ଭୁବନେଶ୍ବର: କଟକ ଏସ୍ସିବି ମେଡିକାଲ କଲେଜର ମନସ୍ତାତ୍ତ୍ବିକ ବିଭାଗ ମୁଖ୍ୟଙ୍କୁ ବିଜେଡିର ଚିଠି । ଖୋଲା ଚିଠି ଲେଖିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଅମର ପଟ୍ଟନାୟକ । ଓଡିଶା ବିଜେପି ନେତାଙ୍କୁ ତୁରନ୍ତ ମାନସିକ ରୋଗ ପାଇଁ ଚିକିତ୍ସା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଅମର । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭିକେ ପାଣ୍ଡିଆନ ବନ୍ଧନ କରି ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିଥିଲା । ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡିଆନଙ୍କ କବଳରୁ ମୁକ୍ତ କରିବାକୁ ପୋଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି । ଏହାକୁ କାଉଣ୍ଟର କରି ଅମର ବଡ଼ ମେଡିକାଲ ମନସ୍ତାତ୍ତ୍ବିକ ବିଭାଗ ମୁଖ୍ୟଙ୍କୁ ଏହି ଚିଠି ଲେଖିଥିବା କୁହାଯାଉଛି । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଅମର ଚିଠିରେ ଦର୍ଶାଇଛନ୍ତି, 'ଏକ ଦାୟିତ୍ବ ସମ୍ପନ୍ନ ରାଜନୈତିକ ଦଳ ଭାବେ ଆମ ପ୍ରତିପକ୍ଷ ଓଡିଶା ବିଜେପିର କିଛି ନେତାଙ୍କ ମାନସିକ ସ୍ଥିତି ଦେଖି ଆମେ ଗଭୀର ଭାବେ ଚିନ୍ତିତ । ଆମକୁ ଭାରି ଦୟା ଲାଗୁଛି । ୨୦୨୪ ନିର୍ବାଚନରେ ସେମାନେ ବହୁତ ଖରାପ ଭାବେ ହାରିବାକୁ ଯାଉଛନ୍ତି । ତେଣୁ ସେମାନେ ନିଜ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ଫଳରେ ସେମାନେ ପ୍ରତିଦିନ ବାଚଳାମି କରୁଛନ୍ତି । ଏସବୁ ଦେଖିବା ଭାରି କଷ୍ଟଦାୟକ । ଏହି ନେତା ମାନେ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ନେତା ବୈଜୟନ୍ତ ପଣ୍ଡା, ଭୁବନେଶ୍ବର ସାଂସଦ ଅପରାଜିତ ଷଡଙ୍ଗୀ, ବିଜେପି ନେତା ସମୀର ମହାନ୍ତି ।'
ଅମର ଚିଠିରେ ଅନୁରୋଧ କରିଛନ୍ତି, 'ତୁରନ୍ତ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ମେଡିକାଲ ବୋର୍ଡ ଗଠନ କରାଯାଉ । ଏହି ନେତା ମାନଙ୍କର ଆବଶ୍ୟକୀୟ ମାନସିକ ରୋଗ ଚିକିତ୍ସା ବ୍ୟବସ୍ଥା କରାଯାଉ । ଯଦି ସେମାନେ ଏଥିରେ ରାଜି ନ’ହୁଅନ୍ତି, ତେବେ ସେମାନଙ୍କୁ ବୁଝାସୁଝା କରି ହସ୍ପିଟାଲ ଆଣିବାର ଦାୟିତ୍ଵ ଏକ କାଉନସେଲିଂ ଟିମକୁ ପ୍ରଦାନ କରାଯାଉ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆମେ ପ୍ରାର୍ଥନା କରୁଛୁ, ଓଡିଶା ବିଜେପି ନେତାଙ୍କୁ ମାନସିକ ସନ୍ତୁଳନ ବଜାୟ ରଖିବାରେ ସହାୟକ ହୁଅନ୍ତୁ ।'
ଇଟିଭି ଭାରତ, ଭୁବନେଶ୍ବର