ଭୁବନେଶ୍ବର: ବିଜେଡିରେ ସାମିଲ ହେଲେ ଅନୁଗୋଳ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ମହେଶ ଧଳ । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ମୁଖପାତ୍ର ପ୍ରିୟବ୍ରତ ମାଝୀଙ୍କ ଉପସ୍ଥିତରେ ମହେଶ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଉଭୟ ମହେଶ ଓ ତାଙ୍କ ସହଯୋଗୀ ସୁଶାନ୍ତ ସାହୁଙ୍କୁ ଉତ୍ତରୀୟ ପକାଇ ଦଳକୁ ସ୍ୱାଗତ କରିଛନ୍ତି ସସ୍ମିତ । ମହେଶଙ୍କ ସହ ତାଙ୍କ ସହଯୋଗୀ ସୁଶାନ୍ତ ସାହୁ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି ।
ମହେଶ ଓ ସୁଶାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି, "ମହେଶ କେବଳ ଜଣେ ବ୍ୟକ୍ତି ନୁହନ୍ତି, ସେ ଜଣେ ଅନୁଷ୍ଠାନ । ମହେଶଙ୍କ ଯୋଗଦାନ ଦ୍ୱାରା ଅନୁଗୋଳ ଜିଲ୍ଲାରେ ବିଜେଡି ଆହୁରି ସଶକ୍ତ ହେଲା । ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଓଡିଶା ସ୍ୱପ୍ନ ସଫଳ ହେବ ।" ବିଜେଡିରେ ସାମିଲ ହେବା ପରେ ମହେଶ ଧଳ କହିଛନ୍ତି, "ଆଜି ମୋ ପାଇଁ ମହତ ଦିନ, କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛି । ତେଣୁ ମୁଁ ତାଙ୍କ ପାଖରେ ଚିର ଋଣୀ ।’
ମହେଶଙ୍କ ବିଷୟରେ କହିବାକୁ ଗଲେ ସେ ହେଉଛନ୍ତି ଆଦର୍ଶ ଗ୍ରୁପର ପ୍ରତିଷ୍ଠାତା । ଶିକ୍ଷା କ୍ଷେତ୍ରରେ ସେ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ତେବେ କୋଭିଡ ସମୟରେ ସେ ଅନୁଗୋଳ ଜିଲ୍ଲାରେ ପ୍ରଥମ 200 ଶଯ୍ୟା କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରିଥିଲେ । ଏହାସହ ନିଜ ସଂସ୍ଥା ଜରିଆରେ ମାଗଣା ଆକ୍ସିଜେନ ମଧ୍ୟ ଯୋଗାଇ ଦେଇଥିଲେ । ଖାଲି ସେତିକି ନୁହେଁ 2010 ମସିହାରେ ସେ ରେକର୍ଡ 1001 ରକ୍ତ ୟୁନିଟ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଯାହା ଦ୍ୱାରା ରକ୍ତ ଅଭାବ ଦୂର ହୋଇଥିଲା । ସେହିପରି ଦକ୍ଷତା ବିକାଶ ପାଇଁ ITI ଆରମ୍ଭ କରିଥିଲେ । ଏହାସହ ଗରିବ ପିଲାଙ୍କ ପାଇଁ ସେ ଅନୁଗୁଳରେ ଶିକ୍ଷା ଓ କ୍ରୀଡା ହବ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର