ଭଦ୍ରକ/ଭୁବନେଶ୍ୱର : ୨୦୨୨ ମସିହା ମାର୍ଚ୍ଚ ମାସରେ ଅନୁଷ୍ଠିତ ଭଦ୍ରକ ପୌରପାଳିକା ନିର୍ବାଚନରେ ଇତିହାସ ରଚିଥିବା ସ୍ବାଧୀନ ପ୍ରାର୍ଥୀ ଗୁଲମକ୍କି ଦଲାୱାଜି ହବିବ୍ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଭୁବନେଶ୍ଵରସ୍ଥିତ ବିଜେଡି ମୁଖ୍ୟାଳୟ 'ଶଙ୍ଖ ଭବନ'ରେ ଆନୁଷ୍ଠାନିକ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି । ସେତେବେଳେ ଶାସକ ବିଜେଡିର ପ୍ରାର୍ଥୀ ସମିତା ମିଶ୍ରଙ୍କୁ ୩,୨୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ଗୁଲମକ୍କି । ଏଥିସହ ଭଦ୍ରକ ପୌର ଇତିହାସରେ ପ୍ରଥମ ଥର ଲାଗି ଜଣେ ମୁସଲିମ ମହିଳା ଅଧ୍ୟକ୍ଷ ଆସନରେ ବସିଥିଲେ । ଯାହାକୁ ନେଇ ସେତେବେଳେ ଭଦ୍ରକ ପୌରପାଳିକା ସାରା ରାଜ୍ୟର ଦୃଷ୍ଟି ଆକର୍ଷଣ କରିଥିଲା ।
ବିଜେଡିରେ ବିଦ୍ରୋହ କରି ଲଢ଼ିଥିଲେ ନିର୍ବାଚନ: ଶାସକ ବିଜେଡି ପାଇଁ ଏହି ନିର୍ବାଚନ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । ଆରମ୍ଭରୁ ପୌରାଧ୍ୟକ୍ଷା ପ୍ରାର୍ଥୀ କିଏ ହେବେ ତା’କୁ ନେଇ ଦଳ ବେଶ ଅଡୁଆରେ ପଡ଼ିଥିଲା । ସେପେଟ ପ୍ରାର୍ଥୀ ମନୋନୟନ ପୂର୍ବରୁ ବିଜେଡିର ଟାଣୁଆ ନେତାମାନେ ପୁରୁଣା ବଜାରଠାରେ ଏକ ସମାବେଶରେ ମିଳିତ ହୋଇ ଏହି ଅଞ୍ଚଳରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଥିଲେ । ମୁସଲିମ ଅଧ୍ୟୁଷିତ ପୁରୁଣା ବଜାର ଅଞ୍ଚଳରୁ ଜଣେ ପ୍ରାର୍ଥୀ କରାଯିବ କି ନାହିଁ ତା'ଉପରେ ଦଳୀୟ ବିଚାର ବିମର୍ଶ ପରେ ବିଜେଡି ପକ୍ଷରୁ ଚରମ୍ପା ଅଞ୍ଚଳରୁ ସମିତା ମିଶ୍ରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ତେବେ ବିଜେଡିର ଏହି ପ୍ରାର୍ଥୀଙ୍କୁ ବିରୋଧ କରି ଭଦ୍ରକ ଜିଲ୍ଲା ଯୁବ ବିଜେଡି ଉପସଭାପତି ଶେଖ ଜାହିଦ ହବିବ୍ (ଜାନୁ) ଆଗକୁ ଆସିଥିଲେ । ନିଜ ପତ୍ନୀ ଉଚ୍ଚ ଶିକ୍ଷିତା ଗୁଲମକ୍କି ଦଲାୱାଜିଙ୍କୁ ସ୍ଵାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଆଣିଥିଲେ । ଏହାପରେ ଦଳ ଭିତରେ ବୁଝାମଣା ପାଇଁ ଉଦ୍ୟମ ଆରମ୍ଭରୁ ହିଁ ଫେଲ ମାରିଥିଲା । ସେପଟେ ବିଜେଡି ଜାନୁଙ୍କୁ ଦଳରୁ ନିଲମ୍ବନ କରିଥିଲା । ମାତ୍ର ତାହା ବିଶେଷ କାଟୁ କରିନଥିଲା । ପୁରୁଣା ବଜାର ଅଞ୍ଚଳରୁ ଦଳମତ ନିର୍ବିଶେଷରେ ସେ ସର୍ବାଧିକ ଭୋଟ ପାଇବେ ବୋଲି ଆକଳନ କରାଯାଉଥିଲା । ଯାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଥିଲା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଆଜୁ ଗୁଲମକ୍କି ଓ ତାଙ୍କ ସମସ୍ତ ସମର୍ଥକଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ଭଦ୍ରକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା । ସଞ୍ଜୟ କହିଛନ୍ତି, "ଗୁଲମୁକ୍କି ଜଣେ ଦୃଢ଼ ସଂଗଠକ । କେବଳ ସେତିକି ନୁହେଁ ସେ ଜଣେ ସଶକ୍ତ ମୁସଲମାନ ମହିଳା । ଯିଏ ବିପୁଳ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । କେବଳ ଭଦ୍ରକ ପୌର ପରିଷଦ ନୁହେଁ, ଲଢୁଆ ନେତ୍ରୀ ଭାବେ ସାରା ରାଜ୍ୟରେ ତାଙ୍କ ସୁନାମ ରହିଛି । ତାଙ୍କର ଭଦ୍ରକ ଜିଲ୍ଲାର ମୁସଲମାନ ଭାଇଭଉଣୀଙ୍କ ଉପରେ ବଡ଼ ପ୍ରଭାବ ରହିଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଯେଉଁ ସମୃଦ୍ଧ ଓଡିଶା ଗଠନ ପାଇଁ କାମ ଚାଲିଛି, ସେ ସମୟରେ ଗୁଲମକ୍କିଙ୍କ ଯୋଗଦାନ ବଡ଼ ଗୁରତ୍ୱ ରଖେ ।" ସେହିଭଳି ଭଦ୍ରକ ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ କହିଛନ୍ତି, "ଗୁଲମୁକ୍କିଙ୍କୁ ଦଳକୁ ସ୍ୱାଗତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ସମ୍ମାନ ଦେଇ ସେ ଦଳରେ ମିଶିଛନ୍ତି । ଭଦ୍ରକରେ ବିଜେଡି ଆହୁରି ଶକ୍ତିଶାଳୀ ହେବ । ସବୁ ପ୍ରାର୍ଥୀଙ୍କ ପାଇଁ ଭଲ ହେବ । ସେ ଏକ ଧର୍ମନିରପେକ୍ଷ ଦଳକୁ ଆସିଛନ୍ତି ।"
ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି, "ବିଜୁ ପରିବାରକୁ ଗୁଲମକ୍କି ଓ ତାଙ୍କ ସମର୍ଥକଙ୍କ ଯୋଗଦାନକୁ ସ୍ୱାଗତ ଜଣାଉଛି । ମୁଖ୍ୟମନ୍ତ୍ରୀଙ୍କ ଧର୍ମ ନିରପେକ୍ଷତା ଓ ଭିଜନ 2036ରେ ତାଙ୍କର ବଡ଼ ଅବଦାନ ରହିବ ।" ଭଦ୍ରକ ବିଧାନସଭାର ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ କହିଛନ୍ତି, "ଭଦ୍ରକ ଜିଲ୍ଲା ବିଜେଡି ପାଇଁ ଆଜି ସ୍ମରଣୀୟ ଦିନ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା'ଙ୍କୁ ସମ୍ମାନ ଦିଅନ୍ତି । ନାରୀ ସଶକ୍ତିକରଣ, ମହିଳାଙ୍କୁ କ୍ଷମତା ଦେବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବିଜେଡି ଧର୍ମ ନିରପେକ୍ଷ ଓ ବିକଶିତ ଓଡିଶା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି । ସେଥିରେ ଗୁଲମକ୍କି ଓ ତାଙ୍କ ସମର୍ଥକଙ୍କୁ ସ୍ୱାଗତ । ନବୀନ ପଟ୍ଟନାୟକଙ୍କ ଭରସାକୁ ସେ ପ୍ରମାଣିତ କରିଛନ୍ତି । ଅତୀତକୁ ଭୁଲି ଆଗେଇବା ।" ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କହିଛନ୍ତି, ବିଜେଡି ଭଦ୍ରକରେ ଆହୁରି ଆଗେଇବ । ସଶକ୍ତ ଓଡିଶା ଗଠନ ହେବ ।"
ବିଜେଡିରେ ସାମିଲ ହେବା ପରେ ଭଦ୍ରକ ପୌରାଧ୍ୟାକ୍ଷା ଗୁଲମକ୍କି ହବିବ କହିଛନ୍ତି, "2022 ପୌର ନିର୍ବାଚନରେ ସ୍ୱାଧୀନ ଲଢ଼ିବା କାରଣ ସମସ୍ତେ ଜାଣନ୍ତି । ହେଲେ ନିର୍ବାଚନରେ ଆମେ ବିଜେଡି କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧ କରିନଥିଲୁ । ସବୁ ବ୍ୟାନରରେ ବିଜୁ ପଟ୍ଟନାୟକଙ୍କ ଫଟୋ ଥିଲା । ଆମେ ଭଦ୍ରକବାସୀଙ୍କ ପରାମର୍ଶରେ ଲଢ଼ିଥିଲୁ । ଆଜି ଭଦ୍ରକବାସୀଙ୍କ ପରାମର୍ଶରେ ବିଜେଡିରେ ମିଶିଲୁ । ବିକାଶ ଆମର ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଆଦର୍ଶ । ଓଡିଶା ନୁହେଁ, ଦେଶର ସେ ନମ୍ବର ୱାନ ମୁଖ୍ୟମନ୍ତ୍ରୀ । ବହୁତ କାମ କରୁଛନ୍ତି । ସେ ଜଣେ ଧର୍ମ ନିରପେକ୍ଷ ନେତା । ମିଳିତ ଭାବେ ସାମ୍ପ୍ରଦାୟିକ ଶକ୍ତିକୁ ହରାଇବା । ମିଶିକି କାମ କରିବା । ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବୁ । ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ସହ ମୋର ପାରିବାରିକ ସମ୍ପର୍କ ଅଛି । ଛୋଟବେଳୁ ତାଙ୍କୁ ଦେଖି ଆସିଛୁ । ଭଦ୍ରକର ବିକାଶ ପାଇଁ ତାଙ୍କ ଆଶୀର୍ବାଦ ମାଗୁଛି । ସମସ୍ତଙ୍କ ସହଯୋଗ ମାଗୁଛି ।"
ଇଟିଭି ଭାରତ, ଭଦ୍ରକ/ଭୁବନେଶ୍ୱର