ଖୋର୍ଦ୍ଧା: ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଦୀର୍ଘ ୧୫ କିଲୋମିଟର ବାଇକ ଶୋଭାଯାତ୍ରା କରିଛନ୍ତି ଭୁବନେଶ୍ବର ସାଂସଦ ତଥା ବିଜେପି ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ । ଏହାସହ ଶୋଭାଯାତ୍ରା କରି ବିଜେଡିକୁ ଶାଣିତ ଆକ୍ରମଣ କରିଛନ୍ତି ଅପରାଜିତା । ଦୁଇଦିନ ପୂର୍ବରୁ ବିଜେଡି ନେତା ଭିକେ ପାଣ୍ଡିଆନ ବେଗୁନିଆ ମିନି ଷ୍ଟାଡିୟମରେ ଅପରାଜିତାଙ୍କ ନାଁ ନନେଇ ଆକ୍ରମଣ କରିଥିବା ବେଳେ ଶନିବାର ବାଇକ ରାଲିରେ ପାଣ୍ଡିଆନଙ୍କୁ ବିଜେଡିର ସାନବାବୁ କହି ଏବଂ ବିଜେଡି ନେତାଙ୍କୁ ସାନବାବୁଙ୍କ କ୍ରିତଦାସ କହି ପାଲଟା ଟାର୍ଗେଟ କରିଛନ୍ତି ଅପରାଜିତା ।
ଶନିବାର ଖୋର୍ଦ୍ଧା ଜିଲ୍ଲା ବାଘମାରୀଠାରୁ ତୁଳସୀପୁର ଦୀର୍ଘ ୧୫ କିଲୋମିଟର ବିଶାଳ ବାଇକ ରାଲିରେ ଯାଇ ବିଭିନ୍ନ ଛକମାନଙ୍କରେ ବିଜେପି ସାଂସଦ ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବା ସହ ଭୋଟ ଭିକ୍ଷା କରିଛନ୍ତି । କିପରି ଡବଲ ଇଞ୍ଜିନ ସରକାର ବେଗୁନିଆରୁ ଆରମ୍ଭ ହେବ ଏବଂ ବିଜେପି ବେଗୁନିଆବାସୀଙ୍କ ଆସ୍ଥାଭାଜନ ହୋଇପାରିବ ସେନେଇ ସାଧାରଣ ଜନତାଙ୍କୁ କହିଥିଲେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ । ଏହାସହ ତୁଳସୀପୁରଠାରେ ରାସ୍ତା ଉପରେ ଅପରାଜିତା ବିଜେଡି ନେତା ପାଣ୍ଡିଆନଙ୍କୁ ଟାର୍ଗେଟ କରି କହିଛନ୍ତି, "ବିଜୁ ଜନତା ଦଳରେ ଯେଉଁମାନେ ପ୍ରାର୍ଥୀ ହୋଇଛନ୍ତି ସେମାେନ ନେତା ନୁହନ୍ତି ବରଂ କ୍ରୀତଦାସର ଭୂମିକା ଲିଭାଉଛନ୍ତି । କିଏ ସାନବାବୁ ପାଇଁ ଟେଣ୍ଡ ବାନ୍ଧୁଛି ତ ଆଉ କିଏ ଟ୍ରାଫିକ କାର୍ଯ୍ୟରେ ନିୟୋଜିତ ହେଉଛି ।"
ଏହା ମଧ୍ୟ ପଢ଼ନ୍ତୁ...ବିଜେପି ସରକାର ଆସିଲେ ଜଳଖିଆ ପାଇଁ 'ଆପୁର୍ତ୍ତି ଯୋଜନା': ଅପରାଜିତା - Apoorti Yojana
ଅପରାଜିତା ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟରେ ଦୀର୍ଘ ୨୪ ବର୍ଷ ସ୍ଥାୟୀ ସରକାର ଥିଲେ ମଧ୍ୟ ଚାଷୀଙ୍କ ଚାଷଜମିକୁ ଜଳସେଚନ କରିବାରେ ବିଫଳ ହୋଇଛନ୍ତି । ଯାହାଫଳରେ ଚାଷୀ ଆଜି ଜୀବିକା ପାଇଁ ଦାଦନ ଖଟିବାକୁ ଯାଉଛି । କେନ୍ଦ୍ର ସରକାର ଟଙ୍କା ଦେଇଥିଲେ ମଧ୍ୟ ରାଜ୍ୟ ସରକାର ସଠିକ୍ ବାଟରେ ଖର୍ଚ୍ଚ କରୁନାହାନ୍ତି । କେନ୍ଦ୍ର ସରକାର ଲୋକମାନଙ୍କୁ ରାସନ କାର୍ଡରେ ମାଗଣାରେ ଚାଉଳ ଦେଉଛନ୍ତି ତାହା ସହିତ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସରେ ଛାତ ଘର ଦେଉଛନ୍ତି । ଆଗାମୀ ଦିନରେ ବେଗୁନିଆ ବିଜେପିରେ ପ୍ରାର୍ଥୀ ବିଜୟ ହେବେ ଓ ଡବଲ ଇଞ୍ଜିନର ସରକାର ହେବ ।"
ଇଟିଭି ଭାରତ, ଖୋର୍ଦ୍ଧା