଦଳର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ...
ଇଟିଭି ଭାରତ, ବ୍ରହ୍ମପୁର