ଆଜିକାଲିର ଜୀବନଶୈଳୀ ଓ ଭୁଲ ଖାଦ୍ୟ ଅଭ୍ୟାସ କାରଣରୁ ବିଭିନ୍ନ ପ୍ରକାର ରୋଗ ମାଡିବସୁଛି । ସେଥିମଧ୍ୟରୁ ଅନ୍ୟତମ ୟୁରିକ ଏସିଡ୍ ସମସ୍ୟା ଯାହାକି ଏବେ ସବୁ ବୟସର ଲୋକଙ୍କଠାରେ ଦେଖାଯାଉଛି । ଶରୀରରେ ୟୁରିକ ଏସିଡ ବଢିଲେ ଆର୍ଥ୍ରାଇଟସ୍, ଗାଉଟ୍, ଗଣ୍ଠି ଯନ୍ତ୍ରଣା, କିଡନୀ ଷ୍ଟୋନ ଓ ଅନ୍ୟାନ୍ୟ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ଖବରରେ ଜାଣନ୍ତୁ ୟୁରିକ ଏସିଡ୍ କ'ଣ, କେମିତି ବଢେ ଓ ଏହାକୁ କେମିତି ନିୟନ୍ତ୍ରଣ କରିବେ ।
ୟୁରିକ ଏସିଡ୍ କ'ଣ ?
ୟୁରିକ ଏସିଡ୍ ହେଉଛି ରକ୍ତରେ ମିଳୁଥିବା ଏକ ପ୍ରାକୃତିକ ବର୍ଜ୍ୟବସ୍ତୁ । ଯେତେବେଳେ ଶରୀର ପ୍ୟୁରିନ ନାମକ ଏକ ରାସାୟନିକ ପଦାର୍ଥକୁ ଭାଙ୍ଗେ ସେତେବେଳେ ୟୁରିକ ଏସିଡ ଉତ୍ପାଦନ ହୁଏ । କିଡନୀ ଏହାକୁ ଫିଲଟର କରି ମୂତ୍ର ଜରିଆରେ ବାହାରକୁ ବାହାର କରିଦିଏ । କିନ୍ତୁ ଯେତେବେଳେ ଏହାର ମାତ୍ରା ଅଧିକ ବଢିଯାଏ କିଡନୀ ଆଉ ଫିଲଟର କରିପାରେନି । ଫଳରେ ଏହା ଶରୀର ପାଇଁ ଘାତକ ହୋଇଥାଏ । ସମସ୍ତଙ୍କ ଶରୀରରେ ୟୁରିକ ଏସିଡ୍ ମାତ୍ରା ଭିନ୍ନ ଭିନ୍ନ ଅଟେ ।
ୟୁରିକ ଏସିଡ୍ ଲକ୍ଷଣ:
ୟୁରିକ ଏସିଡର ଲକ୍ଷଣ ଜାଣିବା ପରେ ଏହାକୁ ନିୟନ୍ତ୍ରଣ କରିବା ଜରୁରୀ । ଶରୀରେ ୟୁରିକ ଏସିଡ୍ ବଢିଲେ ନିମ୍ନୋଲିଖିତ ଲକ୍ଷଣମାନ ଦେଖାଯାଇପାରେ:-
- ଗଣ୍ଠିଯନ୍ତ୍ରଣା
- ପାଦ ଓ ଗୋଇଠିରେ ଜୋରରେ ଯନ୍ତ୍ରଣା
- ପାଦ ଲାଲ୍ ପଡିବା
- ଅଧିକ ଶୋଷ ଲାଗିବା
- ପାଦର ଆଙ୍ଗୁଠି ଯନ୍ତ୍ରଣା ହେବା
- ଗଣ୍ଠି ଉପର ଚର୍ମର ରଙ୍ଗ ବଦଳିବା
କିପରି ବଢେ ୟୁରିକ ଏସିଡ୍ ?
- ଭୁଲ୍ ଖାଦ୍ୟ ଅଭ୍ୟାସ
- ଅଧିକ ମଦ ସେବନ
- ହାଇ ବ୍ଲଡପ୍ରେସର
- ଇନସୁଲିନ ରିଜେଷ୍ଟେନ୍ସ
- ବଂଶାନୁକ୍ରମିକ
- ଶରୀରରେ ଆଇରନ ମାତ୍ରା ବଢିବା
- ଥାଇରଏଡ ସମସ୍ୟା
ୟୁରିକ ଏସିଡ୍ ବଢିଲେ କ'ଣ ଖାଇବେ ଓ କ'ଣ ଖାଇବେ ନାହିଁ
ଯେତେବେଳେ ଆମେ ଅଧିକ ପ୍ୟୁରିନରେ ଭରପୂର ଖାଦ୍ୟ ଖାଇଥାଉ ଆମ ଶରୀର ଏହାକୁ ହଜମ କରିବାରେ ବିଫଳ ହୁଏ ଓ ୟୁରିକ ଏସିଡ ସ୍ତର ବଢିଯାଏ । ଏପରି ସ୍ଥିତିରେ ଡାକ୍ତରମାନେ ପ୍ୟୁରିନଯୁକ୍ତ ଖାଦ୍ୟ ନ ଖାଇବାକୁ ପରାମର୍ଶ ଦିଅନ୍ତି ।
- ୟୁରିକ ଏସିଡ ବଢିଲେ ହାଇ ପ୍ୟୁରିନଯୁକ୍ତ ଖାଦ୍ୟ ଯେପରି ସି-ଫୁଡ୍ ଓ ମାଂସ ନ ଖାଇବା ଉଚିତ୍ । ନଚେତ୍ ଖୁବ୍ କମ୍ ଖାଆନ୍ତୁ ।
- ଚିନି ଯୁକ୍ତ ଖାଦ୍ୟପାନୀୟ ଯଥା ସୋଡା, ଜୁସ୍, ଆଇସିକ୍ରିମ, ଚକୋଲେଟ ଓ ଫାଷ୍ଟଫୁଡ ଖାଆନ୍ତୁ ନାହିଁ । ମହୁରେ ପ୍ୟୁରିନ ଥିବାରୁ ଏହାର ସେବନ ଏଡାଇବା ଉଚିତ୍ ।
- ଶରୀରରେ ୟୁରିକ ଏସିଡ ବଢିବାର ଅନ୍ୟତମ କାରଣ ଅତ୍ୟଧିକ ମଦ ସେବନ । ତେଣୁ ମଦ୍ୟପାନରୁ ଦୂରେଇ ରୁହନ୍ତୁ ।
- ସେହିପରି ପ୍ରଚୁର ପାଣି ପିଇବା ଆବଶ୍ୟକ ।
- ୟୁରିକ ଏସିଡ୍ ସମସ୍ୟା ଥିଲେ ସବୁ ପ୍ରକାରର ଫଳ ସେବନ କରନ୍ତୁ । ଏହା ୟୁରିକ ଏସିଡ ସ୍ତର କମାଇବାରେ ସାହାଯ୍ୟ କରେ ।
- ସବୁଜ ପନିପରିବା, ଆଳୁ, ବାଇଗଣ, ମଟର ଇତ୍ୟାଦି ବିଭିନ୍ନ ପ୍ରକାର ପନିପରିବା ଓ ଅଣ୍ଡା ଖାଆନ୍ତୁ ।
- ଏହି ସମସ୍ୟାରେ ଆପଣ ଚା, କଫି, ଓ ଗ୍ରୀନ ଟି ଇତ୍ୟାଦି ସେବନ କରିପାରିବେ ।
- ଏହାବ୍ୟତୀତ ନିୟମିତ ବ୍ୟାୟାମ କରନ୍ତୁ । ଏହା ଆପଣଙ୍କ କିଡନୀ କାର୍ଯ୍ୟକ୍ଷମତାକୁ ବଢାଇ ୟୁରିକ ଏସିଡ ସ୍ତର କମ୍ କରିବାରେ ସାହାଯ୍ୟ କରେ ।
ଖରାପ ଲାଇଫଷ୍ଟାଇଲ ଓ ଖାଦ୍ୟାଭ୍ୟାସ ଶରୀରରେ ୟୁରିକ ଏସିଡ ବୃଦ୍ଧିର ମୁଖ୍ୟ କାରଣ । ଆମେ ଯାହା ଖାଇଥାଉ ସେଥିରୁ ଆମ ଶରୀରରେ ୟୁରିକ ଏସିଡ୍ ତିଆରି ହୁଏ ଓ ଏହା କିଡନୀ ଦ୍ବାରା ଫିଲଟର ହୋଇ ୟୁରିନ ଜରିଆରେ ବାହାରି ଯାଏ । ହେଲେ ୟୁରିକ ଏସିଡ ଅଧିକ ବଢିବା ଘାତକ ହୋଇପାରେ ଓ ବିଭିନ୍ନ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ।
Ref- https://pmc.ncbi.nlm.nih.gov/articles/PMC3247913/
ଏହା ମଧ୍ୟ ପଢନ୍ତୁ: ଖାଆନ୍ତୁ ଦିନକୁ ଗୋଟିଏ ସେଓ, ଏହି ମାରାତ୍ମକ ରୋଗରୁ ମିଳିପାରେ ରକ୍ଷା
ଏହା ମଧ୍ୟ ପଢନ୍ତୁ: ଆଣ୍ଟିବାୟୋଟିକ୍ସ ଖାଉଛନ୍ତି କି ? ଡାକ୍ତର କହିଲେ ଜୀବନ ପାଇଁ ସାଜିପାରେ ବିପଦ
Diclaimer- ଏଠାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ ।)