ହାଇଦ୍ରାବାଦ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ମୁସଲିମ ଦେଶରେ ପୂଜା ପାଇବେ ହିନ୍ଦୁ ଦେବତା । ୟୁନାଇଟେଡ୍ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିରେ ପ୍ରତିଷ୍ଠା ହେବ ପ୍ରଥମ ପାରମ୍ପାରିକ ହିନ୍ଦୁ ମନ୍ଦିର । ଆବୁଧାବିରେ ପ୍ରଥମ BAPS(ବୋଚାସନବାସୀ ଶ୍ରୀ ଅକ୍ଷର ପୁରୁଷୋତ୍ତମ ସ୍ବାମୀନାରାୟଣ ସଂସ୍ଥା) ହିନ୍ଦୁ ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବିଶାଳ ହିନ୍ଦୁ ମନ୍ଦିର ପ୍ରାୟ 27 ଏକର ଜମିରେ ତିଆରି ହୋଇଛି । ଦୁବାଇ-ଆବୁଧାବି ଶେଖ ଜାୟେଦ ଜାତୀୟ ରାଜପଥରେ ଏହି ମନ୍ଦିର ନିର୍ମାଣ କରାଯାଇଛି । ସଂଯୁକ୍ତ ଆରବ ଏମିରେଟ୍ସ ସରକାର ଏହି ମନ୍ଦିର ପାଇଁ ଜମି ଦାନ କରିଥିବା ବେଳେ 2019 ମସିହାରୁ ଆରମ୍ଭ ହୋଇଥିଲା ମନ୍ଦିର ନିର୍ମାଣ କାର୍ଯ୍ୟ ।
କେତେ ଟଙ୍କାରେ ତିଆରି ହୋଇଛି ମନ୍ଦିର: ପ୍ରାୟ 700କୋଟି ଟଙ୍କା ବ୍ୟୟରେ ଆବୁଧାବିରେ ତିଆରି ହୋଇଛି ଏହି ହିନ୍ଦୁ ମନ୍ଦିର । ୟୁଏଇରେ 3ଟି ହିନ୍ଦୁ ମନ୍ଦିର ରହିଥିବା ବେଳେ ଏହା ସବୁଠାରୁ ବଡ ମନ୍ଦିର । ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ 2019 ମସିହାରେ ଆରମ୍ଭ ହୋଇଥିବା ବେଳେ 2022 ମସିହାରେ ମନ୍ଦିର କାର୍ଯ୍ୟ ସମାପ୍ତ ହେବା ନେଇ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ କୋରୋନା ମହାମାରୀ ଯୋଗୁଁ ମନ୍ଦିର କାର୍ଯ୍ୟରେ ବିଳମ୍ବ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: ଉଦଘାଟନ ଅପେକ୍ଷାରେ ଆବୁଧାବିର ବିଶାଳ ହିନ୍ଦୁ ମନ୍ଦିର
2018ରେ ସ୍ଥାପନ ହୋଇଥିଲା ଭିତ୍ତିପ୍ରସ୍ତର: ଆବୁଧାବିରେ ତିଆରି ହୋଇଥିବା ଏହି ମନ୍ଦିର ମାର୍ବଲ ଏବଂ ବାଲୁକା ପଥରରେ ତିଆରି ହୋଇଛି । 2015 ମସିହାରେ ପ୍ରଧାନମନ୍ତ୍ରୀ ମୋଦି ୟୁଏଇ ଗସ୍ତ କରି ଦୁବାଇ-ଆବୁଧାବି ରାଜପଥରେ ମନ୍ଦିର ପ୍ରକଳ୍ପ ପାଇଁ 17 ଏକରରୁ ଅଧିକ ଜମି ଆବଣ୍ଟ କରିଥିଲେ । ଏହାପରେ 2018 ମସିହାରେ ମନ୍ଦିରର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ, ଆସନ୍ତାକାଲି ଆବୁଧାବିରେ ହିନ୍ଦୁ ମନ୍ଦିରର କରିବେ ଉଦଘାଟନ
ହିନ୍ଦୁ ମନ୍ଦିରର ବୈଶିଷ୍ଟତା:
- ୟୁଏଇରେ ଏହା ପ୍ରଥମ ଉଚ୍ଚତମ ହିନ୍ଦୁ ମନ୍ଦିର ।
- 27 ଏକର ଜମିରେ ତିଆରି ହୋଇଛି ମନ୍ଦିର ।
- BAPS ହିନ୍ଦୁ ମନ୍ଦିର ଆବୁଧାବିର ମୁରେଖା ଜିଲ୍ଲାରେ ରହିଛି ।
- ଉଦଘାଟନୀ ଉତ୍ସବରେ ପ୍ରାୟ 2ରୁ 5ହଜାର ଭକ୍ତ ମନ୍ଦିରରେ ଦର୍ଶନ କରିବା ନେଇ ବୈଦେଶିକ ସଚିବ ବିନୟ ମୋହନ କ୍ବାତ୍ରା ସୂଚନା ଦେଇଛନ୍ତି ।
- 2019 ଏପ୍ରିଲରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଡିସେମ୍ବର ମାସରେ ଆରମ୍ଭ ହୋଇଥିଲା ନିର୍ମାଣ କାର୍ଯ୍ୟ ।
- ସରକାରୀ ତଥ୍ୟ ଅନୁସାରେ, 2015 ମସିହାରେ ଆବୁଧାବିର କ୍ରାଉନ ପ୍ରିନ୍ସ ଏବଂ ଡେପୁଟି ସୁପ୍ରିମୋ କମାଣ୍ଡର ଶେଖ ମହମ୍ମଦ ବିନ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ 13.5 ଏକର ଜମି ପ୍ରଦାନ କରିଥିଲେ ।
- ଏହାପରେ 2019 ଜାନୁଆରୀ ମାସରେ ଅତିରିକ୍ତ 13.5 ଏକର ଜମି ଉପହାର ଦେଇଥିଲେ ୟୁଏଇ ସରକାର ।
- 2018 ମସିହାରେ ମନ୍ଦିରର ଭିତିପ୍ରସ୍ତର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- ପ୍ରାୟ 700 କୋଟି ଟଙ୍କାରେ ନିର୍ମାଣ ହୋଇଛି ମନ୍ଦିର ।
- ଏହି ପ୍ରକଳ୍ପ କାର୍ଯ୍ୟ ମହନ୍ତ ସ୍ବାମୀ ମହାରାଜଙ୍କ ନିର୍ଦ୍ଦେଶରେ ବ୍ରହ୍ମବିହାରୀଦାସ ସ୍ବାମୀ ତଦାରଖ କରୁଥିଲେ ।
- BAPS ହିନ୍ଦୁ ମନ୍ଦିରର ଉଦଘାଟନୀ ସମାରୋହକୁ ହାରମୋନି ଫେଷ୍ଟିଭାଲ ଭାବେ ପାଳନ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ