ହାଇଦ୍ରାବାଦ: ଏବେ ମୌସୁମୀ ସମୟ ଯୋଗୁଁ ଲୋକଙ୍କୁ ଥଣ୍ଡା, କାଶ, ଛିଙ୍କ, ଜ୍ବର ଲାଗି ରହିଛି । ଚାରିଆଡେ ଡେଙ୍ଗୁ, ମ୍ୟାଲେରିଆ କାୟା ବିସ୍ତାର କରିଛି । ତେବେ ସାଧାରଣ ଥଣ୍ଡା କି ଜ୍ବର ହେବା କ୍ଷଣି ଅଧିକାଂଶ ଲୋକେ ଆଣ୍ଟିବାୟୋଟିକ୍ ଖାଇଆନ୍ତି । ଡାକ୍ତରଙ୍କ ବିନା ପରାମର୍ଶରେ ମେଡିସିନ ଦୋକାନକୁ ଯାଇ କିଣି ଆଣନ୍ତି । ହେଲେ ଜଲ୍ଦି ରୋଗ ଭଲ ହେବାକୁ ଖାଉଥିବା ଏହି ମେଡିସିନ୍ ବଡ଼ ବିପଦର କାରଣ ହୋଇପାରେ । ଯାହାକୁ ନେଇ ଲୋକମାନଙ୍କୁ ଚେତାବନୀ ଜାରି କରିଛନ୍ତି ଡାକ୍ତର । ଜଣାଶୁଣା ଫିଜିସିଆନ ଡ. ଏମ.ଭି. ରାଓ କହିଛନ୍ତି, ''ଫ୍ଲୁ ଭଳି ଭାଇରାଲ ସଂକ୍ରମଣ ବିରୋଧରେ ଆଣ୍ଟିବାୟୋଟିକ୍ସ ପ୍ରଭାବଶାଳୀ ନୁହେଁ । ଏହାସତ୍ତ୍ବେ କିଛି ଡାକ୍ତର ରୋଗୀଙ୍କୁ ଏହି ମେଡିସିନ ପ୍ରେସକ୍ରାଇବ କରୁଛନ୍ତି ଓ ରୋଗୀମାନେ ମଧ୍ୟ ଅନେକ ସମୟରେ ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ସ ଖାଉଛନ୍ତି । ଥଣ୍ଡା, ଜ୍ବରରୁ ସୁସ୍ଥ ହେବା ପାଇଁ ଆଣ୍ଟିବାୟୋଟିକ୍ସ ଖାଇବା ଦ୍ବାରା ଶରୀରରେ ଭଲ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଏ । ଯାହାକି ଗମ୍ଭୀର ପ୍ରତିକ୍ରିୟା ସୃଷ୍ଟି କରେ ଓ ରୋଗୀର ସ୍ବାସ୍ଥ୍ୟବସ୍ଥା ବିଗିଡିଯାଏ । ନିମୋନିଆ ଭଳି ଜଟିଳତା ମଧ୍ୟ ଦେଖାଦେଇପାରେ ।''
ଡାକ୍ତର ରାଓ ଡେଙ୍ଗୁ ଓ ଚିକେନଗୁନିଆ ଭଳି ଜ୍ବରର ଔଷଧ ସହ ଜଡିତ ବିପଦ ସମ୍ପର୍କରେ ମଧ୍ୟ କହିଛନ୍ତି । ଜ୍ବର ସମୟରେ ପ୍ରବଳ ଗଣ୍ଠି ଯନ୍ତ୍ରଣା ହେଲେ ଅନେକ ଲୋକ ଉପଶମ ପାଇଁ ପେନକିଲର ନେଇଯାଇଥାନ୍ତି । ଏହି ପେନକିଲର ସେବନ ନେଇ ସେ ସତର୍କ କରାଇଛନ୍ତି । ଡାକ୍ତର କହିଛନ୍ତି, ଡେଙ୍ଗୁ ରୋଗର ପ୍ରାରମ୍ଭିକ ପର୍ଯ୍ୟାୟରେ ପେନ ରିଲିଭର (ଯନ୍ତ୍ରଣା ଉପଶମକାରୀ) ବ୍ୟବହାର କରିବା ଦ୍ବାରା ବ୍ଲିଡିଂ ବିପଦ ବଢିଯାଏ ଓ ଗୁରୁତର ସ୍ବାସ୍ଥ୍ୟ ଜଟିଳତା ସୃଷ୍ଟି ହୋଇପାରେ । ତେଣୁ ଡାକ୍ତରଙ୍କ ପରାମର୍ଶ ବିନା କୌଣସି ପ୍ରକାର ଔଷଧ ନ ଖାଇବା ଉଚିତ୍ । ନଚେତ୍ ଏହାଦ୍ବାରା ରୋଗୀର ଜୀବନ ବିପଦରେ ପଡିପାରେ ।
ରିକଭରି ପରେ ସତର୍କତା ଜରୁରୀ:
ଡେଙ୍ଗୁ ଲକ୍ଷଣ କମ୍ ହେବା ପରେ ଖାସ୍ କରି ରିକଭରି ପରେ ମଧ୍ୟ ଅଧିକ ସତର୍କ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ତାଙ୍କ କହିବା କଥା, ଏହି ସମୟରେ ରୋଗୀଙ୍କୁ 'ଡେଙ୍ଗୁ ଶକ୍'ର ବିପଦ ଥାଏ । ପ୍ଲାଜମା ସ୍ତର ହ୍ରାସ କାରଣରୁ ରକ୍ତଚାପ ସମସ୍ୟା ଦେଖାଯାଏ । ତେଣୁ ରିକଭରି ପରେ କିଛି ଦିନ ଯାଏଁ ହସ୍ପିଟାଲରେ ରହିବା ଏବଂ ଆଇଭି ଫ୍ଲୁଡ ନେବା ଭଲ । ଡେଙ୍ଗୁରେ ପୀଡିତ ଛୋଟ ଶିଶୁ, ବୃଦ୍ଧ, ମଧୁମେହ ଓ ହୃଦରୋଗୀଙ୍କ ଉପରେ ଅଧିକ ଧ୍ୟାନ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
ଡେଙ୍ଗୁ ରୋଗୀଙ୍କୁ ଭଣ୍ଡା ପତ୍ର ଜୁସ୍ ଦେବା ଠିକ୍ କି ?
ଡେଙ୍ଗୁ ରୋଗୀଙ୍କ ପ୍ଲେଟଲେଟ ସ୍ତର କମିଲେ ଅନେକ ଲୋକ ତାଙ୍କୁ ଭଣ୍ଡା ପତ୍ର ଜୁସ୍ ପିଇବାକୁ ପରାମର୍ଶ ଦିଅନ୍ତି । ଏହାଦ୍ବାରା ପ୍ଲେଟଲେଟ ବୃଦ୍ଧି ପାଏ ବୋଲି କୁହାଯାଏ । ହେଲେ ଏହା କେତେ ଦୂର ଠିକ୍ ? ଏନେଇ ଡାକ୍ତର ରାଓ କହିଛନ୍ତି, ଡେଙ୍ଗୁ ରୋଗୀଙ୍କୁ ଭଣ୍ଡା ପତ୍ର ଜୁସ୍ ଦେଲେ ପ୍ଲେଟଲେଟ ବଢିବା ନେଇ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ସେହିପରି ଅତ୍ୟଧିକ ପଇଡ ପାଣି ଓ ଫଲରସ ପିଇବା ଦ୍ବାରା ଅସ୍ବାଭାବିକ ଭାବେ ପୋଟାସିୟମ ସ୍ତର ବୃଦ୍ଧି ପାଇଥାଏ, ଯାହାକି ଅନ୍ୟ କିଛି ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ ।
ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ:
ଥଣ୍ଡା, ଜ୍ବର, ଗଳା ଦରଜ ଓ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଭଳି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ବିନା ପରାମର୍ଶରେ ମେଡିସିନ ଖାଇବା ଆଦୌ ଅନୁଚିତ୍ । ଏଥିସହ ମୌସୁମୀ ପ୍ରଭାବିତ ରୋଗରୁ ଦୂରେଇ ରହିବାକୁ ହେଲେ ମଶା ନିୟନ୍ତ୍ରଣ, ବିଶୁଦ୍ଧ ପାନୀୟ ଜଳ ପିଇବା ଓ ତାଜା ଖାଦ୍ୟ ଖାଇବାକୁ ଡାକ୍ତର ରାଓ ପରାମର୍ଶ ଦେଇଛନ୍ତି ।