ଭୁବନେଶ୍ବର: ଶୀତ ଦିନେ ହାର୍ଟ ଫେଲିୟର ଆଶଙ୍କା ଅଧିକ ଥାଏ । କାରଣ ଥଣ୍ଡା ଯୋଗୁଁ ରକ୍ତବାହୀ ନଳୀଗୁଡିକ ସଙ୍କୁଚିତ ହୋଇଯାଆନ୍ତି । ଏହି କାରଣରୁ ରକ୍ତ ପ୍ରବାହ ଧୀମା ହୋଇଯାଏ ଓ ରକ୍ତଚାପ ବଢିଯାଏ । ଫଳରେ ରକ୍ତ ସଞ୍ଚାଳନ ପାଇଁ ହାର୍ଟକୁ ଅଧିକ ପରିଶ୍ରମ କରିବାକୁ ପଡେ ଯାହା ହାର୍ଟ ହାର୍ଟଆଟାକ୍ର ମଧ୍ୟ କାରଣ ହୋଇପାରେ । ସମସ୍ତେ ଜାଣନ୍ତି, ହାର୍ଟ ଆମ ଶରୀରରେ ରକ୍ତ ସଞ୍ଚାଳନରେ ମୁଖ୍ୟ ଭୂମିକା ନିଭାଏ । ହାର୍ଟ ଫେଲିୟର ହେଲେ ଶରୀରକୁ ଅକ୍ସିଜେନ ଓ ପୋଷକ ତତ୍ତ୍ବରେ ଭରପୂର ରକ୍ତ ମିଳେପାରେ ନାହିଁ । ତେଣୁ ହୃଦ୍ରୋଗୀମାନେ ଶୀତଦିନେ ଅଧିକ ଯତ୍ନଶୀଳ ରହିବା ଆବଶ୍ୟକ । ହୃଦୟକୁ ସୁସ୍ଥ ରଖିବା ଲାଗିବା ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ସହ ନିୟମିତ ଚିକିତ୍ସା କରିବା ଆବଶ୍ୟକ । ତେବେ ହାର୍ଟ ଫେଲିୟର କ'ଣ ଓ ଏହା କାହିଁକି ହୁଏ ସେନେଇ ଅଧିକ ସୂଚନା ଦେଇଛନ୍ତି ହୃଦରୋଗ ବିଶେଷଜ୍ଞ ଦିବ୍ୟରଞ୍ଜନ ବେହେରା ।
ହାର୍ଟ ଫେଲିୟୋର କ'ଣ:
ହୃଦରୋଗ ବିଶେଷଜ୍ଞ କହିଛନ୍ତି, "ହାର୍ଟ ଫେଲିୟର ହେଉଛି ଏକ ରୋଗ ଯେଉଁଥିରେ ହାର୍ଟ ପର୍ଯ୍ୟାପ୍ତ ମାତ୍ରାରେ ପମ୍ପିଙ୍ଗ୍ କରିପାରେ ନାହିଁ । ଫଳରେ ଶରୀରରେ ରକ୍ତ ସଞ୍ଚାଳନ କମିଯାଏ । ଏହା ଯୋଗୁଁ ଅଙ୍ଗ ପ୍ରତ୍ୟଙ୍ଗଗୁଡ଼ିକୁ ଯଥେଷ୍ଟ ପରିମାଣରେ ରକ୍ତ ପହଞ୍ଚିପାରେ ନାହିଁ । ହୃଦୟର ମାଂସପେଶୀ ବିଭିନ୍ନ କାରଣରୁ ଦୁର୍ବଳ ହୋଇପଡ଼ିବା ଫଳରେ ଏହି ଅବସ୍ଥା ହୋଇଥାଏ ।''
ହାର୍ଟ ଫେଲିୟର କାରଣ:
ହାର୍ଟ ଫେଲିୟର ମୁଖ୍ୟ କାରଣ ହେଉଛି କୋରୋନାରୀ ଆଟେରୀ ଡିଜିଜ୍ (ସିଏଡି), ଯେଉଁଥିରେ ହୃଦୟକୁ ରକ୍ତ ଏବଂ ଅମ୍ଳଜାନ ସଂଚାଳନ କରୁଥିବା ରକ୍ତବାହୀ ନଳୀଗୁଡିକ ସଙ୍କୁଚିତ ହୋଇଯାଇଥାନ୍ତି । ଏହାବ୍ୟତୀତ ଆହୁରି ଅନେକଗୁଡିକ କାରଣ ରହିଛି । ଯେମିତିକି:-
- ହାର୍ଟରେ ବ୍ଲକେଜ
- ହାର୍ଟର ମାଂସପେଶୀ ଦୁର୍ବଳ ହୋଇଯିବା
- ହାର୍ଟ ଭାଲବରେ ସମସ୍ୟା ରହିବା
- ମାଦକ ଦ୍ରବ୍ୟ, ମଦ୍ୟପାନ ସେବନ
- ଧୂମ୍ରପାନ
- ଅନିୟମିତ ହୃଦସ୍ପନ୍ଦନ
ଏହିସବୁ କାରଣରୁ ହାର୍ଟ ଫେଲିୟର ହେବାର ଆଶଙ୍କା ଅଧିକ ଥାଏ ବୋଲି କହିଛନ୍ତି ହୃଦରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟରଞ୍ଜନ ବେହେରା ।
ହାର୍ଟ ଫେଲିୟର ଲକ୍ଷଣ:
- ଟିକିଏ କାମ କଲେ, ଚାଲିଲେ କିମ୍ବା ସିଡି ଚଢିବା ବେଳେ ଧଇଁସଇଁ ଲାଗିବା
- ନିଦ୍ରା ସମସ୍ୟା । ରାତିରେ ବାରମ୍ବାର ନିଦ ଭାଙ୍ଗିବା
- ଶୋଇବା ଅପେକ୍ଷା ବସିବାକୁ ଭଲ ଲାଗିବା
- ହାତ ଗୋଡ ଫୁଲିଯିବା କିମ୍ବା ପାଣି ଜମା ହେବା
- ବେଳେବେଳେ ପେଟ, ମୁହଁ ଫୁଲିବା
- କମ୍ ପରିସ୍ରା ହେବା ମଧ୍ୟ ହାର୍ଟ ଫେଲିୟରର ଲକ୍ଷଣ ହୋଇପାରେ
ପ୍ରତିକାର:
ଡାକ୍ତର ଦିବ୍ୟରଞ୍ଜନ ବେହେରା କହିଛନ୍ତି ଯେ, ଯଦି ଉପରୋକ୍ତ ଲକ୍ଷଣଗୁଡିକ ମଧ୍ୟରୁ କିଛି ଦେଖାଯାଏ ତେବେ ସଙ୍ଗେ ସଙ୍ଗେ ହୃଦରୋଗ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ହାର୍ଟ ଫେଲିୟରର କାରଣ ଜଣାପଡିବା ପରେ ପ୍ରତିକାର କରିବା ଦରକାର । ହାର୍ଟ ପମ୍ପିଙ୍ଗ କମ୍ ଜନିତ ସମସ୍ୟା ଲାଗି ଆଜିକାଲି ଭଲ ଭଲ ମେଡିସିନ ଉପଲବ୍ଧ ହେଲାଣି । ଏହାଛଡା ସିଆରଟି (CRT) ଡିଭାଇସ୍ ଭଳି ବିଭିନ୍ନ ଡିଭାଇସ ଦ୍ବାରା ପମ୍ପିଙ୍ଗ ବଢାଯାଇ ପାରିବ । ନଚେତ୍ କାର୍ଡିଆ ଟ୍ରାନ୍ସପ୍ଲାଣ୍ଟ ବା ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରାଯିବ ।
ଶୀତ ଦିନରେ ହାର୍ଟ ଫେଲିୟର:
ବିଶେଷ ଭାବରେ ଶୀତ ଦିନରେ ହାର୍ଟ ଫେଲିୟର ହେବାର ମୂଳ କାରଣ ହେଉଛି ତାପମାତ୍ରା, ଉଚ୍ଚ ରକ୍ତଚାପ, ବାୟୁ ପ୍ରଦୂଷଣ, ସୂର୍ଯ୍ୟକିରଣ ଓ ଭିଟାମିନ ଡି ଅଭାବ, ଶାରିରୀକ ସକ୍ରିୟତାର ଅଭାବ, ସଂକ୍ରମଣ ଇତ୍ୟାଦି ବୋଲି କହିଛନ୍ତି ହୃଦରୋଗ ବିଶେଷଜ୍ଞ ।
ଏହା ମଧ୍ୟ ପଢନ୍ତୁ: ଶରୀରରେ ୟୁରିକ ଏସିଡ୍ ବଢିଯାଇଛି କି ? ଆଜିଠୁ ବନ୍ଦ କରନ୍ତୁ ଏସବୁ ଖାଦ୍ୟ ଏହା ମଧ୍ୟ ପଢନ୍ତୁ: ବିବାହ ପୂର୍ବରୁ ଅଣଦେଖା କରନ୍ତୁନି ଏସବୁ କଥା, ନହେଲେ ହଇରାଣ ହେବେ |
ଇଟିଭି ଭାରତ, ଭୁବନେଶ୍ବର