ଭୁବନେଶ୍ବର: ଥମୁନି ମେଣ୍ଟ ଚର୍ଚ୍ଚା । ନିର୍ବାଚନ କମିଶନ ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା କରିବେ । ହେଲେ ରାଜ୍ୟରେ ଶାସକ ବିଜେଡି ଓ ମୁଖ୍ୟ ବିରୋଧି ଦଳ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ଚର୍ଚ୍ଚାରେ ଏବେ ପର୍ଯ୍ୟନ୍ତ ବିରାମ ଲାଗୁନି । ଯଦିଓ ବିଜେଡି ନେତୃତ୍ବ ମେଣ୍ଟ ନେଇ ସେଭଳି ମୁହଁ ଖୋଲି କିଛି କହୁନାହାନ୍ତି, ହେଲେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଉଥିବା ନେତାଏ ଏହାକୁ ଗୁଜବ କହି ବିଜେଡି ଉପରେ ଦୋଷ ଲଦୁଛନ୍ତି । ଏହି କ୍ରମରେ ଚାଲିଥିବା ମେଣ୍ଟ ଗୁଜବ ବିଜେଡି କରୁଛି ବୋଲି କହିଛନ୍ତି ବିଜେପିରେ ଯୋଗ ଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ।
ଗମମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଶାନ୍ତ କହିଛନ୍ତି, "ମେଣ୍ଟ ଗୁଜବ କରୁଛି ବିଜେଡି । ବିଜେଡିରେ 10 ହଜାର ପ୍ରାର୍ଥୀ । ସେମାନେ 10 ହଜାର ବୋମା । ବିଜେଡି ଏବେ 10 ହଜାର ବୋମା ଉପରେ ଠିଆ ହୋଇଛି । ଯେକୌଣସି ମୁହୂର୍ତ୍ତରେ ବୋମା ଫୁଟିପାରେ । ଧୀରେ ଧୀରେ ଫୁଟିବା ଆରମ୍ଭ ହୋଇଯାଇଛି । ସବୁଠି ବିଦ୍ରୋହର ନାରା । କଣ କାଳେ ହେବ ବୋଲି ବିଜେଡି ଚିନ୍ତାରେ ରହିଛି । ମେଣ୍ଟ ଚର୍ଚ୍ଚା ବିଜେଡି ତରଫରୁ ଆସୁଛି । ଆମେ 130 ଜିତିବୁ ବୋଲି ଆଗରୁ ବିଜେଡି କହୁଥିଲା । ଏବେ ଭାବୁଛି ମେଣ୍ଟ ନହେଲେ ସବୁ କର୍ମୀ ବିଜେପିକୁ ପଳେଇବେ । ଓଡିଶାବାସୀ କଣ ଚାଁହୁଛନ୍ତି ଆମ ନେତୃତ୍ବ କେନ୍ଦ୍ରୀୟ ନେତୃତ୍ବଙ୍କୁ ଜଣାଇଛନ୍ତି । ମେଣ୍ଟ ନେଇ ଶେଷ ନିଷ୍ପତ୍ତି ନେତୃତ୍ବ ନେବେ ।"
ଏହା ମଧ୍ୟ ପଢ଼ନ୍ତୁ...ବିଜେପିର ମିଶ୍ରଣ ପର୍ବ, ବିଜେଡି-କଂଗ୍ରେସ ଛାଡି ପଦ୍ମ ଧରିଲେ ଶତାଧିକ କର୍ମୀ
ସେପଟେ ଗତକାଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ମେଣ୍ଟକୁ ନେଇ ଦୁଇ ପ୍ରକାର ବୟାନ ଏବେ ବି ଚର୍ଚ୍ଚାକୁ ତାଜା ରଖିଛି । ଗତକାଲି ମନମୋହନ ବିଜେପି ଏକାକୀ ଲଢ଼ିବ କହିବା ପରେ ପୁଣି ୟୁ ଟର୍ଣ୍ଣ ନେବା ମେଣ୍ଟ ଆଡ଼କୁ ସୂଚାଉଛି ବୋଲି ଆଲୋଚନା ହେଉଛି । କାରଣ ପ୍ରଥମେ ବିଜେପି ରାଜ୍ୟରେ ଏକା ଲଢି଼ ସରକାର ଗଠନ କରିବ ବୋଲି କହିଥିଲେ ମନମୋହନ । ପରବର୍ତ୍ତୀ କିଛି ସମୟରେ କଥା ବଦଳାଇ ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ଯାହା କହିବେ ତାହା ଦଳର ଚୂଡ଼ାନ୍ତ ନିଷ୍ପତି ବୋଲି କହିଥିଲେ । ମେଣ୍ଟ ହେଉ ବା ଅନ୍ୟ ଯାହା ନିଷ୍ପତ୍ତି ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ନେବେ ବୋଲି ମନମୋହନ କହିଥିଲେ । ରାଷ୍ଟ୍ରୀୟ ନେତୃତ୍ବ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ ବୋଲି କହିଥିଲେ ।
ସେହିପରି ମେଣ୍ଟ ସସପେନ୍ସ ଥିବାବେଳେ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିବାର ଥିଲା ବିଜେପି ନିର୍ବାଚନ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଦିଲ୍ଲୀରେ ଶୀର୍ଷ ନେତୃତ୍ଵଙ୍କ ସହ ଆଲୋଚନା ସହିତ ସବୁ ସିଟ ପାଇଁ ତନ୍ନ ତନ୍ନ କରି ପରୀକ୍ଷା ନିରୀକ୍ଷା କରାଯାଇଥାଆନ୍ତା । ସବିଶେଷ ରିପୋର୍ଟ କେନ୍ଦ୍ରୀୟ କମିଟି ସଂସଦୀୟ ବୋର୍ଡକୁ ଦିଆଯିବାର ଥିଲା । ହେଲେ କୌଣସି କାରଣରୁ ଏହି ବୈଠକକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ବସିପାରେ ଏହି ବୈଠକ ।
ଇଟିଭି ଭାରତ, ଭୁବନେଶ୍ବର