ହାଇଦ୍ରାବାଦ: ପବିତ୍ର ରମଜାନ ମାସ ଆଜିଠୁ ଆରମ୍ଭ ହୋଇଛି । ଏହି ଅବସରରେ ବଲିଉଡର ସୁପରଷ୍ଟାର ସଲମାନ ଖାନ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଆଜି (ମାର୍ଚ୍ଚ ୧୨) ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସଲମାନ ଖାନ 'ଗଜିନି' ନିର୍ଦ୍ଦେଶକଙ୍କ ସହ ତାଙ୍କର ନୂଆ ଫିଲ୍ମ ଘୋଷଣା କରିଛନ୍ତି ଏବଂ ଏହା କେବେ ରିଲିଜ ହେବ ତାହା ମଧ୍ୟ ପ୍ରକାଶ କରିଛନ୍ତି ।
ସଲମାନ ଖାନ ଫିଲ୍ମ ନିର୍ମାତା ସାଜିଦ ନାଦିଆଡୱାଲା ଏବଂ ସାଉଥ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଆର ମୁରୁଗାଦୋସଙ୍କ ସହ ତାଙ୍କର ନୂତନ ଚଳଚ୍ଚିତ୍ର ଆଜି ଘୋଷଣା କରିଛନ୍ତି । ସଲମାନ ୩ ଜଣଙ୍କ ଫଟୋ ସେୟାର କରି ଲେଖିଛନ୍ତି, ନିର୍ଦ୍ଦେଶକ ଆର୍ ମୁରୁଗାଦୋସ୍ ଏବଂ ସାଜିଦ ନାଦିଆଡୱାଲାଙ୍କ ଏକ ରୋମାଞ୍ଚକର ଚଳଚ୍ଚିତ୍ର ସହ ଜଡିତ ହୋଇ ଖୁସି । ଏହି ସହଯୋଗ ମୋ ପାଇଁ ସ୍ୱତନ୍ତ୍ର ଅଟେ । ମୁଁ ଏହି ଯାତ୍ରା ପାଇଁ ଆପଣଙ୍କ ସମସ୍ତଙ୍କ ଭଲପାଇବା ଏବଂ ସମର୍ଥନ ଲୋଡୁଛି । ଏହି ଫିଲ୍ମ ଇଦ୍ ୨୦୨୫ରେ ମୁକ୍ତିଲାଭ କରିବ ।
ସଲମାନ ଖାନଙ୍କ ପୂର୍ବରୁ ଆମୀର ଖାନ ଆର୍ ମୁରୁଗାଦୋସଙ୍କ ସହ କାମ କରିଥିଲେ । ସେ ଆମୀର ଖାନ-ଆସିନଙ୍କ ୨୦୦୮ ଚଳଚ୍ଚିତ୍ର 'ଗଜିନି' ନିର୍ଦ୍ଦେଶନା ଦେଇଥିଲେ । ଏହା ବ୍ୟତୀତ ଅକ୍ଷୟ କୁମାର ଆର୍ ମୁରୁଗାଦୋସଙ୍କ ସହ ମଧ୍ୟ କାମ କରିଛନ୍ତି । ବର୍ତ୍ତମାନ ସଲମାନଙ୍କ ସହ ପ୍ରଥମ ଥର ପାଇଁ କାମ କରିବେ ନିର୍ଦ୍ଦେଶକ । ଏହି ଫିଲ୍ମର ଟାଇଟଲ ବର୍ତ୍ତମାନ ପ୍ରକାଶ କରାଯାଇନାହିଁ । ଖୁବଶୀଘ୍ର ଫିଲ୍ମର ଅନ୍ୟ ବିବରଣୀ ପ୍ରକାଶ ପାଇବ ବୋଲି ଜଣାପଡିଛି । ତେବେ ଏହି ଫିଲ୍ମ ଘୋଷଣା ହେବା ପରେ ଫ୍ୟାନ୍ସ ଭାଇଜାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଫିଲ୍ମକୁ ନେଇ ଉତ୍ସାହିତ ଥିବା କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଏକାଠି ଧମାକା କରିବେ କିଙ୍ଗ ଖାନ-ଭାଇଜାନ, ଖୁବଶୀଘ୍ର ଆରମ୍ଭ 'ଟାଇଗର ଭର୍ସେସ ପଠାନ' ସୁଟିଂ
ଏହି ଫିଲ୍ମର ନିର୍ମାତା ଅଟନ୍ତି ସାଜିଦ ନାଦିଆଡୱାଲା । ବର୍ତ୍ତମାନ ୧୦ବର୍ଷ ପରେ ସଲମାନ ଖାନ ଏବଂ ସାଜିଦ ନାଦିଆଡୱାଲା ପୁଣିଥରେ ଏକାଠି କାମ କରିବାକୁ ଯାଉଛନ୍ତି । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ଚଳଚ୍ଚିତ୍ରଟି ସାଜିଦ ନାଦିଆଡୱାଲାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ, ଯାହା ଭାରତ, ପର୍ତ୍ତୁଗାଲ ଏବଂ ଅନ୍ୟାନ୍ୟ ୟୁରୋପୀୟ ଦେଶରେ ସୁଟିଂ ହେବ । ଏହି ଚଳଚ୍ଚିତ୍ରର ବିପୁଳ ବଜେଟ୍ ବିଷୟରେ ଆଲୋଚନା ହୋଇଥିଲା । ପ୍ରାୟ ୪୦୦କୋଟି ବଜେଟରେ ନିର୍ମିତ ହେବ ବୋଲି ଜଣାପଡିଛି ।