ଭୁବନେଶ୍ବର: ରାଜ୍ୟ ବିଜେପି ମହିଳା ବିରୋଧୀ ମନୋଭାବ ପୋଷଣ କରୁଛି । ସିରିଏଲ କିଲର ପରି ଓଡ଼ିଶା ବିଜେପି ରାଜ୍ୟର ମହିଳାଙ୍କୁ ଟ୍ରାପ କରୁଛି । ତୃଣମୂଳ ସ୍ତରର ମହିଳାଙ୍କ ଚରିତ୍ର ହରଣ କରିବାକୁ ପଛାଉନାହିଁ ବିଜେପି । ଏଭଳି ସାଂଘାତିକ ଅଭିଯୋଗ କରିଛି ବିଜେଡି । ମହିଳା ବିରୋଧୀ ମନୋଭାବ ବିରୋଧରେ ଆଜି (ଗୁରୁବାର) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ।
ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି, "ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । ରାଜ୍ୟ ବିଜେପିର ମହିଳା ବିରୋଧୀ ମନୋଭାବ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ । ଯେତେବେଳେ ଜଣେ ମହିଳା ଘରୁ ବାହାରି ନିଜର ସ୍ବାଭିମାନ, ପରିଚୟ ସୃଷ୍ଟି କରୁଛି, ସେତେବେଳେ ମହିଳାର ଚରିତ୍ର ଉପରେ ଆକ୍ଷେପ କରାଯାଉଛି । କ୍ରମାଗତ ଭାବରେ ଏମିତି ହେଉଛି । ସିରିଏଲ କିଲର ପରି ଓଡ଼ିଶା ବିଜେପି ରାଜ୍ୟର ମହିଳାଙ୍କୁ ଟ୍ରାପ କରୁଛି । ପ୍ରତ୍ୟେକ ନିର୍ବାଚନରେ ଏପରି କରୁଥିବା ନଜିର ରହିଛି । ତୃଣମୂଳ ସ୍ତରରେ ମହିଳାମାନେ କାମ କରି ଘର ପାଇଁ ଦୁଇ ପଇସା ରୋଜଗାର କରୁଛନ୍ତି । ନିଜର ଆତ୍ମ ସ୍ବାଭିମାନ ତିଆରି କରୁଛନ୍ତି । ସେମାନଙ୍କୁ ବିଜେପି କ୍ରମାଗତ ଭାବେ ଧମକାଉଛି ।"
ତୃଣମୂଳରେ ଗର୍ଭବତୀଙ୍କୁ ହସ୍ପିଟାଲ, ଶିଶୁଙ୍କୁ ପୋଷଣ ଯୋଗାଉଛନ୍ତି ଆଶା, ଅଙ୍ଗନବାଡି ଓ ମିଶନ ଶକ୍ତି କର୍ମୀ । ସେମାନଙ୍କୁ ଟାର୍ଗେଟ କରୁଛି ବିଜେପି । ଏହି ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ନିର୍ବାଚନ ଅଧିକାରୀଙ୍କୁ ଭେଟିଛୁ । ଯାହାଙ୍କୁ ମୁଖ୍ୟମନ୍ତ୍ରୀ ବାହାରକୁ ବାହାର କରି ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ଭାବେ ସ୍ବାବଲମ୍ବୀ କରିଛନ୍ତି । କିନ୍ତୁ ନିର୍ବାଚନ ଜିତିବା ଲାଗି ବିଜେପି କିଛି ବି କରିପାରେ । ଚୋର ମୁହଁ ଟାଣ ପରି ବିଜେପି ତୃଣମୂଳରେ ମହିଳାଙ୍କୁ ଅପମାନିତ, ନିନ୍ଦିତ ସହ ସେମାନଙ୍କର ଚରିତ୍ର ହରଣ କରିବାରେ ପଛଘୁଞ୍ଚା ଦେଉନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।
ଏହା ବି ପଢନ୍ତୁ- ବିଜେପି ନିର୍ବାଚନୀ ସଭାରେ ରେଲୱେ ଅଧିକାରୀ, ସିଇଓଙ୍କୁ ଫେରାଦ ହେଲା ବିଜେଡି
ତାଙ୍କ ସପକ୍ଷରେ କାମ କରିବା ଲାଗି ସେମାନେ ଉସୁକାଉଛନ୍ତି । ଓଡ଼ିଶାର ମହିଳା ବିଜେପିକୁ ରାଜ୍ୟରୁ ବିତାଡିତ କରିବା ଲାଗି ସବୁବେଳେ ଚେଷ୍ଟା କରିଛନ୍ତି । ରାଜ୍ୟର ଅଫିସରଙ୍କୁ ବିଜେପିର ଜନବିରୋଧୀ ନେତା ଧମକାଉଛନ୍ତି । ସେହିପରି ତୃଣମୂଳରେ ମହିଳାଙ୍କୁ ଅପମାନିତ କରିବାକୁ ମଧ୍ୟ ପଛାଉନାହାନ୍ତି । ଏଭଳି ଘଟଣା ରାଜ୍ୟର ସବୁ ଜିଲ୍ଲାରେ ଘଟୁଛି । ବିଜେପି ସବୁ ଆଡେ ଛାଟିପିଟି ହେଉଛି । ନିର୍ବାଚନ ବିଜେଡି ସହିତ ସେମାନେ ଲଢୁନାହାନ୍ତି । ସେମାନେ ନିଜ ନିଜ ମଧ୍ୟରେ ଲଢ଼ୁଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରତ୍ୟେକ ଦିନ ଘଟୁଥିବା ଘଟଣାରୁ ଏହା ସ୍ପଷ୍ଟ । ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସୁଲୋତା ଦେଓ, ମଧୁସ୍ମିତା ନାୟକ, ପ୍ରିୟବ୍ରତ ମାଝୀ, ତୁମ୍ବନାଥ ପଣ୍ଡା, ଓମ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର