ଭୁବନେଶ୍ବର: ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଜୋର ଧରିଛି ଦଳ ଡିଆଁ ରାଜନୀତି । ଗୋଟିଏ ପରେ ଗୋଟିଏ ବିଜେଡିର ପୁରୁଖା ନେତା ଏବେ ଦଳ ଛାଡ଼ି ପଦ୍ମ ଶିବିରକୁ ଡେଉଁଛନ୍ତି । ଯାହାକୁ ନେଇ ରାଜ୍ୟରେ ବିଜେପି ସୁଦୃଢ଼ ହେଉଛି ଓ ବିଜେଡି ଦୁର୍ବଳ ହେଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ହେଲେ ଓଡିଶାରେ ବିଜେଡି ଅତ୍ୟନ୍ତ ଦୃଢ ସ୍ଥିତିରେ ଅଛି ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର । ବିଜେଡି ୧୭ ଲୋକସଭା ଓ ୧୨୦ ରୁ ଅଧିକ ବିଧାନସଭା ଆସନରେ ଜିତିବା ନେଇ ସେ ଦୃଢ଼ୋକ୍ତି ବାଢ଼ିଥିବାବେଳେ ଜନବିରୋଧି କାର୍ଯ୍ୟପାଇଁ ବିଜେଡିରୁ ବିଦା ହୋଇଥିବା ନେତାଙ୍କୁ ବିଜେପି ପାଛୋଟି ନେଉଛି ବୋଲି ସେ ଅଭିଯୋଗ କରିଛନ୍ତି । କାରଣ ସମସ୍ତ ବିଧାନସଭା ଓ ଲୋକସଭା ଆସନ ପାଇଁ ବିଜେପିକୁ ପ୍ରାର୍ଥୀ ମିଳୁନାହାନ୍ତି ବୋଲି କହିଛନ୍ତି ସସ୍ମିତ ପାତ୍ର ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟ ସହ 5T ପ୍ରକରଣରେ ଓଡ଼ିଶାରେ ରୂପାନ୍ତରିକରଣ କାର୍ଯ୍ୟ ଚାଲିଛି । ବିକାଶମୂଳକ କାର୍ଯ୍ୟ ପାଇଁ ଆଜି ରାଜନୈତିକ ଦୃଷ୍ଟିରୁ ବିଜେଡି ଏକ ସୁଦୃଢ଼ ସ୍ଥିତିରେ ଅଛି । ଆସନ୍ତା ନିର୍ବାଚନରେ ବିଜେଡି ବିଧାନସଭାରେ ୧୨୦ରୁ ଅଧିକ ସିଟ୍ ଓ ଲୋକସଭା ନିର୍ବାଚନରେ ୧୭ରୁ ଅଧିକ ସିଟ୍ ଜିତିବାକୁ ଯାଉଛି । ସାଢେ ୪ କୋଟି ଓଡିଶାବାସୀଙ୍କ ଆଶୀର୍ବାଦ କ୍ରମେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ । ଓଡ଼ିଶାର ଲୋକେ ତାଙ୍କୁ ଆଉ ଥରେ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ରେକର୍ଡ ସଂଖ୍ୟକ ସିଟ୍ ଜିତାଇ ମୁଖ୍ୟମନ୍ତ୍ରୀଙ୍କୁ ଏହି ଆଶୀର୍ବାଦ ଦେବେ ।"
ଏହା ମଧ୍ୟ ପଢ଼ନ୍ତୁ...ପୁରୁଣା ନେତା ଦଳ ଛାଡିବା ଦ୍ବାରା ବିଜେଡିରେ ଭୂସ୍ଖଳନ ହେଉଛି: ଅକ୍ଷୟ ସାହୁ
ସେ ଆହୁରି କହିଛନ୍ତି, "ବିଜେପିର ଓଡିଶା ଶାଖା କିଛି ନେତାଙ୍କୁ ନିଜ ଦଳକୁ ପାଛୋଟି ନେଉଛନ୍ତି । ୩ ପ୍ରକାରର ନେତାଙ୍କୁ ବିଜେପି ନିଜ ଦଳରେ ସାମିଲ କରୁଛି । ଜନ ବିରୋଧୀ କାର୍ଯ୍ୟ ଯୋଗୁଁ ଯେଉଁମାନଙ୍କୁ ବିଜେଡି କାଢିଦେଇଛି, ଯେଉଁ ମାନଙ୍କୁ ବିଜୁ ଜନତା ଦଳର ଟିକେଟ ମିଳିବ ନାହିଁ ଏବଂ ଯେଉଁ ମାନଙ୍କର ବିଜେଡିରେ କୌଣସି ଭବିଷ୍ୟତ ନାହିଁ । ଏମାନଙ୍କୁ ବିଜେପି ପାଛୋଟି ନେବାର ବିଜେପି ପାଖରେ ବଡ଼ କାରଣ ରହିଛି । ତାହା ହେଉଛି ୧୪୭ ବିଧାନସଭା ଓ ୨୧ ଲୋକସଭା ପାଇଁ ଭାରତୀୟ ଜନତା ପାର୍ଟି ପାଖରେ ପ୍ରାର୍ଥୀ ନାହାନ୍ତି । ନବୀନଙ୍କ ନେତୃତ୍ବରେ ବିଜୁ ଜନତା ଦଳ ସବୁବେଳେ ଓଡିଶାବାସୀଙ୍କ କାର୍ଯ୍ୟରେ ନିୟୋଜିତ ଅଛି । ଓଡିଶାର ବିକାଶକୁ ତ୍ବରାନ୍ବିତ କରୁଛି । ଓଡିଶାବାସୀଙ୍କ ସହ ଥିଲୁ, ଅଛୁ । ସଦା ସର୍ବଦା ମଧ୍ୟ ରହିବୁ । ଏ ବିଶ୍ବାସ, ଭରଷା ଓ ଦୃଢ଼ ପ୍ରତିବଦ୍ଧତା ସାଢ଼େ ୪ କୋଟି ଓଡିଶାବାସୀଙ୍କ ସହିତ ସଦା ସର୍ବଦା ରହିବ ।"
ଇଟିଭି ଭାରତ, ଭୁବନେଶ୍ବର