ଓ୍ବାଶିଂଟନ: ଆଜି ଇସଲାମ ଧର୍ମର ପବିତ୍ର ଇଦ ପର୍ବ । ମସଜିଦରେ ଲୋକଙ୍କ ଭିଡ ଜମିଥିବା ବେଳେ ହଠାତ ଖେଳିଯାଇଥିଲା ଆତଙ୍କ । ଇଦ୍ ଉଲ୍-ଫିତରରେ ମସଜିଦରେ ଫୁଟିଲା ଗୁଳି । ଗୁଳିମାଡରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ଆମେରିକାର ଫିଲାଡେଲଫିଆ ସହରର ପାର୍କସାଇଡ୍ ପଡ଼ିଆରେ ଥିବା ଏକ ବଡ ମସଜିଦରେ । ଇଦ ଅବସରରେ ଗତକାଲି ଠାରୁ ଏହି ମସଜିତ ବାହାରେ ଇସଲାମ ଭାଇ ଭଉଣୀ ମାନେ ଏକାଠି ହୋଇଥିଲେ । ଏହି ଘଟଣାରେ ପୋଲିସ 15 ବର୍ଷର ବାଳକ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି ।
ଫିଲାଡେଲଫିଆ ପୋଲିସ କମିଶନର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଇଦ ଅବସରରେ ମସଜିଦ ବାହାରେ ଲୋକ ମାନେ ଏକାଠି ହୋଇଥିବା ବେଳେ ହଠାତ ଗୁଳିକାଣ୍ଡ ଘଟିଥିଲା । ଫଳରେ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଜୀବନ ବିକଳରେ ଦୌଡିଥିଲେ । ମସଜିଦରେ ପ୍ରାୟ ଏକ ହଜାର ଲୋକ ଏକାଠି ହୋଇଥିଲେ । ଗୁଳିକାଣ୍ଡ ହେବାରୁ 3 ଜଣଙ୍କର ମୃତ୍ୟୁ ହୋଇଛି । ଗୁଳିକାଣ୍ଡ ପରେ ସ୍ଥାନୀୟ ଲୋକେ ସେମାନଙ୍କ ପ୍ରିୟଜନଙ୍କୁ ଖୋଜିଥିଲେ । କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି, ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ଆମେରିକାରେ 3 ପାଲେଷ୍ଟାଇନ ଛାତ୍ରଙ୍କୁ ଗୁଳିମାଡ, 'ହେଟ୍ କ୍ରାଇମ' ଅଭିଯୋଗ ଆଣିଲେ ପରିବାର
ପୋଲିସ ଆହୁରି ମଧ୍ୟ କହିଛି ଯେ, ବୁଧବାର ଅପରାହ୍ନରେ କ୍ଲାରା ମହମ୍ମଦ ସ୍କୋୟାରରେ ହୋଇଥିବା ଗୁଲିକାଣ୍ଡ ପରେ ତଦନ୍ତ କରାଯାଇଥିଲା । ଯେଉଁଠି ଇଦ ପାଇଁ ହଜାର ହଜାର ଲୋକ ଭିଡ ଜମାଇଥିଲେ କେଇ ସେକେଣ୍ଡ ମଧ୍ୟରେ ସେହି ସ୍ଥାନ ପୁରା ସ୍ତବ୍ଧ ହୋଇଯାଇଥିଲା । ଗୁଳିକାଣ୍ଡ ସନ୍ଦେହରେ 5 ଜଣଙ୍କୁ ଗିରଫ କରାଯାଇଛି । ସେମାନେ କାହିଁକି ଏପରି କାଣ୍ଡ ଭିଆଇଲେ ତାହା ତଦନ୍ତ ପରେ ଜଣାପଡିବ । ସେମାନଙ୍କ ମଧ୍ୟରେ 4ଜଣ ପୁଅ ଓ ଜଣେ ମହିଳା ରହିଛନ୍ତି ।
ଇଦ୍ ଉଲ୍-ଫିତର ହେଉଛି ମୁସଲମାନ ସମ୍ପ୍ରଦାୟର ସବୁଠାରୁ ବଡ ପର୍ବ । ପ୍ରତି ବର୍ଷ ଇଦ ପର୍ବକୁ ଗୋଟିଏ ମାସ ଧରି ଚାହିଁ ରହିଥାନ୍ତି ମୁସଲିମ ଭାଇ ଓ ଭଉଣୀ । ଏକ ମାସ ଧରି ରୋଜା ରଖି ନିଷ୍ଠାର ସହ ଏହି ପର୍ବ ପାଳନ କରିଥାନ୍ତି ମୁସଲମାନ ଭାଇଭଉଣୀମାନେ । ଯାହା ଇଦରେ ଶେଷ ହୋଇଥାଏ ।