ଭୁବନେଶ୍ବର: ବଡ ପରଦାରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚିତ୍ର "ଅଦୃଶ୍ୟ"। ଭୁବନେଶ୍ୱର ଏସପ୍ଲାନେଡ ସିନେପଲିସରେ ଏହି ଚଳଚିତ୍ର ମୁକ୍ତିଲାଭ କରିଛି । ମାଆ ଗାୟତ୍ରୀ ଫିଲ୍ମସ୍ ଦ୍ବାରା ପ୍ରସ୍ତୁତ ହରର, ସସ୍ପେନ୍ସ ତଥା ଥ୍ରୀଲର ଓ କମେଡିରେ ଭରପୁର ରହିଛି ଏହି ଓଡିଆ ଚଳଚ୍ଚିତ୍ର । ଚଳଚ୍ଚିତ୍ରର ପରିମିୟର ସୋ'ରେ ପ୍ରଯୋଜକ ସୁନନ୍ଦା ସାହୁ,ରାଜେଶ ଅଗ୍ରୱାଲ, ନିର୍ଦ୍ଦେଶକ ସତ୍ୟ ନାରାୟଣ ସାହୁ, ମିଡ଼ିଆ ପ୍ଲାନର କ୍ରିଏଟିଭ ମୁଖ୍ୟ ପ୍ରଣୟ ଜେଠୀ, ନାୟିକା ଲିପ୍ସା ମିଶ୍ର, ଅଭିନେତା ଜୀବନ ପଣ୍ଡା, ଅନନ୍ତ ମିଶ୍ର, ଅରବିନ୍ଦ ଜେନା, ପ୍ରଦୀପ ଦେବତା, କୁସୁମ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
"ଅଦୃଶ୍ୟ"ରେ ଅଭିନୟ କରିଛନ୍ତି...
ଚଳଚିତ୍ର "ଅଦୃଶ୍ୟ"ର କାହାଣୀ, ଚିତ୍ରନାଟ୍ୟ, ସଂଳାପ ରଚନା ସହିତ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ସତ୍ୟ ନାରାୟଣ ସାହୁ । ପ୍ରଯୋଜନା କରିଛନ୍ତି ସୁନନ୍ଦା ସାହୁ ଏବଂ ରାଜେଶ ଅଗ୍ରୱାଲ । ଚିତ୍ରତ୍ତୋଳନ ଏସ ରଞ୍ଜନ ଏବଂ ସମ୍ପାଦନା କରିଛନ୍ତି ରାଜେଶ ଦାଶ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର ଏବଂ କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ସ୍ୱୟଂ ପାଢ଼ୀ ଓ ସତ୍ୟଜିତ ପ୍ରଧାନ । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ ଟୁବୁନ । ମୁଖ୍ୟ ଚରିତ୍ରରେ ଓଡିଶାର ଅନେକ ଅଭିଜ୍ଞ ଅଭିନେତା, ଅଭିନେତ୍ରୀ ଅଭିନୟ କରିଥିବାବେଳେ ମୁଖ୍ୟ ନାୟକ ଭାବେ ଅଭିଷେକ ଗିରି ଏବଂ ତାଙ୍କ ବିପକ୍ଷରେ ଦୁଇ ନାୟିକା ସାୟଲ ମୁଖାର୍ଜୀ, ଲିପ୍ସା ମିଶ୍ର ରହିଛନ୍ତି । ଅନ୍ୟ ଭୂମିକାରେ ଚୌଧୁରୀ ଜୟପ୍ରକାଶ ଦାସ, ଜୀବନ ପଣ୍ଡା, ଅନନ୍ତ ମିଶ୍ର, ନୀଳମଣି ସାହୁ ପ୍ରମୁଖ ଅଭିନୟ କରିଛନ୍ତି ।
ଅଦୃଶ୍ୟର କାହାଣୀ ଏପରି:
ସାତ ଜଣ ସମ୍ପୂର୍ଣ୍ଣ ଅପରିଚିତ ବ୍ୟକ୍ତି ଏକ ଟ୍ରାଭେଲ ଏଜେନ୍ସି ଜରିଆରେ ଦାରିଙ୍ଗବାଡ଼ି ଯାଉଛନ୍ତି ବଣଭୋଜି ପାଇଁ । ଫେରିବା ବାଟରେ ଗାଡ଼ି ଖରାପ ହେଉଛି ଓ ସମସ୍ତେ ଗୋଟିଏ ଆଦିବାସୀ ହଷ୍ଟେଲରେ ରାତି କଟାଇଛନ୍ତି । ସକାଳେ ଡ୍ରାଇଭର ଗାଡ଼ି ସଜାଡ଼ିବା ପାଇଁ ୧୫ କିଲୋମିଟର ଦୂରରେ ଥିବା ଏକ ଗାଁକୁ ନେଇ ଯାଉଛି । ଖବର ପହଞ୍ଚୁଛି ମାଓବାଦୀମାନେ ଗାଁର ଉଭୟ ପାର୍ଶ୍ବରେ ରାସ୍ତା ଅବରୋଧ କରି ଏକ ମିଲିଟାରୀ ଭ୍ୟାନକୁ ଟାର୍ଗେଟ କରି ଅପେକ୍ଷା କରିଛନ୍ତି । ସମସ୍ତେ ବାଧ୍ୟ ହୋଇ ଆଉ କିଛି ଦିନ ସେଠାରେ ଅଟକି ଯାଉଛନ୍ତି । ଏଭଳି ଅବସ୍ଥାରେ ସେମାନଙ୍କ ମଧ୍ୟରୁ ଜଣ ଜଣ କରି କୌଣସି ଅଜଣା ଆତତାୟୀ ଦ୍ବାରା ମରିବାରେ ଲାଗିଛନ୍ତି ।
ତେବେ ଜଣେ ମଲା ପରେ ସମସ୍ତେ ଯାହାଙ୍କୁ ହତ୍ୟାକାରୀ ବୋଲି ସନ୍ଦେହ କରୁଛନ୍ତି, ସେ ହିଁ ହେଉଛି ପରବର୍ତ୍ତୀ ଟାର୍ଗେଟ । ନାୟକ, ନାୟିକାଙ୍କୁ ଛାଡ଼ି ଜଣ ଜଣ କରି ସମସ୍ତଙ୍କ ମୃତ୍ୟୁ ହେଉଛି । ଶେଷରେ ନାୟକ, ନାୟିକା ରହସ୍ୟର ଉନ୍ମୋଚନ କରୁଛନ୍ତି ଓ ଜଣାପଡୁଛି ଘାତକ କୌଣସି ମଣିଷ ନୁହେଁ । ସେ ପ୍ରତିଶୋଧ ପରାୟଣ ହୋଇ ଏସବୁ କରୁଛି । ତେବେ କିଏ ସେ ଅଦୃଶ୍ୟ ଆତତାୟୀ ? କ’ଣ ହେଇପାରେ ଏସବୁ ବୀଭତ୍ସ ହତ୍ୟାକାଣ୍ଡ ପଛର କାରଣ ? ରହସ୍ୟ, ରୋମାଞ୍ଚକର, ସସ୍ପେନ୍ସ, କମେଡିରେ ଭରପୁର ଏ ଚଳଚ୍ଚିତ୍ର ‘ଅଦୃଶ୍ୟ’ର ସବୁ ଦର୍ଶକଙ୍କୁ ଭଲ ଲାଗିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବର, ଇଟିଭି ଭାରତ