ହାଇଦ୍ରାବାଦ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼ ଘଟଣା ନେଇ ମୁମ୍ୱାଇ ପୋଲିସ ପ୍ରତ୍ୟେକ ଦୃଷ୍ଟିକୋଣରୁ ତଦନ୍ତ କରୁଛି । ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୁମ୍ବାଇ ପୋଲିସ ଆଜି ସୋମବାର ଦିନ ବଲିଉଡ ଅଭିନେତା ସୈଫଙ୍କ ବାନ୍ଦ୍ରାସ୍ଥିତ ଘରେ କ୍ରାଇମ ସିନ୍ ରିକ୍ରିଏଟ କରିପାରେ । ଏହା ବ୍ୟତୀତ ରକ୍ତ ଲାଗିଥିବା ପୋଷାକକୁ ଜବତ କରିବା ପାଇଁ ପ୍ରୟାସ କରାଯିବ । ପୋଲିସ ଅଭିଯୁକ୍ତଙ୍କ ସହ ଜଡିତ ସମସ୍ତ ପ୍ରମାଣ ସଂଗ୍ରହ କରିବ ।
କ୍ରାଇମ ସିନ୍ ରିକ୍ରିଏଟ କରିବ ପୋଲିସ
ରବିବାର (ଗତକାଲି) ସୈଫ ଅଲି ଖାନଙ୍କୁ ଛୁରାମାଡ଼ ମାମଲାରେ ମୁମ୍ୱାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ପୋଲିସ କହିଛି ଯେ 30 ବର୍ଷୀୟ ଅଭିଯୁକ୍ତ ଜଣେ ବାଂଲାଦେଶୀ ଯିଏ ବେଆଇନ ଭାବରେ ଭାରତରେ ପ୍ରବେଶ କରିଥିଲା । ଗିରଫ ଅଭିଯୁକ୍ତ ମହମ୍ମଦ ଶରିଫୁଲ ଇସଲାମ ଶାହଜାଦ ଅଟନ୍ତି । ହିରାନାନ୍ଦାନୀ ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ଏହା ପରେ ପୋଲିସ କୋର୍ଟରେ ଅଭିଯୁକ୍ତକୁ ହାଜର କରି ହେପାଜତରେ ନେବାକୁ କୋର୍ଟରେ ଆବେଦନ କରିଥିଲା । ଯାହା ପରେ କୋର୍ଟ ପାଞ୍ଚ ଦିନିଆ ରିମାଣ୍ଡରେ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ପ୍ରଥମ ଦିନିଆ ରିମାଣ୍ଡରେ କ୍ରାଇମ ସିନ୍ ରିକ୍ରିଏଟ କରିବ ପୋଲିସ ବୋଲି ସୂଚନା ମିଳିଛି ।
କାହା ଉପରେ ଆକ୍ରଣ କରିଛି ଜାଣିନଥିଲା ଅଭିଯୁକ୍ତ
ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ବାଂଲାଦେଶର ହୋଇଥିବା କୁହାଯାଉଛି । କାରଣ ତା ପାଖରେ ଭାରତୀୟ ହୋଇଥିବା ନେଇ କୌଣସି ପ୍ରମାଣ ପତ୍ର ନାହିଁ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତ ଜଣକ ବେଆଇନ ଭାବେ ଭାରତରେ ପ୍ରବେଶ କରିବା ପରେ ନାଁ ପରିବର୍ତ୍ତନ କରି ବିଜୟ ଦାସ ରଖିଥିଲା । ୫ରୁ ୬ ମାସ ତଳେ ସେ ମୁମ୍ବାଇ ଆସିଥିଲା । ଅଭିଯୁକ୍ତ ଜଣକ ହାଉସକିପିଙ୍ଗ ଏଜେନ୍ସିରେ କାମ କରୁଥିଲା । ପୋଲିସ ମୋବାଇଲ ଲୋକେସନରୁ ଅଭିଯୁକ୍ତକୁ ଟ୍ରାକ କରି ଧରିବାରେ ସଫଳ ହୋଇଥିଲା । ମୁମ୍ବାଇ ପୋଲିସ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ସେ କାହା ଉପରେ ଆକ୍ରମଣ କରିଥିଲା ତାହା ଜାଣିନଥିଲା ଅଭିଯୁକ୍ତ । ସେ ବଲିଉଡ ଅଭିନେତା ସୈଫଙ୍କ ଆକ୍ରମଣ କରିଥିବା ଜାଣିନଥିଲା । ତେବେ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି ।
ଏହା ମଧ୍ୟ ପଢନ୍ତୁ: ଆଇସିୟୁରେ ଭର୍ତ୍ତି ସୈଫ ଅଲି ଖାନ, ମେରୁଦଣ୍ଡ ପାଖରୁ ବାହାରିଲା 2.5 ଇଞ୍ଚର ଛୁରୀ
ଖୁବଶୀଘ୍ର ଡିସଚାର୍ଡ ହେବେ ସୈଫ ଅଲି ଖାନ
ଚୋରି କରିବା ଉଦ୍ଦେଶ୍ୟରେ ସୈଫଙ୍କ ଘରେ ପଶି ଛଅ ଥର ଛୁରାମାଡ଼ କରିଥିଲା । ଯାହା ପରେ ଗୁରୁତର ଅବସ୍ଥାରେ ଅଭିନେତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଅଭିନେତା ବିପଦ ମୁକ୍ତ ଥିବା ବେଳେ ଚିକିତ୍ସାଧୀନ ରହିଛନ୍ତି । ଆଜି ଅଭିନେତା ଡିସଚାର୍ଜ ହୋଇଥାନ୍ତେ ହେଲେ ବର୍ତ୍ତମାନ ସୋମବାର ସକାଳେ, ଲୀଳାବତୀ ହସ୍ପିଟାଲର ଡାକ୍ତର ନୀତିନ ଡାଙ୍ଗେ ଗଣମାଧ୍ୟମକୁ କହିଛନ୍ତି ଯେ ଅଭିନେତା ସୁସ୍ଥ ଥିଲେ ମଧ୍ୟ ତାଙ୍କୁ ଆଜି ଡିସଚାର୍ଜ କରାଯିବ ନାହିଁ । ତାଙ୍କୁ ହସ୍ପିଟାଲରେ ଆଉ ଗୋଟିଏ ଦିନ ପାଇଁ ନିରୀକ୍ଷଣରେ ରଖାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ