ହାଇଦ୍ରାବାଦ: ଜଳସଙ୍କଟ ଦ୍ରୁତଗତିରେ ମଣିଷ ସମାଜ ପ୍ରତି ବଡ଼ ବିପଦ ହେବାକୁ ଯାଉଛି । ଆଫ୍ରିକା ଓ ଦକ୍ଷିଣ ଏସିଆର କିଛି ଅଂଶରେ ସବୁଠୁ ଉତ୍କଟ ଜଳସଙ୍କଟ ଦେଖିବାକୁ ମିଳେ । ୨୦୩୦ ସୁଦ୍ଧା ବିଶ୍ବରେ ଜଳର ବ୍ୟବହାର ପ୍ରାୟ ୨ ଟ୍ରିଲିୟନ କ୍ୟୁବିକ ମିଟର ବୃଦ୍ଧି ପାଇବାର ଆକଳନ କରାଯାଉଛି, ଯାହାକି ଯୋଗାଣ ଠାରୁ ପ୍ରାୟ ୪୦ ପ୍ରତିଶତ ଅଧିକ । ଅନ୍ୟପଟେ ୨୦୧୮ରୁ ୨୦୫୦ ମଧ୍ୟରେ ବିଶ୍ବ ସହରୀ ଜନସଂଖ୍ୟାର ଆନୁମାନିକ ବୃଦ୍ଧି କ୍ଷେତ୍ରରେ ଭାରତ ଆଗରେ ରହିଛି । ଅନ୍ୟ ଦେଶର ସହର ଅପେକ୍ଷା ଭାରତର ସହରରେ ଜନସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ୧୯୦୧ରେ ଦେଶର ସହରୀ ଜନସଂଖ୍ୟା ୧୧ ପ୍ରତିଶତ ଥିଲା । ୨୦୧୭ ସୁଦ୍ଧା ଏହା ବୃଦ୍ଧି ପାଇଁ ୩୭.୭ ପ୍ରତିଶତ ରହିଥିଲା, ଯାହାକି ଜଳସମ୍ପଦ ଉପରେ ଅଧିକ ଚାପ ସୃଷ୍ଟି କରୁଛି ।
ଏକ୍ସପର୍ଟଙ୍କ ଅନୁସାରେ ଜନସଂଖ୍ୟା ବୃଦ୍ଧି, ସହରୀକରଣ, ସହରୀ ସ୍ଥାନାନ୍ତରଣ, ଦ୍ରୁତ ଶିଳ୍ପାୟନ ଓ ଜଳବାୟୁ ପରିବର୍ତ୍ତନ ଆଦି ଜଳାଭାବର ମୁଖ୍ୟ କାରଣ । ତା' ଉପରେ ଜଳ ପ୍ରଦୂଷଣ, ଚୋରି, ଲିକେଜ ଏବଂ ଅନାବଶ୍ୟକୀୟ ବ୍ୟବହାର ଏହି ଜଳ ସମସ୍ୟାକୁ ଅଧିକ ଘନୀଭୂତ କରୁଛି । ପ୍ରତିକୂଳ ପାଣିପାଗ, ଅସ୍ବାଭାବିକ ବର୍ଷା ଯୋଗୁଁ ଗ୍ରାମାଞ୍ଚଳର ମଧ୍ୟ କୃଷି ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି । ଏହି ସ୍ଥିତି ଆଗରୁ ଆହୁରି ଜଟିଳ ହେବାର ଆଶଙ୍କା କରାଯାଉଛି । ଜଳବାୟୁ ପରିବର୍ତ୍ତନ ଓ ଜଳସମ୍ପଦର ନିମ୍ନମାନର ପରିଚାଳନ ଯୋଗୁଁ ବିଗତ ୩ ଦଶନ୍ଧି ଧରି ଭାରତରେ ଭୂତଳ ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଉଛି ।
୧୯୬୦ରେ ସବୁଜ ବିପ୍ଲବ ପର ଠାରୁ ଦେଶରେ ବଢୁଥିବା ଜନସଂଖ୍ୟାର ଭୋକ ମେଣ୍ଟାଇବାକୁ ଧାନ ଭଳି ଫସଲ ଉତ୍ପାଦନ ପାଇଁ ଭୂତଳ ଜଳ ଏକ ପ୍ରମୁଖ ଉତ୍ସ । ଭାରତ ପ୍ରତିବର୍ଷ ୭୫ ବିଲିୟନ କ୍ୟୁବିକ ମିଟର ଭୂତଳ ଜଳ ଉତ୍ତୋଳନ କରେ, ଯାହାକି ବିଶ୍ବରରେ ଉତ୍ତୋଳନ ଭୂତଳ ଜଳର ପ୍ରାୟ ଏକ ତୃତୀୟାଂଶ । ଇଣ୍ଡୋ-ଗାଙ୍ଗେଟିକ କ୍ଷେତ୍ରରେ ଅତ୍ୟଧିକ ଭୂତଳ ଜଳ ଉତ୍ତୋଳନ ହାଇଡ୍ରୋଲୋଜିକାଲ ସନ୍ତୁଳନ ପ୍ରତି ବିପଦ ସୃଷ୍ଟି କରୁଛି । ସର୍ବାଧିକ ପ୍ରଭାବିତ କ୍ଷେତ୍ରରେ ପାକିସ୍ତାନ ସ୍ଥିତ ପଞ୍ଜାବର କିଛି ଅଂଶ ଏବଂ ଭାରତର ହରିୟାମା, ଉତ୍ତରପ୍ରଦେଶ ବିହାର ଓ ପଶ୍ଚିମବଙ୍ଗ ସାମିଲ୍ ରହିଛି ।
ଗତ ୫୦ ବର୍ଷରେ ଭାରତରେ ଭୂତଳ ଜଳ ବ୍ୟବାହ 10-20 km3ରୁ 240-260 km3 ବୃଦ୍ଧି ପାଇଛି । ୨୦୧୫-୧୬ରେ ଏକ ପରଫର୍ମମାନ୍ସ ଏଡିଟ ରିପୋର୍ଟରେ, ଦେଶର ୨୪ରୁ ୧୪ଟି ରାଜ୍ୟ ଜଳ ପରିଚାଳନାରେ ୫୦ ପ୍ରତିଶତରୁ କମ୍ ସ୍କୋର କରିଥିଲେ । ଏଗୁଡିକ ମୁଖ୍ୟତଃ ଉତ୍ତର ଓ ପୂର୍ବ ଭାରତ ଏବଂ ଊତ୍ତରପୂର୍ବ ଓ ହିମାଳୟ ରାଜ୍ୟ ରହିଥିଲେ ।
ନୀତି ଆୟୋଗ ରିପୋର୍ଟରେ କୁହାଯାଇଛି, ୨୦୩୦ ସୁଦ୍ଧା ଭାରତର ୪୦ ପ୍ରତିଶତ ଜନସଂଖ୍ୟା ପାନୀୟ ଜଳ ସୁବିଧାରୁ ବଞ୍ଚିତ ହେବେ । ଏଥିପାଇଁ ଆୟୋଗ ଦେଶର କିଛି ପ୍ରମୁଖ ସହରଗୁଡିକୁ ସତର୍କ କରାଇଛି । ଏହି ଜଳସଙ୍କଟର ପରିଣାମ ସୁଦୂର ପ୍ରସାରୀ ହୋଇପାରେ । କାରଣ ଜଳର ଅଭାବ ଖାଦ୍ୟ ଯୋଗାଣକୁ ପ୍ରଭାବିତ କରିବ । ଏହାଦ୍ବାରା ଦରଦାମ ବୃଦ୍ଧି ପାଇବା ସହ ସାମାଜିକ ଅଶାନ୍ତି ସୃଷ୍ଟ ହେବ ।
ଭୂତଳ ଜଳ ପ୍ରଦୂଷଣ:
ଜଳର ଉତ୍ସ କମିବା ସହିତ ଭୂତଳ ଜଳ ପ୍ରଦୂଷଣ ଦେଶର ବିଭିନ୍ନ ସ୍ଥାନରେ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ବିଶ୍ବ ଜଳ ଗୁଣବତ୍ତା ସୂଚକାଙ୍କରେ ୧୨୨ ଦେଶ ମଧ୍ୟରେ ଭାରତ ୧୨୦ତମ ସ୍ଥାନରେ ରହିଛି । ଓଡ଼ିଶା, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଗୁଜୁଜାଟର କିଛି ଅଂଶ ଭୂଗର୍ଭିୟ ଓ ମାନବଜନିତ ପ୍ରଦୂଷଣ ଦ୍ବାରା ପ୍ରଭାବିତ ହେଉଛି । ଓଡ଼ିଶା ଓ ରାଜସ୍ଥାନର କିଛି ଜିଲ୍ଲାରେ ବିଷାକ୍ତ ଫ୍ଲୋରାଇଡ ରିପୋର୍ଟ ମିଳିଛି, ଯାହା କାରଣରୁ ବିଶେଷକରି ପିଲାଙ୍କ ମଧ୍ୟରେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି । ବିଭିନ୍ନ ଅଧ୍ୟୟନରୁ ନଦୀଗୁଡିକର ନିମ୍ନ ଭାଗରେ ଲବଣତା ଓ ନାଇଟ୍ରେଟ ପ୍ରଦୂଷକ ବୃଦ୍ଧି ପାଇଥିବା ଜଣାପଡିଛି । ସେହିପରି ବେଙ୍ଗଲ ବେସିନରେ ବିଷାକ୍ତ ଆର୍ସେନିକ ଅନ୍ୟ ଏକ ଗୁରୁତର ସମସ୍ୟା ଭାବେ ରହିଛି ।
ୟୁରାନିୟମକୁ ଛାଡି ବାକି ସବୁ ପ୍ରଦୂଷକକୁ ପାଣିର ବାହାର କରାଯାଇପାରିବ । ମାତ୍ର ଦେଶରେ ଉଭୟ ବର୍ଜ୍ୟ ଜଳ ଓ ପାନୀୟ ଯୋଗ୍ୟ ଜଳ ବିଶୋଧନ ପାଇଁ ଉପଯୁକ୍ତ ବୈଷୟିକ ପ୍ରତିକାର ଅଭାବ ରହିଛି । ଭାରତର ଅଧିକାଂଶ ବଡ଼ ସହରରେ ବର୍ଜ୍ୟଜଳ ବିଶୋଧନ ଲାଗି ଟ୍ରିଟମେଣ୍ଟ ପ୍ଲାଣ୍ଟ ନାହିଁ । ଉଦାହରଣସୂରୁପ, କୋଲକାତାରେ ପ୍ରତିଦିନ ପ୍ରାୟ ୭୫୦ ମିଲିୟନ ଲିଟର ବର୍ଜ୍ୟଜଳ ଓ ସିୱେଜ ବାହାରିଥାଏ । ମାତ୍ର ସହରରେ ଗୋଟିଏ ବି ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନଥିବାରୁ ଏହି ବର୍ଜ୍ୟଜଳ ଶେଷରେ ପୂର୍ବ କୋଲକାତା ଆଦ୍ରଭୂମିରେ ମିଶିଥାଏ ।
ରାଜନେତାମାନେ ଜଳସଙ୍କଟର ସମାଧାନ ପାଇଁ ବର୍ତ୍ତମାନ ପ୍ରମୁଖ ନଦୀଗୁଡିକୁ ପରସ୍ପର ସହ ଯୋଡିବାକୁ ଚିନ୍ତା କରୁଛନ୍ତି । ଯାହାକି ବହୁତ ବଡ଼ ଭୁଲ୍ । ସମସ୍ତେ ଜାଣିରଖିବା ଉଚିତ୍ ଯେ, ସୋଭିଏତ ଜଳସେଚନ ପ୍ରୋଜେକ୍ଟରେ ନଦୀଗୁଡିକର ଦିଗ ବଦଳାଇବା ଦ୍ବାରା 'ଅରଲ ସି' ନାମକ ଏବ ବଡ଼ ହ୍ରଦ କେମିତି ଶୁଖିଯାଇଥିଲା । ଏହି ହ୍ରଦ ଏକ ମରୁଭୂମି ଖଣ୍ଡରେ ପରିଣତ ହେବା ସହ ଏହାସହିତ ସଂଯୋଗ ହୋଇଥିବା ପୁରା ଇକୋ ସିଷ୍ଟମକୁ ନଷ୍ଟ କରିଦେଇଥିଲା । ନଦୀଗୁଡିକୁ ଡାଇଭର୍ଟ କରି ଆମେ ଡେଲ୍ଟା କ୍ଷେତ୍ରରୁ ମଧୁର ଜଳରୁ ବଞ୍ଚିତ କରିବା, ଯାହାକି ସମୁଦ୍ରରୁ ଆସୁଥିବା ଖାର ପାଣିକୁ ସନ୍ତୁଳନ କରିବାର ସହାୟକ ହୋଇଥାଏ ।
ଜଳସଙ୍କଟର ସମାଧାନ:
ନିମ୍ନମାନର ଜଳ ଓ ପରିବେଶ ପରିଚାଳନା, ଅପର୍ଯ୍ୟାପ୍ତ ଓ ଅସ୍ପଷ୍ଟ ଆଇନ ଏବଂ ଦୁର୍ନୀତି ଯୋଗୁଁ ଭାରତରେ ଜଳସଙ୍କଟ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ଜାତୀୟ ଜଳ ନୀତିରେ ଜଳଉତ୍ସ ପରିଚାଳନା ପାଇଁ ଏକ ସାମଗ୍ରିକ ଦୃଷ୍ଟିକୋଣ ରହିବା ଉଚିତ୍, ଯେଉଁଥିରେ ଜଳବିଜ୍ଞାନୀ ଓ ଜୀବବିଜ୍ଞାନୀଙ୍କ ସହାୟତାରେ ଜଳବିଜ୍ଞାନ ଚକ୍ରର ନିରୀକ୍ଷଣ ପାଇଁ ସ୍ଥାନୀୟ ନାଗରିକଙ୍କୁ ସାମିଲ୍ କରିବା ଆବଶ୍ୟକ ।
ଏହି ନୀତିରେ ଉତ୍ତମ ଜଳ ପରିଚାଳନା ସହ ଜଳ ବ୍ୟବହାର ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ । ଚାଷ ଜମିରେ ଜଳସେଚନ ବେଳେ ଜଳର ଦକ୍ଷ ଉପଯୋଗ ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ । ବର୍ଜ୍ୟଜଳ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ କିନ୍ତୁ ସରକାର ଏହାକୁ ପୁନଃବ୍ୟବହାରକ୍ଷମ କରିବା ଦିଗରେ ସରକାର ଉପଯଉକ୍ତ ଖସଡ଼ା ପ୍ରସ୍ତୁତ କରିବା ଉଚିତ୍ । ମରୁଭୂମି ଦେଶ ଇସ୍ରାଏଲ, ଜଳସମ୍ପଦ ପରିଚାଳନା କ୍ଷେତ୍ରରେ ସବୁଠୁ ସଫଳ । ଆଉ ଇସ୍ରାଏଲର ଏହି ସଫଳତା ଏହାର ଜଳସେଚନ ଟେକନିକର ଆଧୁନିକରଣ ଯୋଗୁଁ ସମ୍ଭବପର ହୋଇପାରିଛି ।
ଦେଶରେ ବର୍ଜ୍ୟଜଳର ପୁନଃଚକ୍ରଣ ଉପରେ ସବୁଠୁ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ବର୍ଲିନ ସହରରେ ବର୍ଜ୍ୟଜଳ ବିଶୋଧନ ପାଇଁ ଏକ ଉତ୍କୃଷ୍ଠ ଭିତ୍ତିଭୂମି ଅଛି ଏବଂ ଭାରତୀୟ ସହରଗୁଡିକ ନିଜର ବର୍ଜ୍ୟଜଳ ପରିଚାଳନା ପ୍ଲାଣ୍ଟର ନବୀକରଣ ପାଇଁ ଏହାକୁ ଅନୁସରଣ କରିପାରିବେ ଯାହାମଧ୍ୟରେ ଫ୍ଲୋକ୍ୟୁଲେସନ-ଫିଲଟ୍ରାସନ ଏବଂ ଓଜୋନାଇଜେସନ ଭଳି ପଦ୍ଧତି ଅନ୍ତର୍ଭୁକ୍ତ ।