ଅନୁଗୋଳ: ବିଜେଡିରୁ ଟିକେଟ ନମିଳିବାରୁ ବିଜେପିରେ ସାମିଲ ହୋଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ । ଗୋଟିଏ ପଟେ ଦଳକୁ ବଳ ମିଳିଥିବା ବେଳେ ଅନ୍ୟପଟେ ପଦ୍ମର ଦୁଇ ପାଖୁଡା ଖସି ଯାଇଛି । ଦଳ ଛାଡିଛନ୍ତି ଦଳର ବରିଷ୍ଠ ନେତା ତଥା ତିନି ତିନି ଥରର ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ଭାଗିରଥି ପ୍ରଧାନ ଓ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ପାଣି । ଯାହାକୁ ନେଇ ଯାହାକୁ ନେଇ ଅନୁଗୋଳ ରାଜନୀତି ଗୋଳମାଳିଆ ହୋଇଛି ।
ପୂର୍ବରୁ ଦୁଇଥର ଜିଲ୍ଲା ସଭାପତି ତଥା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ତିନି ତିନି ଥର ବିଧାୟକ ପ୍ରାର୍ଥୀ ବରିଷ୍ଠ ନେତା ଭାଗିରଥି ପ୍ରଧାନ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ । ସେ ଦୀର୍ଘ ୩୧ ବର୍ଷ ଧରି ବିଜେପି ଦଳରେ ସାମିଲ ହୋଇ ଦଳ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ହେଲେ ଦଳରେ ୨୦୨୦ ମସିହାରୁ ତାଙ୍କୁ ଅବହେଳା କରାଯାଉଛି ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ଏଥିପାଇଁ ସେ ଦଳର କାର୍ଯ୍ୟକାରିଣୀ ସଦସ୍ୟ ଓ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ପଦ୍ମ ଧରିଲେ ଜଗତସିଂହପୁରର ଯୁବ ନେତା ଅମରେନ୍ଦ୍ର ଦାସ - Amarendra Das joined BJP
ସେହିପରି ତାଳଚେର ଅଞ୍ଚଳର ଜଣାଶୁଣା ତଥା ବିଜେପିର ବରିଷ୍ଠ ନେତା ରବି ନାରାୟଣ ପାଣି ଦଳରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ସ୍ଥିତିରେ ଦଳରେ ନୈତିକତା ଏବଂ ନୀତିର ଜାଗା ନାହିଁ । ଦଳରେ ବରିଷ୍ଠ ଏବଂ ସଚ୍ଚୋଟ ଲୋକଙ୍କୁ ଅଣଦେଖା କରାଯାଉଛି । ଯାହା ଫଳରେ ଦଳରେ ଥାଇ ମଧ୍ୟ ନୀରବ ଦର୍ଶକଙ୍କ ପରି ନିଷ୍କ୍ରିୟ ହେବାକୁ ବାଧ୍ୟ ହେବାକୁ ପଡୁଛି ବୋଲି ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଗତ 2019ରେ ରବି ନାରାୟଣ ପାଣି ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ।
ଗତକାଲି ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ । ଚଳିତ ବର୍ଷ ହେବାକୁଥିବା ନିର୍ବାଚନ ପାଇଁ ବିଜେଡି ତାଙ୍କୁ ଟିକେଟ ନ ଦେବାରୁ ସେ ଶଙ୍ଖ ଛାଡି ପଦ୍ମ ଧରିଛନ୍ତି । ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ଥିବାରୁ ଏବେ ଟାରୁ ଦଳ ଡିଆଁ ରାଜନୀତି ଜୋର ଧରିଛି । ଜଣଙ୍କ ପରେ ଜଣେ ନେତା ପୁରୁଣା ଦଳ ଛାଡି ନୂଆ ଦଳରେ ସାମିଲ ହେଉଛନ୍ତି । ଟିକେଟ ନମିଳିବାରୁ କିଏ ଦଳ ଛାଡୁଛି ତ କିଏ ପାର୍ଟି ଦ୍ବାରା ଅଣଦେଖା ହେବାରୁ ଦଳ ଛାଡୁଛନ୍ତି ।
ଇଟିଭି ଭାରତ, ଅନୁଗୋଳ