ହାଇଦ୍ରାବାଦ: ଦୀର୍ଘ ଦୁଇ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଜାରି ରହିଥିବା ୟୁକ୍ରେନ-ଋଷିଆ ଯୁଦ୍ଧର ଅବସାନ ଲାଗି ଗତ ଜୁନ ୧୬ରେ ସ୍ବିଜରଲ୍ୟାଣ୍ଡରେ ଦୁଇ ଦିନିଆ ଶାନ୍ତି ଶିଖର ସମ୍ମିଳନୀ ଶେଷ ହୋଇଥିଲା, ଯେଉଁଥିରେ ୯୨ଟି ରାଷ୍ଟ୍ର ସମେତ ପ୍ରାୟ ୬୦ ଜଣ ରାଷ୍ଟ୍ରମୁଖ୍ୟ ଏବଂ ୮ ଅନ୍ତର୍ଜାତୀୟ ସଂଗଠନ ଯୋଗଦେଇଥିଲେ । ସମ୍ମିଳନୀରେ ଯୁଦ୍ଧ ସମାପ୍ତ ପାଇଁ କିଭ୍ ପ୍ରସ୍ତାବିତ ୧୦ ସୂତ୍ରୀୟ ଯୋଜନା ସହ ତିନୋଟି ଅନ୍ୟ ପ୍ରସଙ୍ଗ- ପରମାଣୁ ବିପଦ, ଖାଦ୍ୟ ସୁରକ୍ଷା ଏବଂ ମାନବୀୟ ଆବଶ୍ୟକତା ଉପରେ ବିଚାର ବିମର୍ଶ କରାଯାଇଥିଲା । କିନ୍ତୁ ପୂର୍ଣ୍ଣ ସମର୍ଥନ ଅଭାବରୁ ଶାନ୍ତି ପ୍ରତିଷ୍ଠା ପାଇଁ ଏହି ପ୍ରୟାସ ସଫଳ ହୋଇପାରିନଥିଲା ।
ଯଦିଓ ୮୦ଟି ରାଷ୍ଟ୍ର ଏବଂ ୪ ପ୍ରମୁଖ ୟୁରୋପୀୟ ସଂଗଠନ- ୟୁରୋପୀୟ କମିଶନ, ୟୁରୋପୀୟ କାଉନସିଲ, ୟୁରୋପୀୟ ପାର୍ଲାମେଣ୍ଟ ଓ କାଉନସିଲ ଅଫ୍ ୟୁରୋପ ସମ୍ମିଳନୀରେ ଆଗତ ଶାନ୍ତି ପ୍ରସ୍ତାବର ସମର୍ଥନ କରିଥିଲେ, କିନ୍ତୁ ଭାରତ ସମେତ ଆରମେନିଆ, ବାହାରିନ, ବ୍ରାଜିଲ, ଇଣ୍ଡୋନେସିଆ, କଲମ୍ବିଆ, ଲିବିଆ, ମେକ୍ସିକୋ, ସାଉଦି ଆରବ, ସାଉଥ ଆଫ୍ରିକା, ସୁରିନେମ, ଥାଇଲାଣ୍ଡ ଏବଂ ୟୁଏଇ ଏହି ପ୍ରସ୍ତାବରେ ଦସ୍ତଖତ କରିନଥିଲେ । ଚୀନ ଏବଂ ଋଷିଆ ଏହି ସମ୍ମିଳନୀରୁ ଦୂରେଇ ରହିଥିଲେ ।
ଉକ୍ତ ଶାନ୍ତି ପ୍ରସ୍ତାବରେ ୟୁକ୍ରେନ ଉପରେ ଆକ୍ରମଣର ନିନ୍ଦା କରାଯାଇଥିଲା । ଏହାସହିତ, ୟୁକ୍ରେନରେ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ସମ୍ମାନ, ଋଷିଆ ଦ୍ବାରା ଦଖଲ ଦେଶର ପରମାଣୁ ପାୱାର ପ୍ଲାଣ୍ଟ ଜୋପରିଝାରିଆ ଏବଂ କୃଷ୍ଣସାଗର ଓ ଆଜୋବ ସାଗରରେ ଥିବା ବନ୍ଦର ଉପରେ ପୁଣିଥରେ ୟୁକ୍ରେନର ନିୟନ୍ତ୍ରଣ, ଯୁଦ୍ଧବନ୍ଦୀଙ୍କ ମୁକ୍ତି, ନିର୍ବାସିତ ୟୁକ୍ରେନ ପିଲାଙ୍କ ପ୍ରତ୍ୟାବର୍ତ୍ତନ, ଖାଦ୍ୟସାମଗ୍ରୀର ନିରନ୍ତର ଉତ୍ପାଦନ ଓ ଯୋଗାଣ ସୁନିଶ୍ଚିତ କରିବା ଲାଗି ପ୍ରସ୍ତାବରେ ଆହ୍ବାନ ଦିଆଯାଇଥିଲା ।
ହେଲେ କୌତୁହଳର ବିଷୟ ଏହା ଥିଲା ଯେ, ପ୍ରସ୍ତାବରେ କେଉଁଠି ବି ୟୁକ୍ରେନ ଅଞ୍ଚଳରୁ ଋଷିଆ ସୈନ୍ୟ ପ୍ରତ୍ୟାହାର ପାଇଁ କୁହାଯାଇନଥିଲା । ଯଦିଓ ୮୦ ରାଷ୍ଟ୍ର ସମର୍ଥିତ ଶାନ୍ତି ସମ୍ମିଳନୀର ଏହି ଘୋଷଣାନାମା ଶାନ୍ତି ପ୍ରତିଷ୍ଠା ଦିଗରେ ଗତି ଦେଇଛି ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଏକ ଦୃଢ ସଙ୍କେତ ଦେଇଛି, କିନ୍ତୁ ଏଥିରେ ଋଷିଆ ଏବଂ ଚୀନର ଅନୁପସ୍ଥିତି ଏହାର ପ୍ରଗତିରେ ବାଧା ସୃଷ୍ଟି କରୁଛି । ସମ୍ମିଳନୀରେ ଏହି ଦୁଇ ଦେଶର ଅନୁପସ୍ଥିତି ଅନ୍ୟ କିଛି ଦେଶକୁ ଏଥିରୁ ବିରତ ରହିବାକୁ ପ୍ରେରଣ କରିଥିଲା । ଏମିତିକି ଏହି ପ୍ରସ୍ତାବ ବ୍ରିକ୍ସ ଦେଶ ଏବଂ ସାଉଦି ଆରବର ମଧ୍ୟ ସମର୍ଥନ ଲାଭ କରିପାରିନଥିଲା ।
ବ୍ରାଜିଲ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଯୋଗଦେଇଥିଲେ ହେଁ ସେମାନଙ୍କର କେହି ରାଷ୍ଟ୍ରମୁଖ୍ୟ ଆସିନଥିଲେ । ବ୍ରାଜିଲ ଏକ ପର୍ଯ୍ୟବେକ୍ଷକ ଭାବେ ସମ୍ମିଳନୀରେ ଯୋଗଦେଇଥିବା ବେଳେ ସାଉଥ ଆଫ୍ରିକା ଜଣେ ପ୍ରତିନିଧି ପଠାଇଥିଲା । ସାଉଦି ଆରବ ପକ୍ଷରୁ ଏହାର ବୈଦେଶିକ ମନ୍ତ୍ରୀ ସାମିଲ ହୋଇଥିଲେ । ଭାରତରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ପବନ କୁମାର ସମ୍ମିଳନୀରେ ଯୋଗଦେଇଥିଲେ ।
ଯେତେବେଳେ କି ଶାନ୍ତି ସମ୍ମିଳନୀରେ ଭାରତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ନେଇ ୟୁକ୍ରେନ ଆଶାବାଦୀ ରହିଥିଲା । ୟୁକ୍ରେନ ରାଷ୍ଟ୍ରପତି ଭୋଲଡ୍ମିର ଜେଲେନସ୍କି ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ସହ ସମ୍ମିଳନୀରେ ଯୋଗଦେବା ପାଇଁ ତାଙ୍କୁ ମନାଇବାକୁ ପ୍ରୟାସ କରିଥିଲେ । ଏହାସତ୍ତ୍ବେ ଭାରତ ବୈଦେଶିକ ମନ୍ତ୍ରଣାଳୟର ଜଣେ ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀଙ୍କୁ ପଠାଇଥିଲା ।
ଏହାର କାରଣ ଦଶନ୍ଧି ଧରି ଋଷିଆ ଭାରତର ଏକ ଭରସାଯୋଗ୍ୟ ସହଯୋଗୀ ରହିଆସିଛି । ଦୁଇ ଦେଶ ମଧ୍ୟର ଉତ୍ତମ କୂଟନୈତିକ ସମ୍ବନ୍ଧ ରହିଛି । ପ୍ରତିରକ୍ଷା ଉପକରଣ ଯୋଗାଣ କ୍ଷେତ୍ରରେ ମଧ୍ୟ ଋଷିଆ ଉପରେ ଭାରତ ଅଧିକ ନିର୍ଭରଶୀଳ । ଏମିତିକି ଯୁଦ୍ଧ ଯୋଗୁଁ ତୈଳ ଦର ବୃଦ୍ଧି ସମୟରେ ଭାରତ ଋଷିଆ ଠାରୁ ରିହାତି ଦରରେ ତୈଳ କ୍ରୟ କରିଛି । ଏହାବ୍ୟତୀତ, ଭାରତ ଭାବୁଛି ଯେ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ରାଷ୍ଟ୍ରପତି ପୁଟିନଙ୍କୁ ବୈଶ୍ବିକ ରୂପେ ଅଲଗା କରିବା ଏବଂ ମୋଦିଙ୍କ ଭଳି ଗ୍ଲୋବାଲ ସାଉଥ ନେତାଙ୍କୁ ଋଷ ବିରୋଧୀ କରିବା । ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦି ଶାନ୍ତି ସମ୍ମିଳନୀରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କ ବଦଳରେ ଭାରତ ସରକାର ପବନ କପୁରଙ୍କୁ ପଠାଇଥିଲେ ଯାହାକି ଦେଶର କୂଟନୈତିକ ସନ୍ତୁଳନକୁ ଦର୍ଶାଇଥିଲା ।
ଭାରତ ଋଷିଆ ଓ ୟୁକ୍ରେନ ମଧ୍ୟରେ କୂଟନୈତିକ ସନ୍ତୁଳନ ବଜାୟ ରଖିଛି । ଭାରତ ଆଲୋଚନା ଓ କୂଟନୀତି ଦ୍ବାରା ଶାନ୍ତି ପ୍ରତିଷ୍ଠା ପାଇଁ ଲଗାତାର ଆହ୍ବାନ ଦେଇଆସୁଛି । ଯଦିଓ ନୂଆଦିଲ୍ଲୀ ଋଷିଆ ଆକ୍ରମଣକୁ ସ୍ପଷ୍ଟ ଭାବେ ନିନ୍ଦା କରିନି, ୟୁଏନଏସସିରେ ଭାରତ ଏକ ସ୍ପଷ୍ଟ ଭୂମିକା ନିର୍ବାହ କରିବା ସହ ଋଷିଆ ବିରୋଧୀ ଅନେକ ପ୍ରସ୍ତାବରେ ମତଦାନରୁ ନିବୃତ ରହିଛି ।
ଭାରତ ସଦାସର୍ବଦା ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଜୋର ଦେଇଆସିଛି । ବୁଚା ନରସଂହାରର ଅନ୍ତରାଷ୍ଟ୍ରୀୟ ଯାଞ୍ଚ ପାଇଁ ଆହ୍ବାନ କରିଛି ଏବଂ ଋଷ ନେତାଙ୍କ ଦ୍ବାରା ପରମାଣୁ ଧମକ ନେଇ ଚିନ୍ତା ବ୍ୟକ୍ତ କରିଛି । ଦେଶ ମାନବୀୟ ସଙ୍କଟର ସ୍ବୀକାର କରିବା ସହ ୟୁକ୍ରେନକୁ ମାନବୀୟ ସହାୟତା ପ୍ରଦାନ କରିଛି । ଭାରତ ଦ୍ବାରା ୟୁକ୍ରେନକୁ ପ୍ରଦତ୍ତ ମାନବୀୟ ସହାୟତା ମଧ୍ୟରେ ୧୧୭ ମେଟ୍ରିକ ଟନ ମେଡିସିନ, ଚିକିତ୍ସା ଉପକରଣ, କମ୍ବଳ, ଟେଣ୍ଟ, ସୌରଲ୍ୟାମ୍ପ, ଡିଗନିଟି କିଟ୍, ସ୍ଲିପିଙ୍ଗ ମ୍ୟାଟ, ଡିଜେଲ ଜେନେରେଟର ସେଟ୍ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହାସହିତ ଭାରତ କିଭ୍ରେ ଗୋଟିଏ ସ୍କୁଲର ପୁନର୍ନିମାଣ ପାଇଁ ଆର୍ଥିକ ସହୟତା ମଧ୍ୟ ପ୍ରଦାନ କରିଛି ।
ଅନ୍ତରାଷ୍ଟ୍ରୀୟ ବିଶେଷଜ୍ଞଙ୍କ କହିବା କଥା, ଏକ ଭରସାଯୋଗ୍ୟ ସହଭାଗୀ ଭାବେ ଋଷିଆ ସହ ଆଲୋଚନା ପାଇଁ ଭାରତର କ୍ଷମତା ଅଛି । ଉଭୟ ୟୁକ୍ରେନ ଓ ଋଷିଆ ସହ ଭାରତର କୂଟନୈତିକ ସମ୍ପର୍କ ଥିବାରୁ ଏହି ସମସ୍ୟାର ସମାଧାନ ପାଇଁ ଭାରତ ଆଲୋଚନା କରିପାରିବ ।
ହର୍ଷ ପନ୍ଥଙ୍କ ଭଳି ବିଶେଷଜ୍ଞମାନେ ଆଶା କରିଥିଲେ ଯେ ଏହି ସମ୍ମିଳନୀରେ ମୋଦିଙ୍କ ଉପସ୍ଥିତି ଶକ୍ତି ସଙ୍କଟ, ଖାଦ୍ୟ ନିରାପତ୍ତା ଏବଂ ଯୋଗାଣ ଶୃଙ୍ଖଳା ଭଳି ଉଦୀୟମାନ ଅର୍ଥନୀତି କ୍ଷେତ୍ରରେ ଭାରତକୁ ଏକ ମଶାଲ ଭାବେ ସ୍ଥାନିତ କରିପାରିବ । ମାତ୍ର ଏହି ଶାନ୍ତି ସମ୍ମିଳନୀ ଘୋଷଣାନାମାରେ ଭାରତର ପ୍ରତିନିଧି ଦସ୍ତଖତ କରିନଥିଲେ ।
ଅନ୍ୟପଟେ ସମ୍ମିଳନୀରେ ଭାରତ ଦସ୍ତଖତ ନକରିବା, ପ୍ରଧାନମନ୍ତ୍ରୀ ମୋଦି ଯୋଗ ନଦେବା ଏବଂ ତାଙ୍କ ବଦଳରେ ଜଣେ ଅଧିକାରୀଙ୍କୁ ପଠାଇ ମୋଦି ଏହା ବାର୍ତ୍ତା ଦେଇଛନ୍ତି ଯେ, ସେ ଋଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଅଲଗା କରିବାକୁ ପାଶ୍ଚତ୍ୟ ଦେଶର ପ୍ରୟାସକୁ ସମର୍ଥନ କରୁନାହାନ୍ତି ।