ଭୁବନେଶ୍ବର: ରାଜ୍ୟରେ ଦୁଇଟି ପର୍ଯ୍ୟାୟ ଭୋଟ ସରିଯାଇଛି । ଆଉ ଦୁଇଟି ପର୍ଯ୍ୟାୟ ବାକି ଥିବାବେଳେ ଘମାସାନ ହେବାରେ ଲାଗିଛି ରାଜନୈତିକ ଆକ୍ରମଣ । ରାଜନୀତିର ପଶାପାଲିରେ ଏଣ୍ଟ୍ରି ମାରିଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ । କେନ୍ଦ୍ରରୁ ବିଜେପି ଶୀର୍ଷ ନେତୃତ୍ଵମାନେ ବି ଓଡିଶାକୁ ଆସି ରତ୍ନଭଣ୍ଡାର ପ୍ରସଙ୍ଗରେ ବର୍ଷୁଛନ୍ତି । ବିଜେପି ରତ୍ନଭଣ୍ଡାରକୁ ମୁଦ୍ଦା କରି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛି । ମୁଖ୍ୟମନ୍ତ୍ରୀ ଓ ଭିକେ ପାଣ୍ଡିଆନଙ୍କୁ ଲଗାତାର ଟାର୍ଗେଟ କରିଛି ବିଜେପି ।
ଏହି ବାବଦକୁ ରାଜ୍ୟ ବିଜେପିର ତୁଙ୍ଗ ନେତୃତ୍ବ ମାନେ ମିଳିତ ଭାବେ ପ୍ରେସମିଟ କରି ବିଜେଡିକୁ କାଠଗଡାକୁ ଟାଣୁଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, " ଓଡିଆ ଅସ୍ମିତା, ପରମ୍ପରା, ସଂସ୍କୃତି ଉପରେ କୁଠାରାଘାତ କରୁଛି ରାଜ୍ୟ ସରକାର । ସରକାରଙ୍କର ଗୁରୁ ଦାୟିତ୍ବ ହେଉଛି ମହାପ୍ରଭୁଙ୍କର ଅଳଙ୍କାରକୁ ସୁରକ୍ଷିତ ରଖିବା । ସରକାର ମାଲିକ ନୁହଁ ଟ୍ରଷ୍ଟି ଓ କେୟାର ଟେକର । ଏହା ହେଉଛି ଏକ ଦାୟିତ୍ବହୀନ ସରକାର । ରତ୍ନ ଭଣ୍ଡାର ଚାବି ହଜିବା, ଡୁପ୍ଲିକେଟ ଚାବି ଆସିବା, କୋର୍ଟର ଆଦେଶ ନ ମାନିବା ଭଳି କାର୍ଯ୍ୟ କରିଛନ୍ତି ସରକାର । ରତ୍ନ ଭଣ୍ଡାରର ସୁରକ୍ଷା ନେଇ ସାରା ଦେଶ ଓ ରାଜ୍ୟର ଲୋକ ଚିନ୍ତିତ । ଏଥର ରାଜ୍ୟରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାରର ଯାଞ୍ଚ ହେବ ଓ ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ।"
ଏହା ମଧ୍ୟ ପଢନ୍ତୁ ... ଜଣେ ମାଫିଆ ଓଡ଼ିଶାକୁ ଚଳାଉଛି, ବିଜେପି ସରକାର ତାର ଅଣ୍ଟା ଭଙ୍ଗିବ: ମୋଦି - PM Modi On Mafia Raj
ସେହିଭଳି ବାଲେଶ୍ବରର ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, " ଶ୍ରୀ ଜଗନ୍ନାଥ ଓଡିଆ ଲୋକଙ୍କ ପ୍ରାଣ ସ୍ପନ୍ଦନ । କଳାପାହାଡ ଠାରୁ ଅଧିକ ଅପମାନିତ କରିଛି ବିଜେଡି ସରକାର । ବ୍ୟାପକ ଅବ୍ୟବସ୍ଥା ଭିତରେ ରତ୍ନଭଣ୍ଡାରର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଜବାବ ଦେବାକୁ ବାଧ୍ୟ । " ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, " ରାଜ୍ୟରେ ଶାସନ ବ୍ୟବସ୍ଥାର ମଡେଲ ଖରାପ ଅଛି । ରତ୍ନଭଣ୍ଡାର ସମ୍ପର୍କିତ ଯାଞ୍ଚ ପାଇଁ ଜୁଡିସିଆଲ କମିଟିର ରିପୋର୍ଟକୁ ସାର୍ବଜନୀନ କରାଗଲା ନାହିଁ । କାରଣ ବିଜେଡି ସରକାରଙ୍କ ନୀତି ଓ ନିୟତରେ ଦୋଷ ରହିଛି, ଯାହାକୁ ନେଇ ସାରା ରାଜ୍ୟ ପ୍ରଶ୍ନ ଉଠାଉଛି ।
ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କହିଛନ୍ତି , " ଅଣଓଡିଆ କୁଚକ୍ରୀ ଗୋଷ୍ଠୀ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ କଣ୍ଟ୍ରୋଲ କରୁଛନ୍ତି । କଣ୍ଢେଇ ଭଳି ନଚାଉଛନ୍ତି । ମୋଦିଙ୍କ ଗ୍ୟାରେଣ୍ଟି ଅଛି ତେଣୁ ବିଜେପି ସରକାର ଆସିଲେ ଅସଲ ଚାବିକୁ ଖୋଜାଯିବ ଓ ଯାଞ୍ଚ ହେବ । ଏହା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।" ଗତ କିଛି ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବାରମ୍ବାର ଓଡିଶା ଗସ୍ତ କରି ଜନସଭାରେ ଶ୍ରୀମନ୍ଦିର ଓ ରତ୍ନ ଭଣ୍ଡାରକୁ ନେଇ ବିଜେଡିକୁ ଶାଣିତ ଆକ୍ରମଣ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର