ହାଇଦ୍ରାବାଦ: ଖୁବଶୀଘ୍ର ପରଦାକୁ ଆସିବ ବାୟୋପିକ ଫିଲ୍ମ 'ଶକ: ଦ ଡାଉଟ' । ଏହି ଫିଲ୍ମ ବଲିଉଡର ଭେଟେରାନ ଅଭିନେତ୍ରୀ ଜୀନତ ଅମାନଙ୍କ ବାୟୋପିକ ଅଟେ । ଏଥିରେ ଅଭିନେତ୍ରୀ ଜୀନତଙ୍କ ଭୂମିକାରେ ଅଭିନେତ୍ରୀ ପାୟଲ ଘୋଷଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜୀବ ଚୌଧୁରୀ । ସେପଟେ ଏହି ଫିଲ୍ମର ଅଂଶ ନେଇ ଖୁସି ବ୍ୟକ୍ତ କରିଛନ୍ତି ପାୟଲ ।
ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଜୀନତଙ୍କ ଭୂମିକାରେ ଅଭିନୟ କରିବା ନେଇ ପାୟଲ ଖୁସିବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ''ଏହା ମୋ ପାଇଁ ଏକ ବଡ଼ ସୁଯୋଗ ଏବଂ ମୁଁ ପ୍ରକୃତରେ ଖୁସି ଏବଂ ଭାଗ୍ୟବାନ ଯେ ମୋ ଉପରେ ନିର୍ମାତା ବିଶ୍ୱାସ କରି ମୋତେ ଏହି ଭୂମିକାରେ ଅଭିନୟ କରିବାକୁ ସୁଯୋଗ ଦେଇଛନ୍ତି ।'' ସେ ଆହୁରି କହିଛନ୍ତି, ''ମୁଁ ପରଦାରେ ଏଭଳି ଏକ ଆଇକନିକ୍ ବ୍ୟକ୍ତିତ୍ୱର ଚରିତ୍ରରେ ଅଭିନୟ କରିବି । ମୁଁ ଏଥିପାଇଁ ବହୁତ ଉତ୍ସାହିତ ଅଟେ । ଜୀନତ ଅମାନ ଜଣେ ମହାନ ବ୍ୟକ୍ତିତ୍ୱ ଏବଂ ପରଦାରେ ତାଙ୍କ ଭୂମିକାରେ ଅଭିନୟ କରିବା ଯକୌଣସି ତାରକାଙ୍କ ପାଇଁ ବଡ଼ ସୁଯୋଗ । ଏଣୁ ମୁଁ ଏଥିପାଇଁ ମୋ ଫ୍ୟାନ୍ସଙ୍କୁ ପ୍ରତିଶୃତି ଦେଉଛି ଯେ, ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବି ।''
କହିରଖୁଛୁ କି, 70-80 ଦଶକରେ ବଲିଉଡକୁ ନିଜ ହଟ୍ ଅନ୍ଦାଜ ଦେଖାଇ ଲୋକଙ୍କ ମନ ଜିତିଥିଲେ ଜୀନତ ଅମାନ । ସେ ୧୯୭୦ ମସିହାରେ ଚଳଚ୍ଚିତ୍ର 'ଦ ଇଭିଲ ୱିଥ ଇନ୍' ସହ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଏହା ପରେ ସେ 'ହରେ ରାମା ହରେ କୃଷ୍ଣ', 'ୟାଦୋଁ କି ବାରାତ୍', 'କୁର୍ବାନୀ', 'ଦୋସ୍ତାନା' ଏବଂ 'ଡନ୍' ଭଳି ଅନେକ ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇ ବେଶ ପ୍ରଶଂସା ଏବଂ ଲୋକପ୍ରିୟତା ସାଉଁଟିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଅମିତାଭ ବଚ୍ଚନଙ୍କ ପାଇଁ ଗାଳି ଶୁଣିଥିଲେ ଜୀନତ୍, ଖୁଲାସା କଲେ ଅଭିନେତ୍ରୀ
ସେହିପରି ପାୟଲଙ୍କ କଥା କହିବାକୁ ଗଲେ, ପାୟଲ ଇଂରାଜୀ, ତେଲୁଗୁ, କନ୍ନଡ଼ ଏବଂ ହିନ୍ଦୀ ଭାଷାଭାଷୀ ଫିଲ୍ମରେ କାମ କରିନିଜର ଅଭିନୟର ଜଲୱା ଦେଖାଇଛନ୍ତି । ଏଥିସହ ସେ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି । ତାଙ୍କୁ ଶେଷ ଥର ପାଇଁ 'ଫାୟାର ଅଫ୍ ଲଭ୍: ରେଡ୍' ରେ ଦେଖିବାକୁ ମିଳିଥିଲା ।