ୱାଶିଂଟନ: ବିଶ୍ବରେ ପ୍ରଥମ ଥର ମୃତ୍ୟୁଦଣ୍ଡ ପାଇଁ ନାଇଟ୍ରୋଜେନ(ୟବକ୍ଷାରଜାନ) ଗ୍ୟାସର ବ୍ୟବହାର ହୋଇଛି । ଆମେରିକାର ଆଲବାମାରେ ଜଣେ ଦୋଷୀକୁ ନାଇଟ୍ରୋଜେନ ଗ୍ୟାସ ଦ୍ବାରା ମୃତ୍ୟୁଦଣ୍ଡ ଦିଆଯାଇଛି । ମୃତକଙ୍କ ନାମ କେନେଥ୍ ଇଉଜିନ ସ୍ମିଥ ଏବଂ ୩୫ ବର୍ଷ ତଳେ ଜଣେ ମହିଳାଙ୍କୁ ହତ୍ୟା କରିବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଗତ ଗୁରୁବାର ରାତିରେ ସ୍ମିଥଙ୍କୁ ଫେସ୍ ମାସ୍କ ଜରିଆରେ ନାଇଟ୍ରୋଜେନ ଗ୍ୟାସ ଦେଇ ମୃତ୍ୟୁଦଣ୍ଡ ଦିଆଯାଇଛି । ଯାହାକି ଆମେରିକାରେ ପ୍ରଥମ ଘଟଣା ।
ଦୀର୍ଘ ତିନି ଦଶନ୍ଧି ତଳେ ୫୮ ବର୍ଷୀୟ କେନେଥ୍ ଇଉଜିନ ସ୍ମିଥ ଓ ତାଙ୍କର ସହଯୋଗୀ ଜନ୍ ପାର୍କେର ମିଶି ଏଲିଜାବେଥ ସେନେଟ୍ଟା ନାମକ ମହିଳାଙ୍କୁ ହତ୍ୟା କରିଥିଲେ । ଦୁହିଁଙ୍କୁ ଏଥିପାଇଁ ସୁପାରୀ ମିଳିଥିଲା । ଏହି ହତ୍ୟା ମାମଲାରେ ୧୯୮୮ ମସିହାରେ ସ୍ମିଥ ଓ ପାର୍କେରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ପରେ ୨୦୧୦ ମସିହାରେ ପାର୍କେରକୁ ବିଷାକ୍ତ ଇଞ୍ଜେକ୍ସନ ଜରିଆରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ସେହିପରି ୨୦୨୨ ନଭେମ୍ବରରେ ସ୍ମିଥଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାକୁ ଥିଲା । କିନ୍ତୁ ସେତେବେଳେ ଏହା ସମ୍ଭବ ହୋଇପାରି ନଥିଲା ।
ଏହା ମଧ୍ୟ ପଢନ୍ତୁ: ଉତ୍ତର କୋରିଆର ବର୍ବରତା: ଫିଲ୍ମ ଦେଖିବାରୁ ଦୁଇ ସ୍କୁଲ ଛାତ୍ରଙ୍କୁ ମୃତ୍ୟୁଦଣ୍ଡ
କେନେଥ୍ ସ୍ମିଥଙ୍କ ମୃତ୍ୟୁଦଣ୍ଡାଦେଶ ଉପରେ ରୋକ୍ ଲଗାଇବାକୁ ଶେଷ ମୁହୂର୍ତ୍ତରେ ଆମେରିକା ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ ହୋଇଥିଲା । କିନ୍ତୁ କୋର୍ଟ ଏହାକୁ ଖାରଜ କରିଦେଇଥିଲେ । ଏହାପରେ ଗତ ଗୁରୁବାର ରାତି ୮ଟା ୨୫ ମିନିଟ୍ (ସ୍ଥାନୀୟ) ସମୟରେ ଆଟମୋରଠାରେ ସ୍ମିଥଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ସୂଚନା ମିଳିଛି । ଏଥିପାଇଁ ଫେସ୍ ମାସ୍କ ଜରିଆରେ ତାଙ୍କୁ ନାଇଟ୍ରୋଜେନ ଗ୍ୟାସ୍ ଦିଆଯାଇଥିଲା । ଏଥିରେ ତାଙ୍କର ଶରୀରରେ ଅମ୍ଳଜାନ ଅଭାବ ହୋଇଥିଲା ଏବଂ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ଏହି ମୃତ୍ୟୁଦଣ୍ଡ ପ୍ରକ୍ରିୟା ସମୟରେ ଗଣମାଧ୍ୟମରେ କେବଳ ୫ ଜଣ ପ୍ରତିନିଧି, ଦୋଷୀ ସ୍ମିଥଙ୍କ ପରିବାର ଏବଂ ମୃତ ମହିଳାଙ୍କ ପରିବାର ଲୋକେ ଉପସ୍ଥିତ ରହିଥିଲେ । ତେବେ ଆମେରିକାରେ ପ୍ରଥମ ଥର କୌଣସି ଦୋଷୀକୁ ମୃତ୍ୟୁଦଣ୍ଡ ପାଇଁ ନାଇଟ୍ରୋଜେନ ଗ୍ୟାସର ବ୍ୟବହାର କରାଯାଇଛି । ଏହି ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।