ହାଇଦ୍ରାବାଦ: ଆମ ଭାରତୀୟଙ୍କ ରୋଷେଇ ଘରେ ଅନେକ ପ୍ରକାର ମସାଲା ମିଳେ । ଯାହା କେବଳ ଖାଦ୍ୟର ସ୍ବାଦ ବଢାଏନି, ବରଂ ଆମ ଶରୀରରୁ ଅନେକ ରୋଗ ବି ଦୂର କରେ । ସେଥିମଧ୍ୟରୁ ଅନ୍ୟତମ ମେଥି, ଏହି ମସାଲା ବହୁ ସ୍ବାସ୍ଥ୍ୟ ଉପକାରୀ ଗୁଣରେ ଭରପୂର । ପାଟିକୁ ପିତା ଲାଗୁଥିଲେ ବି ଦେହ ପାଇଁ ହିତକର ହୋଇଥାଏ । ମେଥି ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର ହେବା ସହ ଏଥିରେ ମ୍ୟାଗ୍ନେସିୟମ, ଆଇରନ, ଫରଫରସ୍, ଫଲିକ ଏସିଡ, ଭିଟାମିନ ଏ ଓ ବି ପ୍ରଚୁର ପରିମାଣରେ ଥାଏ । ଏହା ମଧୁମେହ ବା ଡାଇବେଟିସ୍ ରୋଗୀଙ୍କ ପାଇଁ ରାମବାଣ ଭଳି କାମ କରେ । ପ୍ରତିଦିନ ମେଥି ସେବନ ଦ୍ବାରା ବ୍ଲଡସୁଗାର ନିୟନ୍ତ୍ରଣ ରହିବା ସହ କେଶକୁ ମଜଭୁତ କରିବାରେ ବି ସାହାଯ୍ୟ କରେ । ସେହିପରି ରାତିରେ ମେଥି ଦାନା ପାଣିରେ ଭିଜାଇ ସକାଳେ ପାଣି ପିଇଲେ ଏମିତି ଅନେକ ଫାଇଦା ମିଳିଥାଏ ।
ପେଟ ଓ କେଶ ପାଇଁ ଉପଯୋଗୀ:
ମେଥି ପାଚନ କ୍ରିୟା ଠିକ୍ ରଖେ । ମେଥି ଦାନା ଶରୀରରେ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସହାୟକ ହୁଏ, ଯଦ୍ବାରା କିଡନୀ ସୁସ୍ଥ ରହେ । କୁହାଯାଏ ଯଦି ପାଚନ ଠିକ୍ ରହେ, ଶରୀରରେ ବି ସୁସ୍ଥ ରହେ । ସେହିପରି କେଶ ପାଇଁ ମଧ୍ୟ ମେଥି ଖୁବ୍ ଉପଯୋଗୀ । କେଶ ଝଡିବା, ଦୋମୁହାଁ ସମସ୍ୟା ଥିଲେ, ମେଥି ଦାନାକୁ ଭିଜାଇ ଏହାକୁ ପେଷ୍ଟ କରି କେଶ ମୂଳରେ ଲଗାଇଲେ ଫାଇଦା ମିଳେ । ଏଥିରେ କେଶ ମଜଭୁତ ହେବା ସହ ଶୀଘ୍ର ପାଚି ନଥାଏ ।
![ବ୍ଲଡପ୍ରେସର, ଡାଇବେଟିସ୍ ଅଛି କି ? ଏମିତି ଖାଆନ୍ତୁ ମେଥି, ଦୂର ହେବ ରୋଗ](https://etvbharatimages.akamaized.net/etvbharat/prod-images/05-09-2024/22380426_tdd.jpg)
ମଧୁମେହ ନିୟନ୍ତ୍ରଣ:
ମଧୁମେହ ରୋଗୀଙ୍କୁ ସକାଳେ ସନ୍ଧ୍ୟାରେ ମେଥି ରସ ପିଇବାକୁ ପରାମର୍ଶ ଦିଆଯାଏ । ଏଥିରେ ଥିବା ଫାଇବର ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ କରେ ଓ ଟାଇପ-2 ମଧୁମେହ ରୋଗୀଙ୍କ ଇନସୁଲିନ ପ୍ରତିରୋଧ କମ୍ କରିବାରେ ସାହାଯ୍ୟ କରେ । ନ୍ୟାସନାଲ ଲାଇବ୍ରେରୀ ଅଫ କଂଗ୍ରେସ ଦ୍ବାରା ପ୍ରକାଶିତ ଜର୍ନାଲ ଅଫ ଡାଇବେଟିସ ଆଣ୍ଡ ମେଟାବୋଲିକ ଡିସଅର୍ଡରର ଏକ ଅଧ୍ୟୟନରେ ପ୍ରମାଣିତ ହୋଇଛି ଯେ, ପ୍ରତିଦିନ ମେଥି ପାଣି ପିଇବା ଦ୍ବାରା ମଧୁମେହ ନିୟନ୍ତ୍ରଣ ରହେ ।
ହାଇ ବ୍ଲଡପ୍ରେସର:
ଯେଉଁ ଲୋକମାନେ ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡପ୍ରେସର ପୀଡିତ, ସେମାନଙ୍କ ପାଇଁ ମେଥି ବେଶ୍ ଲାଭଦାୟକ । ରାତିରେ ଶୋଇବା ପୂର୍ବରୁ ମେଥିକୁ ପାଣିରେ ଭିଜାଇ ସକାଳେ ଏହି ପାଣି ପିଇଲେ ଶରୀରରେ ରକ୍ତ ସଞ୍ଚାଳନ ବଢେ ଏବଂ ରକ୍ତଚାପ ଠିକ୍ ରହେ ।
କୋଲେଷ୍ଟ୍ରୋଲ ନିୟନ୍ତ୍ରଣ:
କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ସବୁଦିନ ମେଥି ଦାନା ସେବନ କରିବା ଭଲ । ଏଥିରେ ନାରିଂନିନ ନାମକ ଏକ ପ୍ଲାଭୋନାଏଡ ରହିଛି ଯାହା ରକ୍ତରେ ଲିପିଡ ସ୍ତର କମ୍ କରେ । ଏହାବ୍ୟତୀତ ମେଥିରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ମିଳେ ।
ହାଡ ପାଇଁ ଭଲ:
ମେଥିରେ ଆଇରନ, କ୍ୟାଲେସିୟମ, ଫସଫରସ୍ ପ୍ରଚୁର ମାତ୍ରାରେ ରହିଥିବାରୁ ଏହା ହାଡକୁ ପୋଷଣ ଯୋଗାଏ । ସେହିପରି ଅର୍ଥ୍ରାଇଟିସ ସମସ୍ୟା ପାଇଁ ଏହା ରାମବାଣ ଭଳି କାମ କରେ ।
ଓଜନ ହ୍ରାସ:
ପାଣିରେ ଭିଜା ହୋଇଥିବା ମେଥି ସେବନ କଲେ ଓଜନ ହ୍ରାସ ପାଏ । ରାତିରେ ମେଥି ପାଣିରେ ଭିଜାଇ ସକାଳେ ଏହି ପାଣି ପିଇଲେ ଓ ଦାନା ଚୋବାଇ ଖାଇଲେ ଓଜନ କମିବା ସହ ମୌସୁମୀ ଜନିତ ରୋଗ ଆଶଙ୍କା କମିଥାଏ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି:
ମେଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରେ ।
Disclaimer- ଏଠାରେ ଦିଆଯାଇଥିବା ବିବରଣୀ କେବଳ ଆପଣଙ୍କ ଜାଣିବା ପାଇଁ । ଏହି ସୂଚନା ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ, ଚିକିତ୍ସା ଓ ଡାକ୍ତରୀ ପରାମର୍ଶ ଆଧାରିତ । ଏହାକୁ ପାଳନ କରିବା ପୂର୍ବରୁ ନିଜ ଡାକ୍ତରଙ୍କ ପରାମର୍ଶ ନେଇପାରିବେ ।