ହାଇଦ୍ରାବାଦ: ଓସ୍କାର ସମାରୋହ ହେଉଛି ଚଳଚ୍ଚିତ୍ର ଜଗତର ଅନ୍ୟତମ ସମ୍ମାନଜନକ ସମାରୋହ । ଯାହାକୁ ସାରା ବିଶ୍ୱରେ ନିର୍ଦ୍ଦେଶକ ଏବଂ କଳାକାରଙ୍କ ଜିତିବାର ସ୍ୱପ୍ନ ଦେଖିଥାନ୍ତି । ନିକଟରେ ୯୬ତମ ଓସ୍କାର ଶୋ' ଶେଷ ହୋଇଥିବା ବେଳେ ସମସ୍ତେ ୯୭ତମ ଓସ୍କାର ପାଇଁ ଅପେକ୍ଷା କରିରହିଥିଲେ । ବର୍ତ୍ତମାନ ସେମାନଙ୍କ ଅପେକ୍ଷାର ଅନ୍ତ ହୋଇଛି । ଏକାଡେମୀ ୯୭ ତମ ଓସ୍କାର ଘୋଷଣା କରିଛି । ଏଥିସହ ନାମାଙ୍କନ ସମୟ ସୀମା ମଧ୍ୟ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଏହି ସୂଚନା ଦେଇଛି ଏକାଡେମୀ ।
୯୭ତମ ଓସ୍କାର କେବେ ଆୟୋଜନ ହେବ?
ଦ ଏକାଡେମୀ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ୯୭ ତମ ଓସ୍କାର ଘୋଷଣା କରିଛି । ମାର୍ଚ୍ଚ ୧୦, ୨୦୨୪ରେ ୯୬ତମ ଓସ୍କାର ହୋଇଥିଲା । ଯେଉଁଥିରେ ଅନେକ କଳାକାର ପୁରସ୍କୃତ ହୋଇଥିଲେ । ତେବେ ବର୍ତ୍ତମାନ ମାର୍ଚ୍ଚ ୨, ୨୦୨୫ (ରବିବାର)ରେ ୯୭ତମ ଓସ୍କାର ଅନୁଷ୍ଠିତ ହେବ, ଯାହା ମାର୍ଚ୍ଚ ୩ ସକାଳ ସମୟରେ ଭାରତରେ ପ୍ରସାରଣ କରାଯିବ । ଟାଇମିଂ ବିଷୟରେ କହିବାକୁ ଗଲେ, ଓସ୍କାର ୨୦୨୫ ଚଳିତ ବର୍ଷର ଶୋ' ଭଳି ସନ୍ଧ୍ୟା ୭ଟାରେ ABC ପୁଣି ଏହି ପୁରସ୍କାର ଶୋ’ରେ ସିଧାପ୍ରସାରଣ ହେବ । ଏହି କାର୍ଯ୍ୟକ୍ରମ ପୁଣି ଥରେ ହଲିଉଡର ଡଲବି ଥିଏଟରରେ ଅନୁଷ୍ଠିତ ହେବ । ତେବେ ବିଶ୍ୱ ସ୍ତରରେ 200ରୁ ଅଧିକ ଦେଶର କଳାକାର ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି ।
ନାମାଙ୍କନ ଏବଂ ଭୋଟିଂ ତାରିଖ
ଆସନ୍ତା ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ୯୭ତମ ଓସ୍କାର ସମାରୋହରେ ଅଂଶଗ୍ରହଣ କରିବାକୁ ନାମାଙ୍କନ ଦାଖଲ କରିବା ତାରିଖ ଘୋଷଣା କରିଛି । ସାଧାରଣ ଏଣ୍ଟ୍ରି ଏବଂ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ସମସ୍ତ ଆବେଦନ ନଭେମ୍ବର ୧୪ ତାରିଖ, ୨୦୨୪ ପର୍ଯ୍ୟନ୍ତ କରାଯାଇପାରିବ । ଏଥିସହ ଏକାଡେମୀ ଭୋଟ୍ ତାରିଖ ମଧ୍ୟ ପ୍ରକାଶ କରିଛି । ଓସ୍କାର ପୁରସ୍କାର ପାଇଁ ଦଶଟି ବର୍ଗରେ ସର୍ଟଲିଷ୍ଟ ଚଳଚ୍ଚିତ୍ର ପାଇଁ ପ୍ରାଥମିକ ଭୋଟ୍ ଡିସେମ୍ବର ୯ରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ । ଯାହାର ଫଳାଫଳ ଡିସେମ୍ବର ୧୭ରେ ଘୋଷଣା କରାଯିବ । ନାମାଙ୍କନ ପାଇଁ ଭୋଟ୍ ଅବଧି ଜାନୁଆରୀ ୮ରୁ ଆରମ୍ଭ ହୋଇ ଜାନୁୟାରୀ ୧୨, ୨୦୨୫ରେ ଶେଷ ହେବ । ଅଫିସିଆଲି ମନୋନୀତଙ୍କ ନାଁ ୧୭ ଜାନୁଆରୀ ୨୦୨୫ରେ ପ୍ରକାଶ କରାଯିବ ।
ଏହା ମଧ୍ୟ ପଢନ୍ତୁ: 'ଓପେନହାଇମର-ପୋର୍ ଥିଙ୍ଗସ'ର ଜଲୱା, ଦେଖନ୍ତୁ ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା