ହାଇଦ୍ରାବାଦ: ଆମ ଦେଶରେ ମସଲାର ବ୍ୟବହାର ବହୁ ପରିମାଣରେ କରାଯାଏ । ବିନା ମସଲାରେ ଖାଦ୍ୟ ପ୍ରସ୍ତୁତ କଥା ହୁଏତ ବହୁତ କମ୍ ଲୋକ ଜାଣିଥିବେ । ରୋଷେଇ ସମୟରେ ଭାରତୀୟମାନେ ବହୁ ପରିମାଣର ମସଲା ବ୍ୟବହାର କରିଥାନ୍ତି । ତେବେ ସବୁ ମସଲା ଯେ, ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ତାହା ନୁହେଁ । ଏପରି କିଛି ମସଲା ଅଛି ଯାହା ଖାଇବା ଦ୍ବାରା ଆପଣଙ୍କ ଶରୀର ପାଇଁ ଲାଭଦାୟକ ବି ହୋଇଥାଏ । ଯାହାର ବଡ଼ ଉଦାହରଣ ହେଉଛି ପାନମଧୁରୀ । ଏହା ପାନରେ ବ୍ୟବହାର କରାଯିବା ସହ ରୋଷେଇରେ ପ୍ରସ୍ତୁତ ମସଲାରେ ମଧ୍ୟ ବ୍ୟବହାର କରାଯାଏ ।
ହୋଟେଲ ହେଉ ବା ଯେକୌଣସି ବିବାହ କାର୍ଯ୍ୟକ୍ରମରେ ଖାଇ ସାରିବା ପରେ ପାନ ମଧୁରୀର ବହୁଳ ବ୍ୟବହାର ହୋଇଥାଏ । ମିଶ୍ରି ସହ ପାନମଧୁରୀ ଖାଇବା ବିଷୟରେ ଯେକେହିବି ଅବଗତ ଥିବେ । ତେବେ ମିଶ୍ରି ସହ ଜଡିତ କିଛି ନୂଆ ତଥ୍ୟ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ପାନମଧୁରୀ ଓ ମିଶ୍ରି ଯୋଡି ବିଷୟରେ କାହାକୁ ଅଛପା ନାହିଁ । ଏହି ଦୁଇ ପ୍ରକାର ଦ୍ରବ୍ୟ ମିଶାଇ ଖାଇବା ପାଇଁ ଯେତିକି ସ୍ବାଦିଷ୍ଟ ସେତିକି ହିତକର ମଧ୍ୟ । ତେବେ ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ବାରା କେଉଁ ସବୁ ଫାଏଦା ମିଳିଥାଏ ।
ମିଶ୍ରି ସହ ପାନମଧୁରୀ ଖାଇବା ଦ୍ବାରା ଏହା ପାଚନ ପ୍ରକ୍ରିୟାରେ ସହାୟକ ହୋଇଥାଏ । ତେଣୁ ଖାଦ୍ୟ ଶୀଘ୍ର ହଜମ ହୁଏ ଓ ପେଟ ଥଣ୍ଡା ରହିଥାଏ । ତେଣୁ ସରବତରେ ମଧ୍ୟ ମିଶ୍ରି ଓ ପାନମଧୁରୀ ମିଶାଇ ପିଇବା ଦ୍ବାରା ଶରୀରକୁ ବହୁ ପରିମାଣରେ ଲାଭ ମିଳିଥାଏ । ଏହା ପାଟିରୁ ବାହାରୁଥିବା ଦୁର୍ଗନ୍ଧ ଏଡାଇବା ସହ ମାଉଥ୍ ଫ୍ରେସନର ଭାବେ ମଧ୍ୟ କାମ ଦିଏ । ଖାଲି ସେତିକି ନୁହେଁ, ଶରୀରରେ ରକ୍ତର ପରିମାଣ ମଧ୍ୟ ବୃଦ୍ଧି ହୋଇଥାଏ । ଏହାସହ ରକ୍ତଚାପ ନିୟନ୍ତ୍ରଣ ମଧ୍ୟ ଠିକ୍ ଭାବେ ହୋଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି । ପାନ ମଧୁରୀ ଓ ମିଶ୍ରି ଖାଇବା ପାଇଁ ଯେତିକି ସ୍ବାଦିଷ୍ଟ ସେତିକି ଲାଭଦାୟକ ହୋଇଥିବା ଜଣାପଡ଼ିଛି ।