ଭୁବନେଶ୍ବର: କଂଗ୍ରେସ ରାଜ୍ୟରେ 4 ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି । ମାହାଙ୍ଗାରୁ ଦେବେନ୍ଦ୍ର କୁମାର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ବର-ମଧ୍ୟ ପ୍ରକାଶ ଚନ୍ଦ୍ର ଜେନା, ଭୁବନେଶ୍ବର-ଉତ୍ତରରୁ ଅଶୋକ କୁମାର ଦାସଙ୍କୁ ଦଳ ଟିକେଟ ଦେଇଛି । ତେବେ ପୁରୀ ଜିଲ୍ଲା ସତ୍ୟବାଦୀରୁ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଲଢିବା ନେଇ ଚର୍ଚ୍ଚା ହେଉଥିବା ବେଳେ ପ୍ରସାଦଙ୍କ ସ୍ଥାନରେ ମନୋଜଙ୍କୁ ପାର୍ଟି ଟିକେଟ ଦେଇଛି ।
ଏହାକୁ ନେଇ ପ୍ରତିକ୍ରିୟାରେ ପ୍ରସାଦ ହରିଚନ୍ଦନ କହିଛନ୍ତ ,"କଂଗ୍ରେସ ଦଳ ସତ୍ୟବାଦୀରୁ ଲଢ଼ିବା ପାଇଁ ମନୋଜ ରଥଙ୍କ ନା ଘୋଷଣା କରିଛି । ମନୋଜ ମିଶ୍ର ଜଣ ଦକ୍ଷ ନେତା । ସତ୍ୟବାଦୀରେ କଂଗ୍ରେସ ଦଳ ଆଗରୁ ଭଲ ପ୍ରଦର୍ଶନ କରିଆସୁଥିଲା । ଏବେ ମଧ୍ୟ କଂଗ୍ରେସ ଗ୍ୟାରେଣ୍ଟି ନେଇ ଆମେ ଲୋକଙ୍କ ପାଖକୁ ଯିବୁ । ଚଳିତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ମୋର ଆଶା । ମୁଁ ଆଗରୁ ହିଁ ନିର୍ବାଚନ ଲଢ଼ିବି ନାହିଁ ବୋଲି ଘୋଷଣା କରି ସାରିଛି । ଯାହା ବଳବତ୍ତର ରହିଛି । ସତ୍ୟବାଦୀରୁ ପୂର୍ବରୁ ଆମେ ବହୁ କମ୍ ଭୋଟରେ ପରାଜୟ ହୋଇଥିଲୁ । କିନ୍ତୁ ଏଥର ଆମର ବିଶ୍ୱାସ ଆମେ ଭଲ ପ୍ରଦର୍ଶନ କରିବୁ । ମୁଁ ବି ଦଳ ପାଇଁ ସବୁବେଳେ କାମ କରୁଛି । କିନ୍ତୁ ମୁଁ କଂଗ୍ରେସ ଛାଡ଼ିବି ନାହିଁ ।"
ସେପଟେ ଭୁବନେଶ୍ଵର ଉତ୍ତର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଶୋକ କୁମାର ଦାସ ଟିକେଟ ପାଇବା ପରେ କହିଛନ୍ତି," ଦଳ ସଭାପତି ଓ ବରିଷ୍ଠ ନେତୃତ୍ୱଙ୍କୁ ସର୍ବ ପ୍ରଥମେ ଧନ୍ୟବାଦ । ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ ଲୋକଙ୍କ ପାଖକୁ ଯିବି l କଂଗ୍ରେସର ୨୫ ଟି ଗ୍ୟାରେଣ୍ଟି ନେଇ ପ୍ରଚାର କରିବି । ୨୪ ବର୍ଷରେ ନବୀନ ସରକାର କିଛି କରି ନାହାନ୍ତି l ଯାହା ହୋଇଛି ସେସବୁ କଂଗ୍ରେସ୍ ଅମଳରେ ହୋଇଛି l ଅନ୍ୟ ଦଳର ପ୍ରାର୍ଥୀମାନେ ସ୍ୱାର୍ଥପର ତେଣୁ ସେମାନଙ୍କୁ ମୋର ଭୟ ନାହିଁ l ଭୁବନେଶ୍ଵରରେ ଉନ୍ନତି କେବଳ କଂଗ୍ରେସ ଅମଳରେ ଜାନକୀ ପଟ୍ଟନାୟକ କରିଛନ୍ତି ।"
ସେ ଆହୁରି ମଧ୍ୟ କହିଛନ୍ତି," ବିଜେଡି କିଛି କରିନାହିଁ । ସବୁଠୁ ବଡ କଥା ହେଲା ଆମେ ମୂଳରୁ କଂଗ୍ରେସରେ ଅଛୁ । ଉତ୍ତର ନିର୍ବାଚନ ମଣ୍ଡଳୀରେ ଯେଉଁମାନେ ଲଢିବେ ମୋ ବିରୁଦ୍ଧରେ ସେମାନେ ସ୍ୱାର୍ଥବାଦୀ । କଂଗ୍ରେସ ଏଥର ଭୁବନେଶ୍ଵରରେ ଭଲ ରେଜଲ୍ଟ କରିବ ।"ତେବେ ଏବେ ସୁଦ୍ଧା ଶାସକ ବିଜୁ ଜନତା ଦଳ (ବିଜେଡି) ବିଭିନ୍ନ ପର୍ଯ୍ୟାୟରେ ମୋଟ 126 ଆସନ, ବିଜେପି 131 ଆସନ ଓ କଂଗ୍ରେସ ଆଜିର ପର୍ଯ୍ୟାୟକୁ ମିଶାଇ 128 ଆସନରେ ପ୍ରାର୍ଥୀ ଘୋଷଣା କରିଛି ।
ଇଟିଭି ଭାରତ, ଭୁବନେଶ୍ବର