ଜେରୁଜେଲମ: ଅଶାନ୍ତ ହେଉଛି ମଧ୍ୟପ୍ରାଚ୍ୟ । ଇରାନ ଓ ଇସ୍ରାଏଲ ମଧ୍ୟରେ ବଢୁଥିବା ଉତ୍ତେଜନା କ୍ରମଶଃ ଯୁଦ୍ଧର ମୋଡ ନେଉଛି । ଇସ୍ରାଏଲ ଉପରେ ସିଧାସଳଖ ଆକ୍ରମଣ ଆରମ୍ଭ କରିଛି ଇରାନ । ଶନିବାର ବିଳମ୍ବିତ ରାତିରେ ଇରାନ ଇସ୍ରାଏଲ ଅଞ୍ଚଳରେ ଘନ ଘନ ମିଶାଇଲ ମାଡ ସହ ଡ୍ରୋନ ଆକ୍ରମଣ କରିଛି । ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଡ୍ରୋନ ସହ ବାଲାଷ୍ଟିକ ଓ କ୍ରୁଜ ମିଶାଇଲ ମାଡ କରିଛି । ଏହି ଆକ୍ରମଣ ପରେ ହାଇଆଲର୍ଟରେ ରହିଛି ଇସ୍ରାଏଲ ବାୟୁ ଓ ନୌସେନା । ଇରାନର ମୁକାବିଲା ନିମନ୍ତେ ଲଢୁଆ ଜେଟ ଏବଂ ନୌସେନା ଜାହାଜ ତୟାର ରଖାଯାଇଛି । ଏଥିସହ ଇସ୍ରାଏଲ ତା'ର ଆକାଶ ପଥରେ ସମସ୍ତ ବିମାନ ଉଡାଣ ବନ୍ଦ କରିଛି ।
ଇରାନ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ IDF ସେନା ମୁଖ୍ୟାଳୟରେ ୱାର କ୍ୟାବିନେଟ ବୈଠକ କରିଛନ୍ତି । ଯୁଦ୍ଧ ସ୍ଥିତି ନେଇ ଆମେରିକା ରାଷ୍ଟ୍ରପତି ଡୋ ବାଇଡେନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ନେତାନ୍ୟାହୁ । ଇସ୍ରାଏଲ ସେନା ଦାବି କରିଛି ଯେ, ଇରାନ ପକ୍ଷରୁ ୧୦୦ରୁ ଅଧିକ ଡ୍ରୋନ ମାଡ କରାଯାଇଛି । ଏବେ ଉଭୟ ବାୟୁସେନା ଓ ନୌସେନା ହାଇଆଲର୍ଟରେ ରହିବା ସହ ସ୍ଥିତି ଉପରେ ଲଗାତାର ନଜର ରଖିଛି । ନେତାନ୍ୟାହୁ କହିଛନ୍ତି, ''ନିକଟ ବର୍ଷରେ ତଥା ସପ୍ତାହରେ ଇସ୍ରାଏଲ ଇରାନ ଦ୍ବାରା ସିଧାସଳଖ ଆକ୍ରମଣ ପାଇଁ ପ୍ରସ୍ତୁତି କରିଛି । ଆମର ପ୍ରତିରକ୍ଷା ସିଷ୍ଟମ ମୁତୟନ ହୋଇଛନ୍ତି । ଉଭୟ ରକ୍ଷାତ୍ମକ ତଥା ଆକ୍ରମଣାତ୍ମକ ଭାବେ ଆମେ ଯେକୌଣସି ସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତ । ଇସ୍ରାଏଲ ମଜବୁତ । ଏହାର IDF ଏବଂ ଇସ୍ରାଏଲବାସୀ ଶକ୍ତିଶାଳୀ ।'' ସେପଟେ ଆମେରିକା ଇସ୍ରାଏଲକୁ ସମର୍ଥନ କରିବା ସହ ସବୁପ୍ରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ ଥିବା ଘୋଷଣା କରିଛି ।
ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଇରାନର ଡ୍ରୋନ ଆକ୍ରମଣକୁ ନିନ୍ଦା କରିଛନ୍ତି । ସୁନକ କହିଛନ୍ତି, ଏହି ଆକ୍ରମଣ ଉତ୍ତେଜନା ବଢାଇବା ସହ ଆଞ୍ଚଳିକ ଅସ୍ଥିରତା ସୃଷ୍ଟି କରିଛି । ଇରାନ ପୁଣିଥରେ ଦର୍ଶାଇଛି ଯେ, ଏହା ନିଜର ପଛପଟେ ଅରାଜକତା ମଞ୍ଜି ବୁଣିବାକୁ ଚାହୁଁଛି । କାନାଡା, ଫ୍ରାନ୍ସ, ଜର୍ମାନ ମଧ୍ୟ ଇରାନର ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି । ଅନ୍ୟପଟେ ଏହି ଆକ୍ରମଣ ନେଇ ଜରୁରୀକାଳୀନ ବୈଠକ ଡାକିଛି ଜାତିସଂଘ । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଆକ୍ରମଣକୁ ନିନ୍ଦା କରିବା ସହ ଏହି ଶତ୍ରୁତା ତୁରନ୍ତ ଶେଷ କରିବାକୁ ଆହ୍ବାନ କରିଛନ୍ତି ।