ଭୁବନେଶ୍ବର: ବିଜେଡିର ଚିନ୍ତା ବଢାଇଛି ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଆସନ । 2024 ନିର୍ବାଚନରେ ଗୋପାଳପୁରରୁ ବିଜେଡି ପ୍ରାର୍ଥୀ କିଏ ହେବେ, ସେନେଇ ଚର୍ଚ୍ଚା ଲାଗି ରହିଛି । ବର୍ତ୍ତମାନ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟକ ଥିବା ବିକ୍ରମ ପଣ୍ଡା ହୋଇପାରନ୍ତି ଗୋପାଳପୁର ପ୍ରାର୍ଥୀ । ବିକ୍ରମ କୁମାର ପଣ୍ଡା ଗୋପାଳପୁରରୁ ପ୍ରାର୍ଥୀ ହେଲେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ କିଏ ପ୍ରତିଦ୍ବନ୍ଦ୍ବିତା କରିବେ, ସେନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି ।
ଲଗାତାର ଭାବେ ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇ ଆସୁଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ହେଲେ ବର୍ତ୍ତମାନ ପ୍ରଦୀପ ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ପ୍ରଦୀପଙ୍କ ସ୍ଥାନରେ 2024 ସାଧାରଣ ନିର୍ବାଚନରେ ଗୋପାଳପୁର ନିର୍ବାଚନମଣ୍ଡଳୀରୁ ବିଜେଡିରୁ କିଏ ପ୍ରାର୍ଥୀ ହେବେ ? ଏହାକୁ ନେଇ ଗଞ୍ଜାମରୁ ନବୀନ ନିବାସ ଚର୍ଚ୍ଚା ଓ ଆଲୋଚନା ଜାରି ରହିଛି । ଏହା ଭିତରେ ଆଜି ଗଞ୍ଜାମ ବିଜେଡି ଜିଲ୍ଲା ସଭାପତି ଥିବା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ସୂଚନା । ସେ କହିଛନ୍ତି, "ଗୋପାଳପୁର ନିର୍ବାଚନମଣ୍ଡଳୀରୁ ଏଥିର ବିକ୍ରମ କୁମାର ପଣ୍ଡା ବିଜେଡି ପ୍ରାର୍ଥୀ ହୋଇପାରନ୍ତି । ସେ ଯୁବକ ଅଛନ୍ତି । ତାଙ୍କୁ ବର୍ତ୍ତମାନ ସେଠାକାର ସଙ୍ଗଠନ ସମ୍ଭାଳିବା ପାଇଁ ଦାୟିତ୍ବ ଦିଆଯାଇଛି । ସେହି ଅଞ୍ଚଳର ଉନ୍ନୟନ କାମ କରିବା ପାଇଁ ତାଙ୍କୁ କୁହଯାଇଛି । ସେ ବର୍ତ୍ତମାନ ସେହି କାମରେ ଲାଗି ପଡ଼ିଛନ୍ତି । ତେଣୁ ଆଶା କରାଯାଉଛି, ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିପାରନ୍ତି ।"
ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ଛାଡ଼ିଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଜାତୀୟ ଦଳରେ ହୋଇପାରନ୍ତି ସାମିଲ
ବିକ୍ରମ କୁମାର ପଣ୍ଡା ବର୍ତ୍ତମାନ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟକ ଅଛନ୍ତି । ସେ ଗୋପାଳପୁରରୁ ପ୍ରାର୍ଥୀ ହେଲେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ କିଏ ପ୍ରତିଦ୍ବନ୍ଦ୍ବିତା କରିବେ, ସେନେଇ ସସପେନ୍ସ ଲାଗି ରହିଛି । ରମେଶ ଚ୍ୟାଉ ପଟ୍ଟନାୟକ ସ୍ପଷ୍ଟ କିଛି କହିନଥିଲେ ବି ବ୍ରହ୍ମପୁର ପାଇଁ ପ୍ରାର୍ଥୀତ୍ବ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଯଦି ସୁଯୋଗ ମିଳେ ନିଜେ ଲଢ଼ିବେ ବୋଲି ସେ କହିଛନ୍ତି । କାରଣ ସେ ପୂର୍ବରୁ ସେଠାରୁ ନିର୍ବାଚନ ଲଢ଼ି ଜିତି ଆସୁଥିଲେ । ଗତ ନିର୍ବାଚନରେ ତାଙ୍କ ବଦଳରେ ବିକ୍ରମ ପଣ୍ଡାଙ୍କୁ ଦଳ ଟିକେଟ ଦେଇଥିଲା । ପ୍ରାକଶ ଥାଉ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦିନେ ବିଜେଡିର ଜଣେ ଟାଣୁଆ ନେତା ଥିଲେ । ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜଣେ ପାଖ ଲୋକ ଭାବେ ସେ ଏକଦା ଜଣାଶୁଣା ଥିଲେ । ଗତ ଦୁଇଟି ସାଧାରଣ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ଟିକେଟ ବଣ୍ଟାରେ ପ୍ରଦୀପଙ୍କର ପ୍ରମୁଖ ଭୂମିକା ଥିଲା । ବିକ୍ରମ ପଣ୍ଡାଙ୍କ ପରି ଯୁବ ନେତାଙ୍କୁ ବିଜେଡିକୁ ଆଣି ଜିଲ୍ଲାରେ ଥିବା କଂଗ୍ରେସ ଗଡ଼କୁ ସେ ଭାଙ୍ଗିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର