ଇସଲାମାବାଦ: ପାକିସ୍ତାନ ସାଧାରଣ ନିର୍ବାଚନ ପାଇଁ ଭୋଟିଂ ସରିଥିବା ବେଳେ ଚାଲିଛି ମତଗଣନା । ବ୍ୟାପକ ହିଂସା ମଧ୍ୟରେ ଗତକାଲି(ଗୁରୁବାର) ପାକିସ୍ତାନ ସାଧାରଣ ନିର୍ବାଚନ ପାଇଁ ଭୋଟ ପଡିଥିବା ବେଳେ ଏବେ ମତ ଗଣନା ଜାରି ରହିଛି । ଏବେସୁଦ୍ଧା ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ପାର୍ଟି ପାକିସ୍ତାନ ତହରିକ ଏ- ଇନସାଫ(ପିଟିଆଇ) ସମର୍ଥିତ ପ୍ରାର୍ଥୀମାନେ ଆଗୁଆ ଥିବା ଜଣାପଡିଛି । ଆଜି ଅପରାହ୍ନ ସୁଦ୍ଧା ଗଣନା ଶେଷ ହେବା ପରେ ନିର୍ବାଚନର ଫଳାଫଳ ଘୋଷଣା ହେବ ।
ବ୍ୟାପକ ହିଂସା ମଧ୍ୟରେ ଗତକାଲି (ଗୁରୁବାର) ସରିଛି ପାକିସ୍ତାନ ସାଧାରଣ ନିର୍ବାଚନ ପାଇଁ ଭୋଟିଂ। ଭୋଟିଂ ସରିବା ପରେ ଗଣତି ଆରମ୍ଭ ହୋଇଯାଇଛି । ଆଜି ଅପରାହ୍ନରେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି । ଅନ୍ୟପଟେ ଜେଲରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତହରିକ ଏ- ଇନସାଫ(ପିଟିଆଇ) ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ସମଗ୍ର ଦେଶରେ ବିଭିନ୍ନ ନିର୍ବାଚନ କ୍ଷେତ୍ରରେ ଆଗୁଆ ଥିବା ଜଣାପଡିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପାର୍ଟି ପିଏମଏଲ-ଏନ କୁ କଡା ଟକ୍କର ଦେଉଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ମତଗଣନା ଆରମ୍ଭ ହେବାର 10 ଘଣ୍ଟା ପରେ ମଧ୍ୟ ନିର୍ବାଚନ କମିଶନ ପକ୍ଷରୁ ଫଳାଫଳ ଘୋଷଣା କରାଯାଇ ପାରିନାହିଁ । ଯାହାକୁ ନେଇ ନିର୍ବାଚନ କମିଶନଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । 10 ଘଣ୍ଟା ପରେ ଶୁକ୍ରାବାର ଭୋର 3ଟାରେ ଇସଲାମାବାଦରେ ସାମ୍ବାଦିକ ସମ୍ମିଳନୀରେ ପ୍ରଥମ ପର୍ଯ୍ୟାୟ ଫଳାଫଳ ଘୋଷଣା କରିଛନ୍ତି ଇସିପି ସ୍ୱତନ୍ତ୍ର ସଚିବ ଜଫର ଇକବାଲ । ସଚିବଙ୍କ ସୂଚନା ଅନୁଯାୟୀ, ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନ ପାଖାପାଖି 150 ସିଟରେ ଆଗୁଆ ଥିବା ବେଳେ କିଛି ଆସନରେ ଜିତ ହାସଲ କରିଛନ୍ତି ।
ସୂଚନା ଅନୁଯାୟୀ, ପିଟିଆଇ ସମର୍ଥିତ ପ୍ରାର୍ଥୀ 154ଟି ଆସନରେ ଆଗୁଆ ଥିବା ବେଳେ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି) ଓ ପାକିସ୍ତାନ ମୁସଲିମ ଲିଗ ନଓ୍ବାଜ (ପିଏମଏଲ-ଏନ) 47 ଲେଖାଏଁ ଆସନରେ ଆଗୁଆ ରହିଥିବା ଜଣାପଡିଛି । ସେହିଭଳି ଏମକ୍ୟୁଏମ ଓ ଜାମିଅତ ଉଲେମା-ଏ -ଇସଲାମ (ଏଫ) 4 ଟି ଲେଖାଁ ଆସନରେ ଆଗୁଆ ରହିଛନ୍ତି ।
ପିଏମଏଲ-ଏନ ପାର୍ଟିର ଶେହବାଜ ସରିଫ ଓ ପିଟିଆଇ ଦଳର ଶାନ୍ଦନା ଏନଏ ସିଟରେ ଜିତ୍ ହାସଲ କରିଛନ୍ତି । ପିଏମଏଲ-ଏନ ପାର୍ଟିର ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ 63, 953 ଭୋଟରେ ଲାହୋରର ଏନଏ- 123 ସିଟରେ ବିଜୟ ହାସଲ କରିଥିବା ନେଇ ପାକିସ୍ତାନ ନିର୍ବାଚନ କମିଶନର ପକ୍ଷରୁ ସୂଚନା ଜାରି କରାଯାଇଛି । ନୂଆ ସରକାର ଗଠନ କରିବାକୁ ହେଲେ ଯେକୌଣସି ପାର୍ଟିକୁ ମୋଟ 265 ଆସନ ମଧ୍ୟରୁ 133 ଆସନରେ ବିଜୟ ହାସଲ କରିବାକୁ ପଡ଼ିବ ।
ଏହାମଧ୍ୟ ପଢନ୍ତୁ..ମୋବାଇଲ-ଇଣ୍ଟରନେଟ ସେବା ବନ୍ଦ: ଉତ୍ତେଜନା ମଧ୍ୟରେ ଶେଷ ହେଲା ପାକିସ୍ତାନ ନିର୍ବାଚନ
ଅନ୍ୟପଟେ ପାକିସ୍ତାନରେ ନିର୍ବାଚନ ସମୟରେ ହିଂସାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ୟୁଏନ ମୁଖ୍ୟ ସାଧାରଣ ସମ୍ପାଦକ ଆଣ୍ଟୋନି ଗୁଏଟର୍ସ । ନିର୍ବାଚନ ସମୟରେ ଏଭଳି ଉତ୍ତେଜନା ଓ ମୋବାଇଲ ଇଣ୍ଟରନେଟ ସେବା ବନ୍ଦକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି ।
ଚଳିତ ନିର୍ବାଚନରେ ପାକିସ୍ତାନରେ ସାଧାରଣ ନିର୍ବାଚନ ସହ 4ଟି ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଛି । ଉଭୟ ନିର୍ବାଚନରେ ପ୍ରାୟ 18 ହଜାର ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି । ସାଧାରଣ ନିର୍ବାଚନରେ ମୋଟ 44 ରଜନୈତିକ ଦଳ ଅଂଶଗ୍ରହଣ କରିଛନ୍ତି । ପାକିସ୍ତାନର ନ୍ୟାସନାଲ ଆସେମ୍ୱ୍ଲିରେ 266 ଆସନ ପାଇଁ ଭୋଟଗ୍ରହଣ ହୋଇଛି । ଏଥିମଧ୍ୟରୁ 70 ଆସନ ମହିଳା ଓ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷିତ ରହିଛି । 60 ଆସନ ମହିଳା ଓ ମାତ୍ର 10 ଆସନ ସଂଖ୍ୟାଲଘୁ ତଥା ଅଣମୁସଲିମ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ବ୍ୟବସ୍ଥା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ