ନିଆଳି/ଜୟଦେବ: ଡହ ଡହ ଖରା । ଖରାକୁ ଖାତିର ନକରି ନେତା ଏବେ ଭୋଟରଙ୍କ ନିକଟତର ହେବା ପାଇଁ କରିଛନ୍ତି ପଣ । ଏହିକ୍ରମରେ ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ଉଦ୍ୟମ କରୁଛି କଂଗ୍ରେସ । ବିଭିନ୍ନ ଦୁର୍ନୀତି ଏବଂ ଭ୍ରଷ୍ଟାଚାରକୁ ମୁଦ୍ଦା କରି ଉଭୟ ବିଜେଡି ଓ ବିଜେପିକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଭୋଟରଙ୍କୁ ନିବେଦନ କରୁଛନ୍ତି କଂଗ୍ରେସ ସାଂସଦ ଓ ବିଧାୟକ ପ୍ରାର୍ଥୀ । ଭୁବନେଶ୍ବର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଜୟଦେବ ବିଧାନସଭା ଆସନରେ ରାଜନୀତି ପାଣିପାଗ ଏବେ ସରଗରମ । ଖରାକୁ ଖାତିର ନକରି ଭୁବନେଶ୍ବର ଲୋକସଭା ପାଇଁ କଂଗ୍ରେସ ପ୍ରାର୍ଥୀ ୟାସିର ନୱାଜ ଓ ଜୟଦେବ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆ ଜୟଦେବ ନିର୍ବାଚନ ମଣ୍ଡଳୀର ମୁକୁନ୍ଦଦାସପୁର ଅଞ୍ଚଳର ଭୋଟରଙ୍କ ପାଖକୁ ଯାଇ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି ।
ରାଜ୍ୟ ଓ କେନ୍ଦ୍ରରେ ଭ୍ରଷ୍ଟାଚାର ସରକାର ଚାଲିଥିବା ଅଭିଯୋଗ କରି ପରିବର୍ତ୍ତନ ପାଇଁ କଂଗ୍ରେସକୁ ଭୋଟ ଦେବା ପାଇଁ ଜୟଦେବ ଭୋଟରଙ୍କୁ ନିବେଦନ କରିଛନ୍ତି ୟାସିର ଓ କୃଷ୍ଣଚନ୍ଦ୍ର ସଗରିଆ । ବିଶେଷ କରି ଆଜି ଶୁକ୍ରବାର ହୋଇଥିବାରୁ ଉଭୟ ପ୍ରାର୍ଥୀ ବିଭିନ୍ନ ମସଜିଦ ନିକଟରେ ପହଞ୍ଚି ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରଙ୍କୁ ଭେଟି ବସ୍ତି ଭୋଟ ଏକାଠି କରିବା ପାଇଁ କଂଗ୍ରେସ ଉଦ୍ୟମ କରିଛି । ବସ୍ତିର ମୁରବୀ ଏବଂ ଯୁବକମାନଙ୍କୁ ସଙ୍ଗଠିତ ହେବା ପାଇଁ କଂଗ୍ରେସ ନିବେଦନ କରିଛି । ଜୟଦେବ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆ କହିଛନ୍ତି, "ଲୋକଙ୍କ ହାତରେ ଭୋଟ ଅଛି । ବିଜେଡି କିମ୍ବା ବିଜେପି ହାତରେ ଭୋଟ ନାହିଁ । ଲୋକେ ଗୋଟିଏ ମୁହୂର୍ତ୍ତରେ ସରକାରକୁ ପରିବର୍ତ୍ତନ କରିପାରିବେ । ପରିବର୍ତ୍ତନ ବିକଳ୍ପ ହେଉଛି କଂଗ୍ରେସ ।" ଲୋକେ କଂଗ୍ରେସକୁ ଭୋଟ ଦେବେ ଏବଂ କଂଗ୍ରେସର ୯ରୁ ୯୦ ବିଧାୟକ ବିଜୟୀ ହେବେ ବୋଲି କହିଛନ୍ତି ସଗରିଆ ।
ଅନ୍ୟପଟେ ଜୟଦେବ ବିଧାନସଭା ଆସନ ଗସ୍ତ ସମୟରେ ଭୁବନେଶ୍ବର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ୟାସିର ନୱାଜ କହିଛନ୍ତି, "ପ୍ରତ୍ୟେକ ଭୋଟରଙ୍କ ନିକଟକୁ ଯିବୁ, ଆଶୀର୍ବାଦ ଭିକ୍ଷା କରିବୁ । ସେଥିପାଇଁ ଜୟଦେବର ବିଭିନ୍ନ ସ୍ଥାନକୁ ଆସିଛୁ । ଭୋଟର ଚାହୁଁଛନ୍ତି ପରିବର୍ତ୍ତନ । ଦେଶ ଏବଂ ରାଜ୍ୟରେ ଏକଛତ୍ରବାଦ ଓ ଅହଂକାରୀ ସରକାର ଚାଲିଛି । ଲୋକେ ଅତିଷ୍ଠ ହୋଇ ସାରିଛନ୍ତି । ବିଜେପି ସରକାର ଗଣତନ୍ତ୍ରକୁ ହତ୍ୟା କରିବାକୁ ବସିଛି । ଦେଶର ସ୍ବାଧୀନତା ପରଠାରୁ ଏମିତି କେବେ ଦେଖିନୁ । ଏ ସରକାରରେ ହିଟଲର ଶାସନ ଚାଲିଛି ।" ନିଶ୍ଚିତ ପରିବର୍ତ୍ତନର ଆୱାଜ ମିଳିଛି ବୋଲି କହିଛନ୍ତି କଂଗ୍ରେସ ସାଂସଦ ପ୍ରାର୍ଥୀ ୟାସିର ନୱାଜ । ଜୟଦେବରେ କଂଗ୍ରେସ ବିଜୟୀ ହେବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ଦୁଇ ପ୍ରାର୍ଥୀ ।
ଇଟିଭି ଭାରତ, ନିଆଳି