ଭୁବନେଶ୍ବର: ଏଣିକି 'କାର୍ ଖାନା'ରେ ବି ଭାରତୀୟ ଜନତା ପାର୍ଟିର ହେବ ପ୍ରଚାର । ଗତ କିଛି ଦିନ ତଳେ ଚର୍ଚ୍ଚାକୁ ଆସିଥିବା କାର୍ ଖାନା ମାଲିକାଣୀ ନେହା ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଯୋଗ ଦେବା ପରେ ନେହା କହିଛନ୍ତି, "ପିଲାଟି ଦିନରୁ ରାଜନୀତି ପାଇଁ ଅହେତୁକ ଦୁର୍ବଳତା ଥିଲା ଓ ମା' ଦୀର୍ଘ ବର୍ଷ ଧରି ଲୋକଙ୍କ ସେବା କରୁଛନ୍ତି । ତେଣୁ ତାଙ୍କଠାରୁ ଅନୁପ୍ରାଣିତ ହୋଇ ରାଜନୀତିରେ ପାଦ ଦେଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟ ମୋତେ ବିଜେପିରେ ଯୋଗ ଦେବାପାଇଁ ଉତ୍ସାହିତ କରିଛି ।" ରୋଷେଇକୁ ନେଇ ଚର୍ଚ୍ଚାକୁ ଆସିଥିବା ଦୁଇ ବୋହୂ ନେହା ପାଣିଗ୍ରାହୀ ଏବଂ ରଶ୍ମିତା ଦାସ ରାଜନୀତିରେ ପାଦ ଦେଇଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟରେ ପାଲଟିଛି ।
ଏହାସହ ନିର୍ବାଚନ ଲଢିବା ପ୍ରସଙ୍ଗରେ ଉତ୍ତର ରଖି ନେହା କହିଛନ୍ତି, "ନିର୍ବାଚନ ଲଢିବା କଥା କହି ପାରିବି ନାହିଁ । ନାରୀ ସଶକ୍ତିକରଣ ମୋ ମୁଖ୍ୟ ଉଦ୍ଦେଶ୍ୟ । ଦଳରେ ଯୋଗ ଦେଇ ନାରୀ ସଶକ୍ତିକରଣ ଓ ନାରୀ କିପରି ଉନ୍ନତି କରିବେ ସେ ଦିଗରେ କାର୍ଯ୍ୟ କରିବି । ମୋ କାରଖାନାରେ ବି ଭାରତୀୟ ଜନତା ପାର୍ଟିର ହେବ ପ୍ରଚାର । ଆଗାମୀ ନିର୍ବାଚନରେ ଯଦି ଦଳ ମୋତେ ପ୍ରଚାର ପାଇଁ କହିବ, ମୁଁ ନିଶ୍ଚିତ ଭାବରେ ଯିବି । ମୁଁ ନିର୍ବାଚନ ଲଢିବାକୁ ଆସିନାହିଁ । ନାରୀ ସଶକ୍ତିକରଣ ଉପରେ ମୁଁ ଅଧିକ ଧ୍ୟାନ ଦେବି । "
ଏହା ବି ପଢନ୍ତୁ...କ୍ଲାଉଡ୍ କିଚେନରୁ କାର ଖାନା; ରାଜଧାନୀରେ ମନ କିଣୁଛି ଦୁଇ ଯା’ଙ୍କ ହାତ ତିଆରି ଖାଦ୍ୟ
ସୂଚନାଯୋଗ୍ୟ ଯେ, ଗତ କିଛିଦିନ ତଳେ ଦୁଇ ଯା' ନେହା ପାଣିଗ୍ରାହୀ ଓ ରଶ୍ମିତା ଦାସ ଏହି ନିଆରା କାରଖାନାର ପସରା ରାଜଧାନୀରେ ଖୋଲୁଥିବା ଦେଖିବାକୁ ମିଳିଛି । କେବଳ ୭୦ ଟଙ୍କାରେ ଲୋକଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଦେଇ ଲୋକଙ୍କ ହୃଦୟ ଜିତିପାରୁଛନ୍ତି । ଘରୁ ବାହାରି ଗୃହିଣୀଙ୍କ ହାତ ରନ୍ଧା ସମସ୍ତଙ୍କୁ ପରଷିବାକୁ ଚେଷ୍ଟା କରିଛନ୍ତି । ସେମାନେ ଘରୁ ରୋଷେଇ କରି କାରରେ ଆଣି ରାଜଧାନୀର ରାଜରାସ୍ତାରେ ବିକ୍ରି କରୁଥିବା ଦୃଶ୍ୟ ସମସ୍ତଙ୍କୁ ବେଶ ଆକର୍ଷିତ କରିଥିଲା । କିଛି ଦିନ ପାଇଁ ସେମାନଙ୍କ ଦୋକାନ ବିଏମସି ଉଠାଇ ଦେଇଥିଲେ । ପୁଣି କିଛିଦିନ ବ୍ୟବଧାନରେ ରାମ ମନ୍ଦିର ପାଖରେ ଖୋଲିଛନ୍ତି ନିଜର ବ୍ୟବସାୟ । କାରଖାନା ମାଧ୍ୟମରେ ଦୁଇ ମହିଳା ନିଜର ଲୋକପ୍ରିୟତା ହାସଲ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର